Unknown

 

 

 

 

 

 

 

 

 

 

 

ଜୀବନ ମରଣ

ବଂଶୀଧର ମହାନ୍ତି

 

ଜୀବନ-ମରଣ

(୧)

 

ରାଇଘର ହାଟପଦାରୁ ଯେଉଁ ରେଭେନିଉ ରୋଡ୍‍ଟି ପୂର୍ବଆଡ଼େ ଚାଲିଯାଇଛି, ସେହି ରାସ୍ତାରେ ତିନିମାଇଲ ବାଟ ଗଲେ ପଡ଼େ ବାଗବେଡ଼ା ଗାଁ । ପାହାଡ଼ିଆ ଗାଁଟି ବଣ ଜଙ୍ଗଲ ମଝିରେ-। ମେଲେରିଆ ଜର ବସା ବାନ୍ଧି ରହିଛି । ମଶା, ମାଛି, ସାପରେ ଭରା ମନୁଷ୍ୟର ଅଗମ୍ୟ ଯାଗା ସେହି ବାଗବେଡ଼ା ଗାଁଟି କେଚା ଗୌନ୍ତିଆର ଜନମ ମାଟି ।

 

କେଚା ଜାତିରେ ଗଣ୍ଡ । ସେ ଆଦିବାସୀ । ତାର କଳାମଚମଚ ବଳିଷ୍ଠ ଚେହେରାଟା ବଡ଼ ଦୁର୍ଦ୍ଦାନ୍ତ ଦେଖାଗଲେ କ’ଣ ହେଲା, ମଣିଷ ହିସାବରେ ସେ କିନ୍ତୁ ବଡ଼ ସରଳ । ମନକୁ ଯାହା ଆସେ ପ୍ରଥମେ ଭଡ଼୍‍ ଭଡ଼୍‍ କରି ପ୍ରକାଶ କରିଦେଲେ ତାର ଶାନ୍ତି । ମାନେ ଆଦୌ କପଟତା ନାହିଁ ତାର ପେଟ ଭିତରେ ।

 

ବଦଲି, ସରଗି, ବିଜା, କେନ୍ଦ୍ର ଓ ମହୁଲ ଗଛର ନିଘଞ୍ଚ ବା ତାରି ପାଖରେ ଚାଳଘର କେତେଗୋଟି । କେଚା ଗଣ୍ଡର ପରିବାର ମଧ୍ୟରେ ମଣିଷ ହେଉଛନ୍ତି ଆଠ ଦଶଜଣ । ପୁଅ, ଝିଅ ତିନି ଚାରୋଟି ଓ ଭାଇମାନଙ୍କୁ ଛାଡ଼ିଦେଲେ ଷାଠିଏ ବର୍ଷର ବୁଢ଼ୀ ମା’ଟିଏ ।

 

ବଣକୁ ଲାଗି ପାଞ୍ଚ ଏକର ଭଲ ଧାନ ଜମିଥିଲା । ସେଥିରେ ଧାନ ଫଳୁ ନଥିଲା ଯେ ସୁନା ଫଳୁଥିଲା । ତହିଁରେ ବର୍ଷକର ଖର୍ଚ୍ଚ ବାର୍ଚ୍ଚ ବି ଚଳି ଯାଉଥିଲା ସେମାନଙ୍କର । ସେହି ଜମି ଖଣ୍ଡିକ ଉପରେ ପଡ଼ିଲା ସାହୁକାରଙ୍କର ଆଖି । ତାକୁ ହସ୍ତଗତ କରିବା ପାଇଁ ଧନୀମାନେ ଆପ୍ରାଣଚେଷ୍ଟା କଲେ । ଧାନ କରଜ ଦେଇ ଅସଲ ସୁଧ ଭିଡ଼ି ସେତକ ମାରିନେଲେ ସେମାନେ । ଆଉ ଯାହା ରହିଲା ଦଶ ବାର ଏକର ଡଙ୍ଗର ଜମି ।

 

ଦିନକାଳ ଖରାପ । ପଇସା କଉଡ଼ିର ଅଭାବ । ମଣିଷଙ୍କ ହାତ ପ୍ରାୟ ଖାଲି । ଏ ଜଗତରେ ତ ଟଙ୍କାର ଖାତିର ବେଶି । ମଳିମୁଣ୍ଡିଆଙ୍କୁ ପଛରେ କିଏ ? ଦୁନିଆଟା ଖାଲି ପଇସାର-ଖାଲି ଧନୀର ।

 

ସେଇ ଦୁନିଆର ମଣିଷ ଏଇ କେଚା ଗଣ୍ଡ । ପରିଧାନରେ ତାର ମୋଟା ଚିରା ଖଦି ଖଣ୍ଡେ । ପାଉଁଶରେ କାଚି ସଫା କରି ପିନ୍ଧେ, ଘରେ ଛିଣ୍ଡା ମଶିଣା, ଛିଣ୍ଡା କନା କେତେ ଖଣ୍ଡି ରହିଛି-। ସେହି ଚିରା ଲୁଗାକୁ କେଉଁ ଦିନ ସେ ପିନ୍ଧେତ କେଉଁ ଦିନ ତାର ଭାଇ ପିନ୍ଧେ । ଯେଉଁଦିନ ତା ଭାଇ ସେ ଖଣ୍ଡି ପିନ୍ଧେ, ସେ ଦିନ ସେ ଲେଙ୍ଗୁଟି ମାରେ ।

 

ସ୍ତ୍ରୀ ସମ୍ବାରି ଥିଲାବେଳେ ସ୍ୱାମୀ ଉପରେ ରାଗିକରି କହେ ‘‘ କି ପୋଡ଼ା କପାଳ ! ଏତେ ଲୋକ ଲୁଗା ପାଉଛନ୍ତି ତତେ ଖଣ୍ଡେ ମିଳୁନାହିଁ ?’’

 

କେଚା କୋମଳ ଭାବରେ ଉତ୍ତର ଦିଏ,‘‘ ହାଟ ବଜାରରେ ମିଳିଲେ ସିନା ?’’

 

‘‘ତନ୍ତୀବୁଣା ସାତ ହାତି ଖଦି ଖଣ୍ଡେ ବି ମିଳୁନାହିଁ ?’’

 

‘‘ଦୁଇତିନି ଟଙ୍କା ଦେଇ ଲୁଗା କିଣିଲେ ଏଣେ ପେଟ ଚଳିବ କେମିତି ?’’

 

‘‘ନ ଖାଇ ନ ପିଇ ବରଂ ରହିହେବ, ତା’ ବୋଲି କଣ ଲେଙ୍ଗୁଟି ?’’

 

ଛି ଛି କି ଦୁର୍ଭାଗ୍ୟ ତାଙ୍କର ? ପେଟକୁ ଦାନା ନାହିଁ । ଗାଣ୍ଡିକି କନା ନାହିଁ । ଆଜିକି ପେଜ ଅଛି ତ କାଲିକି ଲୁଣ ନାହିଁ । କେତେଦିନ ଯେ ତାଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼େ ତାର ହିସାବ ନାହିଁ ।

 

ବାଆ ବତାସି ଆସେ । ନୁଆଣିଆ ଦରଭଙ୍ଗା ଚାଳିଘରର ଛପର ପବନରେ ଉଡ଼ିଯାଏ । ହୁ ହୁ ହୋଇ ଥଣ୍ଡା ପବନ ପଶେ । ଆଗ ଆଡ଼ ମେଲା । ସାମନରେ କାଙ୍କୁରି କୁଙ୍କୁରି ହୋଇ ବସି ରହନ୍ତି ମା ବୁଢ଼ୀ ଓ ପିଲାମାନେ । ସମସ୍ତଙ୍କ ଦେହ ଖୋଲା । କେବଳ ନିଆଁ ଅତରା ଲାଗିଥାଏ ମୋଟା ମୋଟା କାଠ ଗଡ଼ରେ । ଅଗଣାର ଗୋଟିଏ ପାଖରେ ଗୋରୁ ଗୁହାଳଟି । ବଳଦ ଦୁଇଟିଙ୍କ ଦେହର ପଞ୍ଜରା ଗଣି ହୁଏ । ଇଏ ତାର ଭାଗ୍ୟ । କେଚା ତାର ପ୍ରତିକାର କରେ—ପ୍ରତିବାଦ କରେନି ।

 

ସେ ଲୁଚି ଲୁଚି ଭାଇମାନଙ୍କ ସହିତ ଝୋଲା ନିକଟରେ ନିତି ମଦ ରାନ୍ଧେ । ରୀତିମତ ପୁଲିସ ଯୁଗ । ଘରଠାରୁ ବେଶୀଦୂର ଯିବାକୁ ହୁଏନି । ନାଳ ସେପାରି ବଣ ତାର ପିଲାଦିନର ସାଥୀ-। ଏହି ବଣର ସବୁ ଗଛର ନାଁ ସେ ଗୋଟି ଗୋଟି କରି ଜାଣେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାର ଅରଣ୍ୟ ସହିତ ଅନ୍ତରଙ୍ଗତା ଅଧିକରୁ ଅଧିକତର ଗାଢ଼ ହୋଇଉଠିଛି ।

 

ଅଦ୍ଭୁତ ନିର୍ଜନ ବନାନୀ । ତାର ସବୁଜ ଲତାପତ୍ରର ଅନ୍ତରାଳରେ ଛାୟାଶୀତଳ ଝରଣାର କୂଳ । ମଦ ପାଗ ହେବା ଯାଏ ସେ ସେଇଠି ବସେ । ଅନାମିକା ବଣଫୁଲର ମହକ ସହିତ ରନ୍ଧା ମଦର ବାସନା ତାକୁ ମତୁଆଲା କରି ପକାଏ । ସେଇଠି ବସି ମନେ ମନେ କି ସପନ ଯେ ସେ ଦେଖେ ତାହା ସେହି ଏକା ଜାଣେ ।

 

ହେଲେ ସବୁବେଳେ ତା ମନରେ ଥାଏ ଗୋଟିଏ ଜୁଲମ୍‍ର ଭୟ । ସେମାନେ ହେଉଛନ୍ତି ଥାନା ପୋଲିସ ଓ ଅବକାରୀ ଜବାନ୍ । ତଥା କଥିତ କଂଗ୍ରେସୀ ଟାଉଟରମାନେ ବି ଅତିଶୟ ଚତୁର ଓ ବିଚକ୍ଷଣ । ଆଇ, ଡ଼ି, ବନ୍ଦୋବସ୍ତ ଏହିମାନଙ୍କ ମଧ୍ୟସ୍ଥତାରେ । ପର୍ସେଣ୍ଟେଜ୍ ପାଆନ୍ତି । ସେମାନଙ୍କ ଦୟାରୁ ବିନ୍ଦୁ ମାତ୍ର ଭୟର କାରଣ ନାହିଁ । ସରକାରୀ ବାବୁମାନେ ବି ବଡ଼ ସୁପୁରୁଷ, ପରୋପକାରୀ, ଦୟାଳୁ । ମାସକୁ ମାସ ଅଣତିରିଶ ମାମୁଲି ଶହେ ଟଙ୍କା । ସେମାନେ ଦି ପଇସା ରୋଜଗାର କରିବାକୁ ଆସିଛନ୍ତି । ଛାଡ଼ିବେ କାହିଁକି ? କିଏ ତ କାହାର ଶତ୍ରୁ ନୁହନ୍ତି । ଜୟପୁର ଇଷ୍ଟେଟ୍ । ଫରେଷ୍ଟ୍‍ ବାବୁ ତା’ର ମାରୁଛି । ରେ ବିନି ବାବୁ, ଦେଶସେବକ, କର୍ମୀବାବୁ ଯେ ଯେମିତି ମାରୁଛନ୍ତି । ସମସ୍ତଙ୍କର ପେଟପାଟଣା ଅଛି । ତାଙ୍କ ପାଉଣା ତାଙ୍କୁ ଦେଇ ସାରି ତୁମେ ସବୁ ଯାକ ନିଅ ପଛକେ କିଛି ଆପତ୍ତି ନାହିଁ ।

 

ଧନ୍ୟ ଦେଶ ସେବକ ! ଧନ୍ୟ ଅଫିସର ଦଳ ! ଏଇମାନେ ପୁଣି ଗଢ଼ିବେ ସ୍ୱାଧୀନ ଭାରତ ? ଗାନ୍ଧିଜୀଙ୍କ ସ୍ୱପ୍ନର ରାମ ରାଜ୍ୟ ? ଦେଶରେ ହେବ ଶୋଷଣ ହୀନ ସ୍ଵରାଜ୍ୟ ପ୍ରତିଷ୍ଠା ? ଦେଶ ସେବାର ନାଁରେ ଯେଉଁ କର୍ମୀ ବା କର୍ମଚାରୀମାନେ ତତ୍ପର ବୋଲି ଦେଖାଇ ହୁଅନ୍ତି, ତାଙ୍କର ଅସଲ ପରିଚୟତ ଏଇଆ । ତେବେ ମୁକ୍ତି କାହିଁ ? ଦୋଷ ଆଉ କାହାର ? ତାରି ପରି ଏଇ ଦେଶର ଅର୍ଦ୍ଧାଧିକ ନିଃସ୍ଵ, ଅଜ୍ଞ ଜନତାର ନା ସୁବିଧାବାଦୀ ଏଇ ସ୍ୱତନ୍ତ୍ର ଗୋଷ୍ଠୀର ? କେଚା ଭାବେ-। ଭାବୁ ଭାବୁ ସବୁ ଗୋଳମାଳ ହୋଇଯାଏ । କେଚା ମଦ ରାନ୍ଧେ । କିନ୍ତୁ ପାଏ କଣ ? ସବୁତକ ଦାନ ଧ୍ୟାନରେ ଶ୍ରାଦ୍ଧ ହୋଇଯାଏ । ଏତେ ବଡ଼ କୁଟୁମ୍ଭ । ଚଳିବେ କେମିତି ।

 

ସେଦିନ ରାତିରେ ଉପବାସରେ ଶୋଇ ଶୋଇ କେଚା ଭାବୁଥାଏ ଏଇ ଅନ୍ଧାର ଦୁନିଆ କଥା । ଏତେ ଦୁଃଖ ଏତେ କଷ୍ଟ କରି ତାର ପେଟ ତ ପୂରିଲା ନାହିଁ । ଜମି ବାଡ଼ି ବନ୍ଧା ପଡ଼ିଲା ଛନ୍ଦା କେହି ଆହା ବୋଲି କହିଲେନି । ଏ ଭୂତର ବୋଝ ବୋହି ଲାଭ କଣ ? ନା ଆଉ ନୁହେଁ । ସେ ଆସାମ ଯିବ । ତାରି ଗାଁ ର ଲେନ୍ଦୁ, ଡେବରା, ବଇଶାଖୁ ତ ପୁଣି ଚାକିରୀ କରୁଛନ୍ତି ଆସାମର ଚା ବଗିଚାରେ ।

 

ମନେ ମନେ ପଣ କଲା, ଆଉ ମଦ ଖାଇବ ନାହିଁ । ମଦ ରାନ୍ଧିବ ନାହିଁ । ଛି, ଛି, କଣ ନ କଲା ସେ । ଏତେ ବଡ଼ ଗୌନ୍ତିଆ ଘର ? ଆଜି କିଛି ନାହିଁ । ମଦ କଣ ନ କରେ ? ମଦରେ ସବୁ ଗଲା । ଯଦି କେବେ ମଣିଷ ହେବତ ଫେରିବ ଗାଁ କୁ । ନହେଲେ ନାହିଁ ।

 

ଭାବି ଭାବି ନିଦ ଆସିଗଲା, କିନ୍ତୁ ଉତ୍ତେଜନାଟା କମି ନାହିଁ ତାର । ନିଦରେ ବି ସେ ଦେଖିଲା, ଆସାମର ଚା ବଗିଚାର ସପନ ପଇସାର ସପନ ।

 

ପରଦିନ ଭୋର । କାହାକୁ କିଛି କହିଲା ନାହିଁ । ନୂତନ ଆଶା ବୁକୁରେ ବାନ୍ଧି ବାହାରି ପଡ଼ିଲା ଅନିଶ୍ଚିତ ପଥରେ ଆସାମ ଦେଶକୁ ।

 

ଚାଲିଛି ସେ । କେତେ ମାଇଲ ଯିବା ପରେ ପଡ଼ିଲା ପକ୍କା ପୋଲଟିଏ । ରାସ୍ତାଟି ଭଲ-। କିନ୍ତୁ ମଝିରେ ମଝିରେ ସରୁ। ଦୁଇଟି ଶଗଡ଼ ଏକ ସମୟରେ ଯା ଆସ କରି ପାରେନା । ଶଗଡ଼ ଛିଡ଼ା ହୁଏ ରାସ୍ତାକଡ଼ର ନାଳ ପାଖକୁ ଲାଗି । ରାସ୍ତାଟିରେ ଗଡ଼ାଣି ଉଠାଣି ବେଶୀ-। ଅନେକ ଜାଗାରେ କସନ-ବୋର୍ଡ ଲଗାଯାଇଛି ।

 

ଦୂରରେ ଗୁଳ୍ମାଚ୍ଛାଦିତ ସବୁଜ ଗିରି୍‍ଶୃଙ୍ଗ । ପାଦ ଦେଶରେ ଝରଣା ବହି ଚାଲିଛି ଦୂରକୁ ବହୁ ଦୂରକୁ । ଦୁଇ ପାଖରେ ଘନ, ଶାଳ, ପିଆଶାଳ ବଣ । ବେଶ୍ ସୁନ୍ଦର । ଏକୋଇଶି ମାଇଲ ବାଟ ଚାଲି ଚାଲି ଯେତେବେଳେ ସେ ଆସି ଅମରକୋଟ ପାଖରେ ପହଞ୍ଚିଲା ସେତେବେଳକୁ ସନ୍ଧ୍ୟା ପାଞ୍ଚଟା । ଟି, ଡ଼ି. ଏଲ. ଏ. ବାସ୍ ଅପେକ୍ଷା କରିଛି ଆସାମ ଯିବା କୁଲିମାନଙ୍କୁ ବିଜୟନଗର ଷ୍ଟେସନରେ ନେଇ ପହଞ୍ଚାଇ ଦେବାପାଇଁ ।

 

୧୯୪୨ ମସିହା । ଦ୍ୱିତୀୟ ମହାଯୁଦ୍ଧ ସମୟ । ଆକାଶରେ ଗର୍ଜ୍ଜନ କରି ଉଡ଼ି ଯାଉ ଥାଏ ବୋମାବାହୀ ଜାପାନୀ ଉଡ଼ାଜାହାଜ ହିଟ୍‍ଲର୍ ସଙ୍ଗେ ମିଳାଇଥାନ୍ତି ଜାପାନୀ, ଇଟାଲି ପ୍ରଭୃତି ଅକ୍ଷଶକ୍ତି । ମହାଯୁଦ୍ଧର ସେହି ବିଭୀଷିକାରେ ଦେଶର ପ୍ରତି ମନୁଷ୍ୟର ଜୀବନ ହୋଇଉଠିଥାଏ ବିପର୍ଯ୍ୟସ୍ତ । ତୋପ କମାଣର ସହସ୍ରମୁଖ ଅଗ୍ନିଗୋଲକର ଆଘାତରେ ଦେଶ ପୋଡ଼ି ହେଲା ଛାରଖାର । ହେଲା ଧ୍ୱଂସର ଲୀଳାଭୂମି । କେତେ କୋଠା ଯେ ବୋମାମାଡ଼ରେ ଭାଙ୍ଗି ଚୁରମାର ହେଲା; କେତେ କଳକାରଖାନା ଯେ ମାଟିରେ ମିଶିଲା ତାର ହିସାବ ନାହିଁ ।

 

ବଡ଼ ବଡ଼ ସହର ପ୍ରାୟ ଫାଙ୍କା । ପ୍ରାଣ ଭୟରେ ଲୋକେ ଦୂରକୁ ପଳାଉଥାନ୍ତି । ନୂତନ ସ୍ଥାନକୁ ଯିବା ପାଇଁ କାହାରି ସାହସ ନାହିଁ । ଏପରିକି ବ୍ରହ୍ମଦେଶ ସୀମାନ୍ତ ଅଞ୍ଚଳର ଲୋକ ବି ଭୀତତ୍ରସ୍ତ ହୋଇ ଉଠୁଥାନ୍ତି । ଭୟଙ୍କର ଆତଙ୍କ । ଭୟରେ ମଣିଷର ଆହାର ନିଦ୍ରା ବନ୍ଦ । ତଥାପି କେଚାକୁ ଯିବାକୁ ପଡ଼ିଥିଲା ସେହି ସୁଦୂର ଆସାମଦେଶକୁ ।

 

ଟ୍ରେନରେ ଜନସମୁଦ୍ର । ଅଧିକାଂଶ ଡବା ମିଲିଟାରୀଙ୍କ ପାଇଁ ରିଜର୍ଭ । ବାଟରେ ଗାଡ଼ି ରହୁଛି । ଲୋକେ ଚଢ଼ୁଛନ୍ତି ଓଲ୍ଲାଉଛନ୍ତି । ଏହି ଭିଡ଼ ମଧ୍ୟରେ ଯିବା ଲୋକଠାରୁ ଆସିବା ଯାତ୍ରୀଙ୍କ ସଂଖ୍ୟା ବଢ଼ୁଛି । କେଚା ତାର ପୁଟୁଳି ଉପରେ ସବାର ହୋଇଛି ଯେପରି ସେ ମାଲ୍‍ଗାଡ଼ିର ଗୋଟିଏ ପ୍ୟାକକରା ମାଲ୍ ।

 

ହତଭାଗ୍ୟ ବିଚରା କେଚା । ଯାଇ ପ୍ରଥମେ ପହଞ୍ଚିଲା ହାବଡ଼ା ଷ୍ଟେସନରେ । ଏତେ ବିଚିତ୍ର ଲୋକଙ୍କର ଅଦ୍ଭୁତ ସମାବେଶ ସେ ତା ଜୀବନରେ କେବେହେଲେ ଦେଖିନି । ଷ୍ଟେସନରେ କୋଳହୋଳ-ଚରମ ବ୍ୟସ୍ତତା । ପୃଥିବୀରେ ଯେ ଏତେ ବିଚିତ୍ର ଧରଣର ମଣିଷ ଅଛନ୍ତି ତାର ସେ ଧାରଣା ଆଗରୁ ନଥିଲା । ବର୍ତ୍ତମାନ ଦେଖି ମନରେ ବଡ଼ ଭୟ ଆସିଗଲା ।

 

ଗାଡ଼ିରୁ ଓହ୍ଲାଇ ଟ୍ରାମ୍, ବସ୍ ଓ ଲରୀ ଦେଖି ଏକାବେଳେ ବୋକା ବନିଗଲା । ଆଗରେ ପଛରେ କେତେ ଗାଡ଼ି କେତେ ଲୋକ । ଘର ଉପରେ ଘର, କୋଠା ଉପରେ କୋଠା, ଛୋଟ ଘର, ବଡ଼ ଘର, ଅଗଣିତ ଘର । ତାଜୁବ୍ ବ୍ୟାପାର । ଏମାନଙ୍କ ଭିତର ଦେଇ ସେ କିପରି ବାହାରକୁ ଯିବ ? ଷ୍ଟେସନ୍‍ରୁ ଚାଲି ଚାଲି ଆସିଥିଲେ ସେ ଯେ ଗାଡ଼ି ଚାପା ପଡ଼ି ନଥାନ୍ତା ଏଥିରେ କଣ ଆଉ ସନ୍ଦେହ ଥିଲା ? ଭାଗ୍ୟକୁ ଗାଡ଼ିରେ ବସି ଆସିଛି । ତେଣୁ ରକ୍ଷା ।

 

ପହଞ୍ଚିଲା ଆସାମର ଡିବ୍ରୁଗଡ଼ ସହରର । ପିଚୁ ଢଳା ବଡ଼ ବଡ଼ ରାସ୍ତା । ରାସ୍ତାର ଦୁଇପାଖରେ ଧାଡ଼ି ଧାଡ଼ି ଗଛ । ବଗିଚା ଓ ଅସଂଖ୍ୟ ଘର । ଘର ଗୁଡ଼ିକ ବହୁ ପୁରୁଣା । ବଡ଼ ରାସ୍ତାକୁ ଲାଗି ଘରର ଗେଟ୍ । ଗେଟ୍ ପଛରେ କୋଡ଼ିଏ ପଚିଶି ଗଜ ଯାଗା ଫୁଲ ବଗିଚା । ପଛକୁ ଧାଡ଼ି ଧାଡ଼ି ଶ୍ରମିକ କ୍ୱାଟର । ସବୁ ଟିଣ ଘର । ନିକଟରେ ଶହ ଶହ ମିଲିଟାରୀ ତମ୍ବୁ । ପଥ, ଘାଟ, ଟ୍ରେନ୍, ବସ୍ ବ୍ୟବସ୍ଥା । ଫାଙ୍କା ଜାଗା । ପାଣି ପବନ ଭଲ । ସବୁ ଜିନିଷ ଶସ୍ତା ।

 

ଭାଦ୍ରବ ମାସର ସୁନୀଳ ଆକାଶ । ଶାନ୍ତ ସୁନ୍ଦର । ସାରା ପଶ୍ଚିମ ଚକ୍ରବାଳ ଘେରି ସୂର୍ଯ୍ୟାସ୍ତର ଅପୂର୍ବ ବର୍ଣ୍ଣଛଟା । ବିଚିତ୍ର ରଙ୍ଗର ମେଘପାହାଡ଼-ମେଘରଦୀପ-ମେଘର ସମୁଦ୍ର । ଯେପରି ମେଘର ସ୍ୱପ୍ନପୁରୀ । ଏ ସବୁ ସହିତ ତାର ପ୍ରଥମ ପରିଚୟ ଏଠି।

 

କିନ୍ତୁ ଚାକିରି ପାଇଁ ଆସାମର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଏକାନ୍ତ ଅସହାୟ ଭାବରେ ଘୂରିବାକୁ ପଡ଼ିଥିଲା ତାକୁ। ହୋଇଥିଲା ଶ୍ରାନ୍ତ ଆଉ କ୍ଲାନ୍ତ । ଦୁନିଆରେ ବଞ୍ଚି ରହିବା ଭଳି ଗୋଟାଏ ସୁଯୋଗ ପାଇଁ । ଶେଷରେ ପାଇଥିଲା ଖଣ୍ଡିଏ କାମ ଚା ବଗିଚାରେ ।

 

କିନ୍ତୁ ଏଠିକି ଆସିବା ଦିନଠାରୁ ତାକୁ ଏ ଦେଶ ଆଉ ଭଲ ଲାଗୁନି । ସେ ଥିଲା କେଉଁଠି ଆସିଲା କେଉଁଠିକି । ମନ ତାର ରୁକ୍ଷ ଓ ଶୁଷ୍କ । କେବଳ ଯେ ତାର ମା, ପିଲା ଓ ଭାଇମାନଙ୍କ କଥା ମନେପଡୁଛି ତା ନୁହେଁ । ତାର କାରଣ ଅଲଗା । ମନ ତାର ଯାଇ ସେହି ବାଗବେଡ଼ା ଗାଁ ରେ ବନ୍ଧା ପଡ଼ିଛି । ସେ ଜନ୍ମଠାରୁ ଘରଛାଡ଼ି କେବେ କେଉଁଠିକି ଯାଇ ନଥିଲା । ସେହି ଗାଁ ବଣ, ନଈକୂଳ, ରାଇଘର ହାଟ ପର୍ଯ୍ୟନ୍ତ କେବଳ ଥିଲା ତାର ଦୌଡ଼ ।

 

ଏଠିକି ପାଠକମାନଙ୍କର ଜାଣିବା ପାଇଁ ଅମରକୋଟ ତାଲୁକ ଗଣ୍ଡ ଆଦିବାସୀମାନଙ୍କ ସାମାଜିକ-ଜୀବନ ସମ୍ବନ୍ଧରେ କିଛି ଧାରଣା ଦେବା ଦରକାର ।

 

ଏହି ସବୁ ଗଣ୍ଡମାନଙ୍କର ଜୀବନ ଦର୍ଶନ ସମ୍ପୂର୍ଣ୍ଣ ଅଲଗା । ବଳିଷ୍ଠ ଚେହେରା ହେଲେହେଁ ଅଧିକାଂଶ କଳା କଳା । ରୋଗ ହେଲେ ଶିରା ବସାନ୍ତି । ଦେବତାଙ୍କ ପାଖରେ ପାରା ଓ କୁକୁଡ଼ା ବଳି ଦିଅନ୍ତି । ସେମାନେ ବଡ଼ ସରଳ କିନ୍ତୁ ଅଳସୁଆ । ଅଳ୍ପରେ ସନ୍ତୁଷ୍ଟ ଉଚ୍ଚ ଆଶା ନାହିଁ । ଶିକ୍ଷା ପ୍ରତି ଆଦର ନାହିଁ । ବିଦେଶ ଯିବାକୁ ଇଚ୍ଛୁକ ନୁହନ୍ତି । ପଇସାଟି ହାତରେ ପଡ଼ିଲେ ଖର୍ଚ୍ଚ କରିବାକୁ ତତ୍ପର । ରନ୍ଧା ମହୁଲ ଓ ସଲପ ମଦଖାଇ ସର୍ବଦା ମାତାଲ । ପ୍ରତି ଗାଁରେ ମଦ ଭାଟି । ଟିକକ କଥାରେ ରଗାରଗି । ଅଥଚ ଶାନ୍ତ ଆତିଥ୍ୟ ପରାୟଣ ।

 

ପରସ୍ପର ମନ ନ ମିଳିଲେ ସ୍ତ୍ରୀ ଅନ୍ୟ ପୁରୁଷକୁ ଓ ପୁରୁଷ ଅନ୍ୟ ସ୍ତ୍ରୀକୁ ଗ୍ରହଣ କରେ । ଏପରିକି ଜଣେ ଜଣେ ସ୍ତ୍ରୀ ଚାରି ପାଞ୍ଚଟା ପର୍ଯ୍ୟନ୍ତ ସ୍ୱାମୀ କରନ୍ତି । ସେଇଟା ତାଙ୍କ ସମାଜରେ ନିନ୍ଦନୀୟ ନୁହେଁ । ସମୟେ ସମୟେ ଅନ୍ୟର ବିବାହିତ ସ୍ତ୍ରୀକୁ ମଧ୍ୟ ମନ ମିଳିଗଲେ ଧରି ଆଣନ୍ତି । ସ୍ୱାମୀ ତାର ବିବାହ ଖର୍ଚ୍ଚ ପାଇଲେ ସେଇଠି ତାର ସମାଧାନ । ଟଙ୍କା ନ ପାଇଲେ ସ୍ୱାମୀ ତାର ସେହି ସ୍ତ୍ରୀକୁ ଫେରାଇ ନିଏ ।

 

ନାରୀମାନେ ପରିଶ୍ରମୀ । ବେପାର ବଣିଜ, ହାଟବାଟ ସବୁ ତାଙ୍କରି ହାତରେ । ସେହିମାନେ ହିଁ ପ୍ରକୃତରେ ଘରର ମାଲିକ । ସେମାନେ ବିଲରେ ଧାଡ଼ି ଧାଡ଼ି ହୋଇ କାମ କରନ୍ତି–ଗୀତ ଗାଆନ୍ତି । ପ୍ରତ୍ୟେକ କାମରେ ସ୍ତ୍ରୀ ଆଗ ପଛେ ପୁରୁଷ । ଲଜ୍ୟା ବା ସଙ୍କୋଚର ପ୍ରଶ୍ନ ନାହିଁ-। ଯେପରି ଗୋରା ସାହେବୀ ଫେସନ ।

 

(୨)

 

କେଚା ଆସାମ ଯିବାର ପ୍ରାୟ ସାତ ଆଠ ବର୍ଷ ହୋଇଗଲାଣି । ଭାଇମାନେ କନ୍ୟାଜୋଲା ଛ’ କୋଡ଼ି ଟଙ୍କା ଓ ଗୋଟିଏ ଗାଈ ପାଇ ଝିଅ ମଶାନ୍‍କୁ ବାହା ଦେଇଛନ୍ତି ଆଡ଼ବାୟା ଲିଟି ମାଝିକୁ । ଦୁଇଦିନ କାଳ ଭୋଜି ଚାଲିଛି । ହାଣ୍ଡିଆ ମଦ ଓ ମହୁଲ ମଦ ବି ସାରିଛି କାଉଡ଼ି କାଉଡ଼ି । ମହୁରୀଆ ମହୁରୀ ବଜେଇଛି । ନାଚ ଗୀତ ସବୁ ହୋଇଛି ।

 

ବାହାଦିନ ମଶାନ୍‍ ତାର ବାପା କେଚାକୁ ଓ ମା ସମ୍ୱାରୀକୁ କେତେ ମନେ ପକେଇ କାନ୍ଦୁଛି । ସେ ଗୌନ୍ତିଆ ଘର ଝିଅ । ମାଆ ତ ନାହିଁ । ବାପା ଘରେ ଥିଲେ ସେ କଣ ଲିଟିପରି ଗୋଟାଏ ଅପଦାର୍ଥର ହାତ ଧରିଥାନ୍ତା ? ତାର କରମ ମନ୍ଦ । କହିବ କାହାକୁ ?

 

ଯୁବତୀ ମଶାନ୍‍ ଶାଶୁଘରକୁ ବୋହୂ ହୋଇ ଆସିଲା ଅମରକୋଟକୁ । ଶାଶୁ ଘରେ ତାର ବୁଢ଼ୀ ଶାଶୁ, ଗେରସ୍ତ ଓ ଗୋଟିଏ ସାନ ନଣନ୍ଦ ଛଡ଼ା ଆଉ କେହି ନାହାନ୍ତି ।

 

କ୍ରମେ ବାପ, ଭାଇ, ଆଈ ସବୁଦୂରକୁ ଚାଲିଗଲେ ଝାପସା ହୋଇ । କଟିଗଲା ଗୋଟାଏ...ଦୁଇଟା...ତିନିଟା ବର୍ଷ । ସୁଅ ପାଣି ପରି ବିତିଗଲା ତାର ସୁଖ ଆଉ ଆନନ୍ଦର ଦିନ । ଅଦିନଝଡ଼ ଆସିଲା ତାର ଜୀବନ ଆକାଶରେ ।

 

ସକାଳୁ କାଉ କା କହିବା ବେଳଠାରୁ ସଞ୍ଜପହର ଯାଏ ରନ୍ଧାବଢ଼ାଠାରୁ ଆରମ୍ଭ କରି କୁଲି ଭୁତି କରିବା ପର୍ଯ୍ୟନ୍ତ ମଶାନ୍‍ ଘରେ ବାହାରେ ଖଟେ । ଶାଶୁ ବା ନଣନ୍ଦ କିଛି କାମ ନକରି ଖାଲି ବସିଥାନ୍ତି । କୌଣସି ଦିନ ଯେବେ ତା ଦେହ ଭଲ ନଥାଏ ବା ନିଦରୁ ଉଠିବାରେ ଟିକେ ବିଳମ୍ବ ହୁଏ, ତେବେ ସେ ଦିନଆଉ ମଶାନ୍‍ର ରକ୍ଷା ନାହିଁ । ମାଡ଼ ଉପରେ ମାଡ଼ । ଗୋଗଛ ବାଡ଼ିଆ । ଅତ୍ୟାଚାରର ବିରାମ ନାହିଁ । ସେଥିରେ ମା ସହିତ ଲିଟି ମିଶିଯାଏ । ସେ ଦିନଟି ମଶାନ୍‍ର ଭୋକ ଉପାସରେ କଟେ। ସେମାନେ ଖାଇ ଦିଅନ୍ତି ସବୁ । ତା ପାଇଁ କିଛି ନ ଥାଏ । ହାଣ୍ଡି ମାଙ୍କଡ଼ଚିତ୍ ମାରେ । ଦିନେ ଦିନେ ଏପରି ଅତ୍ୟାଚାର ହୁଏ ଯେ ସମସ୍ତଙ୍କ ଖାଇବାପରେ ମଶାନ୍‍ ପାଇଁ ଯାହା ଉଚ୍ଛିଷ୍ଟ ରହେ ସେଥିରେ ବି ମାଟି ପାଉଁଶ ମିଶାଇ ଦିଆଯାଏ । ସେ ଥାଏ କିନ୍ତୁ ନୀରବ । କାଷ୍ଠ ପିତୁଳାଟିପରି ନିଷ୍ପନ୍ଦ ।

 

ମଶାନ୍‍ର ଟିକିଏ କୁତ୍ସା ଗନ୍ଧ ପାଇଲେ ବା ସେ କେଉଁଠିକି ବୁଲିଗଲେ ତାକୁ ଗଦା ଗଦା କୈଫିୟତ ଦେବାକୁ ପଡ଼େ । ଦିନକୁ ଦିନ ସନ୍ଦେହ ବଢ଼େ । ମଶାନ୍‍ର ଛାଇ ପଡ଼ିଲେ ସେମାନଙ୍କର ନାହିଁ ଡ଼ିଏଁ । ସେମାନଙ୍କର ଇଚ୍ଛା କୌଣସି ପ୍ରକାର ଲାଞ୍ଚନା ଦେଇ ମଶାନ୍‍କୁ ଘରୁ ତଡ଼ିଦେବା । ଖାଲି ଛିଦ୍ର ଖୋଜିବାରେ ଲାଗିଥାନ୍ତି ।

 

ମଝିରେ ମଝିରେ ବଡ଼ କଷ୍ଟହୁଏ ମଶାନ୍‍ର । ଦିନ ରାତି ଯେତେ ଖଟିଲେବି ତାରି ଅବସ୍ଥା ଶାଶୁ କି ସ୍ୱାମୀ କେହି ବୁଝନ୍ତିନି । ସବୁ କରି ମଧ୍ୟ କାହାରି ମନ ପାଏନା । ତେବେ ଏ ଦୁନିଆରେ ତାର ବଞ୍ଚି ରହିବାର ମାନେ ? ଯଦି ଆତ୍ମମର୍ଯ୍ୟାଦା ବୋଲି ଗୋଟିଏ ଜିନିଷ ନାହିଁ ତେବେ ସେପରି ବଞ୍ଚିବାର ମୂଲ୍ୟ କଅଣ ? ଦୁନିଆରେ ତାର ତେବେ କି ଅଧିକାର ଅଛି ବଞ୍ଚିବାକୁ? ଅପମାନିତ ହୋଇ ଦୋନାଏ ପେଜ, ଖଣ୍ଡେ ଚିରାଖଦି ପାଇଁ କୁକୁରପରି ପଡ଼ି ରହିବାର ଲାଭ ? ନା, ଆଉ ନୁହେଁ ।

 

ନଈ ନାଳର ପାଣିତ ଆଉ ଶୁଖିଯାଇନି । ସେ କଣ ତାକୁ କୋଳରେ ଆଶ୍ରୟ ଦେବେନି-? ଖଦିଟା ପାଦରେ ବାନ୍ଧିଦେଇ ଡେଇଁ ପଡ଼ିଲେ ତ ମୁକ୍ତି ।

ଶେଷରେ ଶାଶୁ ବୁଢ଼ୀକି ବି ସୂତ୍ର ମିଳିଗଲା । ସେ ଲିଟିକି ଡାକି କହିଲା, ‘‘ ଆରେ ! ଯଦି ତୋର ଏପରି ମାଇକିନା ରଖିବାର ଇଚ୍ଛା ଆମେ ମା ଝିଅ ଏଠୁ ବାହାରି ଯାଉଛୁ । ତା ମୁହଁରେ ଟିକିଏ ଲାଜ ନାହିଁ ? ମନର ସୁଆଦ ମେଣ୍ଟାଇବା ପାଇଁ ଏ ଘର ସେ ଘର ବୁଲୁଛି । ଚରିତ୍ର କଥା କାହିଁକି କହୁଛୁ । ଗୁଣରସାଗର ରତ୍ନାକର । ତୁଳନା ଦେବାକୁ ହେବ ନାହିଁ । କହିଲେ କୁଳ କୁଟୁମ୍ଭକୁ ଲାଜ, ନ କହିଲେ ଚଳୁନି । ତୁତ ଏଇ କେତେଦିନ ହେଲା ଘରେ ନ ଥିଲୁ ଜାଣିବୁ କେମିତି ? ହଁ, ଏ ଠୁସୁକି ଟୋକି କ’ଣ କରୁଛି ନା ବେହେଡ଼ା ଗାଁର ଗୋଟିଏ ଫୋରେଷ୍ଟ ଗାର୍ଡ ସାଙ୍ଗରେ ମିଶାମିଶି କରୁଛି । ଗାଁ ଲୋକେ ଦୁଇ ତିନିଥର ଦେଖିଲେଣି । ଅନେକ ଦିନ ହେଲା ଏ କାଣ୍ଡ ଚାଲିଛି । ତାର ଚରିତ୍ର ବଡ଼ ଖରାପ । ଆମର ମନମର୍ଯ୍ୟାଦା ସବୁ ଗଲା । କାହାକୁ କହିବ ? ଘୋର କଳି ବାପା, ଘୋର କଳି । ଆମ୍ଭେମାନେ କ’ଣ ଦିଣ୍ଡା ହୋଇ ନଥିଲୁ । ସେ ଦିନ ଆଉ ଏ ଦିନ ? ଢେର ତଫାତ୍ ଅନେକ ତଫାତ୍ ପୋଡ଼ା ମୁହିଁ କଣ ନ କଲା ?

ମା’ର କଥା ଉପରେ ବିଶ୍ୱାସ ରଖି ଲିଟି ରାଗରେ ଖୁଣ ହୋଇଉଠିଲା । ମଶାନ୍‍କୁ ଡାକି କହିଲା, ‘‘କାହିଁକି ଏତେ ଜଳଉଛୁ ଭଲା ? ଯେତେ ନିନ୍ଦା ଅପମାନ ସବୁ ତୋରି ଯୋଗୁଁରୁ । ତୁ ଏକା ସର୍ବନାଶର ମୂଳ । ଯା, ବାହାରିଯା କହୁଛି । ତୋର ଆଉ ଏ ଘରେ ଆଜିଠାରୁ ସ୍ଥାନ ନାହିଁ-।’’

କିଏ କହେ ନାରୀ ସହଧର୍ମିଣୀ ? ପୁରୁଷର ଅର୍ଦ୍ଧାଙ୍ଗିନୀ ? ତା ପରି ହତଭାଗିନୀ ଆଉ କିଏ ଅଛି ଏ ଦୁନିଆରେ । ସେ ଭାବେ ତାର ଏ ଜୀବନ ଯୌବନ କାହିଁକି ? କାହିଁକି ତାର ଏ ସୃଷ୍ଟି-!

 

ଉଦରରେ ଅନ୍ନ ନାହିଁ । ହୃଦୟରେ ଶାନ୍ତି ନାହିଁ । ଜାଣେନା ମଣିଷର ଏପରି ବ୍ୟବହାର କାହିଁକି ? ଶାଶୁ ତାର ବୟସରେ ବୁଢ଼ୀ । ପୁଅ ସାଙ୍ଗରେ ହସି ଖେଳି ମାତୁଛି । ଦୁଇଦିନ ହେଲା ପେଟ ଜଳୁଛି । ଏଣେ ମା ପୁଅ ମଦ ମାଉଁସ ଖାଇ ଆନନ୍ଦରେ ବିଭୋର । କାଲିଠାରୁ ‘‘ବାହାରିଯା,‘‘ବାହାରିଯା’’ ବୋଲି କହୁଛନ୍ତି । ଛି ଏ ଜୀବନ ।

 

ସେ କାନ୍ଦିଲା । ମନେ ମନେ ବିଧାତାକୁ କେତେ ଗାଳି ଦେଲା । ତଥାପି ମୁହଁ ଫିଟାଇ କିଛି ଉତ୍ତର ଦେଲାନି । ପ୍ରତିବାଦ କରିବାର ଅଭ୍ୟାସ ତାର ନାହିଁ କେଉଁ ଦିନ ।

 

ଏ ଶତ୍ରୁ ପୁରୀରେ ବାସ୍ତବିକ ସେ ଆଉ ରହିପାରିବ ନାହିଁ । ରହିଲେ ବରଂ ସେ ପାଗଳିନୀ ହୋଇଯିବ । ଗୋଟାଏ କିଛି ତାକୁ କରିବାକୁ ପଡ଼ିବ । କେଉଁଠି ଭିକ୍ଷା କରି ବଞ୍ଚିବ ସିନା, ଏ ଘରେ ଆଉ ନୁହେଁ । ନିଜକୁ ସ୍ଥିର ରଖି ନ ପାରି କଇଁ କଇଁ ହୋଇ କାନ୍ଦି ଉଠିଲା ମଶାନ୍‍ ।

 

ଫେରିଯାଇ ଲିଟିର ଗୋଡ଼ ଧରି କହିଲା, ‘‘କ୍ଷମା କର ମୋତେ । ତୁମେ ମୋର ଗେରସ୍ତ, ମୋର ଦେବତା । ଯେଉଁ ଦଣ୍ଡ ଦେବ ସେ ଦଣ୍ଡକୁ ମୁଁ ମୁଣ୍ଡପାତି ସହି ନେବାକୁ ପ୍ରସ୍ତୁତ କିନ୍ତୁ ମୁଁ କିଛି ଦୋଷ କରିନି । ତଥାପି ତୁମର କଡ଼ା କଡ଼ା କଥା; ନିନ୍ଦା ଅପବାଦ ଓ ଦାନାକନାର କଷ୍ଟ ଆଉ ସହି ପାରିବିନି । ଯାଉଛି, ଆଶୀର୍ବାଦ କର । ଯେପରି ଏଇ ଦେହ ପାପ ପଙ୍କିଳ ଦୋଷରେ କେବେ କଳଙ୍କିତ ନହୁଏ ।

 

ନିଷ୍ଠୁର ଲିଟିର ପାଷାଣ ହୃଦୟ ତରଳିଲା ନାହିଁ । ସେ ମଶାନ୍‍କୁ ଗୋଡ଼ରେ ଫିଙ୍ଗି ଦେଇ ରାଗ ତମ ତମ ହୋଇ ଉଠିଗଲା ଅନ୍ୟଆଡ଼କୁ ।

 

ମଶାନ୍‍ ଭାଗ୍ୟଫଳ ବୋଲି ଆଦରି ରହିଛି । ଅଶ୍ରୁଭରା ଆଖିରେ ସବୁ ନୀରବରେ ସହି ଯାଇଛି । ଖାଲି ଭାବୁଛି ଯଦି ଦୁନିଆରେ ଭଗବାନ ଥାଏ ତେବେ ସେ ନିଶ୍ଚୟ ପାପପୁଣ୍ୟର ବିଚାର କରିବ ।

 

ସେ କଣ ଚାହିଁଥିଲେ ଆଉ ଥରେ ନୂଆ କରି ଘର ସଂସାର କରି ପାରି ନଥାନ୍ତା ? ତାଙ୍କରି ଗାଁରେ ଚଞ୍ଚଳା, ଗୁଞ୍ଜୁଳି, ଭୁସ୍‍କି, ନିରାଶ କଣ ନୂଆ ଘର କରିନାହାନ୍ତି ? ହେଲେ ବା....ସେ ସେମାନଙ୍କଠାରୁ ଅଲଗା । ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲା। କରଯୋଡ଼ି ଡାକିଲା ହେ ଭଗବାନ ! ସେମାନେ ଭଲରେ ଥାନ୍ତୁ । ମୁଁ ଏ ଘର ଛାଡ଼ି ଚାଲିଯାଉଛି । ଦିନେ ନ ଦିନେ ସେଥିପାଇଁ ଅନୁତାପ କରିବେ ତ ?

 

ମଶାନ୍‍ ଆଉ ପେଟ ଜାଳା ସହିପାରିବନି, ବାଧ୍ୟ ହୋଇ ତାକୁ ଛାଡ଼ିବାକୁ ପଡ଼ିବ ଶାଶୁଘରର ଭିଟା ମାଟି । ଆଜି ଚାରିଦିଗ ତାର ଶୂନ୍ୟ । ମା’ତ ଆଗରୁ ମରିଛି । ବାପା ତାର ନୂଆ ମା’ ରଖି ଆସାମରେ । ଆହା କହିବାକୁ କେହି ନାହିଁ । କଣ କରିବ ସେ ? ସେ ଗାଁ ଛାଡ଼ିବ ଲାଜ ସରମ ଛାଡ଼ିବ । ସେ ନଈ ସୁଅରେ ଭାସି ଯିବ କୁଟା ଖଣ୍ଡ ପରି । ସହରର ବଡ଼ ବଡ଼ ବାବୁଙ୍କ ଘରେ କାମ କରିବ । ସୁଖରେ ରହିବ । ଭଗବାନ ତ ହାତ ଗୋଡ଼ ଦେଇଛନ୍ତି । କେଉଁଠି କୁଲି କରି ହେଉ ବା ବାସନ ମାଜି ହେଉ ସେ କଣ ପେଟ ଚାଖଣ୍ଡକ ପୋଷି ପାରିବନି ?

 

ନିଶୂନ ରାତିଟା ପାହିନି । କେହି ନିଦରୁ ଉଠି ନାହାନ୍ତି । ସେ କିନ୍ତୁ ଆଉ ଶୋଇଲାନି । ବାଡ଼ି ପଟ ତାଟି ଖୋଲି ଚୁପ୍‍ କରି ଉଠିଗଲା ବାହାରକୁ । ପାଦ ଚିପି ଚିପି ଆଗକୁ ଚାଲିଲା । ଦି ପାଦ ଆଗକୁ ଯାଇ ଅଟକି ଗଲା ସେଇଠି । ପାଦ ଆଉ ଆଗକୁ ପଡ଼ୁନି । କିଏ ଯେମିତି କହୁଛି ବଣ ପାହାଡ଼ର କୁଡ଼ିଆ କଣରେ ଦୁଃଖ କଷ୍ଟରେ ପଡ଼ି ରହିବୁ ସିନା, କିନ୍ତୁ ଘର ଛାଡ଼ିବାର ଦୁଆରେ ବୁଲିଲେ ତୋର ଇଜତ ଯିବ । ଯାଆନା, ମଶାନ୍‍ ଯାଆନା ତୁ ।

 

ତଥାପି ମଶାନ୍‍ ବାହାରିଲା ନୂତନ ଆଶ୍ରୟର ସନ୍ଧାନରେ । ଆଗରେ ଗାଁ ର ଦେବତା ଗୁଡ଼ିଘର । ପାଖରେ ବଡ଼ ବଡ଼ ବୁଢ଼ା ବରଗଛ । ଓଳଗି ହେଲା ଠାକୁରାଣୀଙ୍କୁ । ଲୁହ ଗଡ଼େଇ ଦେଲା ଦୁଇ ଟୋପା । ଭୀଷଣ ଶୀତ ପଡ଼ୁଛି । ମାର୍ଗଶିର ମାସ । ଦେହ କୋଲ ମାରି ନେଉଛି । ଚାଲିଲା ଏକ ମୁହାଁ ହୋଇ । ବହୁଦିନର ବନ୍ଧନ ପରେ ସେ ଦେଖିଲା ଆଜି ସ୍ୱାଧୀନତାର ମୁକ୍ତ ଆଲୋକ ।

 

ଜନ ପ୍ରାଣୀର ଗନ୍ଧ ନାହିଁ । ବଣ—ଖାଲି ବଣ । ସେ ଚାଲିଛି ନିରୁଦ୍ଦେଶର ପଥରେ—ବିପଦ ସଙ୍କୁଳ ଅନିଶ୍ଚିତତା ମଧ୍ୟରେ । ବଣର ପଲ୍ଲୀ, ନଈ ତୁଠ, ଜହ୍ନୀ, କାନ୍ଦୁଲ କ୍ଷେତ ଓ ଶାଶୁ ଘର ନର୍କ ବନ୍ଧନ ଛାଡ଼ି । ପିନ୍ଧୁଛି ଖଣ୍ଡିଏ ସାତ ସିଆଁ ଚିରାଲୁଗା । ଲୋକ ଲଜ୍ଜ୍ୟାକୁ ତାର ଆଉ ଖାତିରି ନାହିଁ । ଜାତିମାନର ଭୟ ନାହିଁ । ସେ ଆଜି ଶାନ୍ତ । ଭୀଷଣ ଭାବରେ ଶାନ୍ତ ।

 

ଦୂର ସମ୍ପର୍କୀୟ ପିଇସୀ ପୁଅ ଭାଇ ଫୋଡ଼କା ସହିତ ଦୈବାତ୍ ବାଟରେ ଦେଖା । ତାହାରି ପରାମର୍ଶରେ ଟ୍ରକରେ ବସି ପହଞ୍ଚିଲା ଜୟପୁର ସହରରେ । ଜୟପୁର ନା ଶୁଣିଥିଲା ପିଲାଦିନେ । ଦେଖି ନଥିଲା କେବେ । ବଡ଼ ସହର—ମଣିଷ ହାଉଳି ।

 

ତଥାପି ତାର ବୟସ ନିନ୍ଦାର ସୀମା ପାର ହୋଇନି । ଚଉଦ ପନ୍ଦର ବର୍ଷ ବେଳେ ଯେଉଁ ବାଧା ଭୟ ଥିଲା ଆଜିତାର ଗଣ୍ଡି ପ୍ରଶସ୍ତ । ଅନ୍ୟର ଦୃଷ୍ଟି ଏଡ଼ି ଛିଡ଼ା ହେବ ତା ପକ୍ଷରେ ବଡ଼ କଠିନ । ବଳିଲା ବଳିଲା ହାତ ଗୋଡ଼ । ଦରିଦ୍ର ତାର ନଗ୍ନତା ଭିତରେ ରୂପର ଆଲୋକ ଦାଉ ଦାଉ ହୋଇ ଜଳୁଛି ।

 

ସଂସାରର ନିୟମ, ଜଣେ ଘୂରିବୁଲେ ରାଜପଥରେ ଭିକ ମାଗି ମାଗି । ଅନ୍ୟ ଜଣେ ବସେ ନରମ ଗଦି ଉପରେ ଆରାମରେ ତିନି ତାଲା କୋଠା ଭିତରେ । ସେହି ନିୟମର ଗତିରେ କେଚା ଗୌନ୍ତିଆର ଝିଅ ମଶାନ୍‍ ଆଜି ଅନିର୍ଦ୍ଦିଷ୍ଟ ପଥର ପଥରପଥିକ । ଭବିଷ୍ୟତର ଅନ୍ଧକାର ଭିତରୁ ସେ ଜୀବନର ସନ୍ଧାନ ପାଇଁ ଘର ଛାଡ଼ିଛି । ରାସ୍ତାକୁ ପାଦ ବଢ଼େଇଛି । ସଂଗ୍ରାମଶୀଳ ବିରାଟ ଦୁନିଆରେ ହୁଏତ ସେ ବଞ୍ଚିବ ମଣିଷ ପରି...ନ ହେଲେ ସଂଘର୍ଷ ଭିତରେ ଦଳି ପେଷି ହୋଇ ଧ୍ୱଂସ ପାଇଯିବ । ଏଇତ ଜୀବନ ?

 

(୩)

 

ଏଥି ମଧ୍ୟରେ ମଶାନ୍‍ କାମ ପାଇଛି ସହରର ଜଣେ ବଡ଼ ବାବୁଙ୍କ ପାଖରେ । ବାବୁଟି ହେଉଛନ୍ତି ଦଣ୍ଡକାରଣ୍ୟ ଯୋଜନାର ଜଣେ ବଡ଼ ଅଫିସର ।

 

ଆହା ! ଏହି ଦାଣ୍ଡକାରଣ୍ୟ ଯୋଜନାରେ ସର୍ବଭାରତୀୟ କର୍ମଚାରୀ ସମାବେଶ । କିନ୍ତୁ ଅନୁପାତରେ ଓଡ଼ିଆଙ୍କ ସ୍ଥାନ କାହିଁ ? ଓଡ଼ିଶାର ଓଡ଼ିଆ ବଡ଼ ଦୟାଳୁ—ପରଦୁଃଖ ମୋଚନ ତତ୍ପର-। ସର୍ବ ଭାରତୀୟ ପ୍ରେମ । ଭାତ ନ ପାଇ ମଲେ ବି ପଡ଼ିଶା ଭାଇ ତ ବଞ୍ଚୁଛି । ବାସ୍ତବିକ ଓଡ଼ିଆ ଭାଗ୍ୟରେ କିଛି ନାହିଁ ।

 

ମଶାନ୍‍ ଆଗରୁ ଅନେକ ଘରେ କାମ କରିଛି । ଅନେକ ପ୍ରକାର କାମ । ନିଜର ବୁଦ୍ଧି ଓ କାର୍ଯ୍ୟଦକ୍ଷତାର ଯୋଗଫଳରେ ଯେତେବେଳେ ଯାହା ଦେଖୁଛି ତାହା ଶିଖିଛି । ଯଦି ବା ଚାରିପାଞ୍ଚ ବର୍ଷ ହେଲା ମଶାନ୍‍ର ପ୍ରଧାନ କାମ ହେଉଛି ବାସନ ମଜା ।

 

ପାଞ୍ଚ ଘରର ବାସନ ମାଜିସାରି ଚାଲିଯାଏ ସେ ତାର ଦୂର ସମ୍ପର୍କୀୟ ଆତା (ପିଉସୀ) ଘରକୁ । ଆତା ସମସ୍ତ ଟଙ୍କା ନେଇ କେବଳ ଘରେ ଶୋଇବାକୁ ଜାଗା ଦିଏ । ମଶାନ୍‍ ସେ ସବୁ ଜଣେ । କିନ୍ତୁ ପ୍ରତିବାଦ କରିବାକୁ ଲାଜ ଲାଗେ ତାକୁ ।

 

ସେ ଭଲ ଚାକରାଣୀ । ତିନିଟାଟଙ୍କା ମାସକୁ ନିଏ ସିନା କିନ୍ତୁ କାମ କରେ ଛଅ ଟଙ୍କାର-। ବିନା ଆପତ୍ତିରେ ସେତିକି ଟଙ୍କା ସେ ଗ୍ରହଣ କରେ । ବାସନ ମଜା କାମରୁ ଧୀରେ ଧୀରେ ପାଣି ଗରମ କରିବା, ପରିବା କାଟିବା, ଚା, କଫି ତିଆରି କରିବା ଓ ଶେଷରେ ଜଳଖିଆ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ କାମର ପ୍ରମେସନ ହୋଇଛି ସେହି ବାବୁଙ୍କ ଘରେ ।

 

ଦିନେ ବାବୁଙ୍କ ସ୍ତ୍ରୀ ଘରେ ନଥିଲେ । ମଶାନ୍‍ ସ୍ୱ-ଇଚ୍ଛାରେ ବାବୁଙ୍କ ପାଇଁ ପରଟା, ତରକାରୀ ଓ ଚା ତିଆରି କରି ନେଇ ତାଙ୍କ ଆଗରେ ହାଜର । ବାବୁ ଏ ସବୁ ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ । ଟିକିଏ ଖାଇ କହିଲେ, ବାଃ ! ତୁ ତ ଭାରି ଭଲ ଜଳଖିଆ କରି ଜାଣୁ ?

 

ଉତ୍ତରରେ ମଶାନ୍‍ କହିଲା, ହଁ, ସେମିତି କରି ଦେଇଛି । ତୁମେ ବାବୁ ପୁରୁଷ ଲୋକ । ବାବୁଆଣୀ ନାହାନ୍ତି ବୋଲି କଣ ସକାଳ ଜଳଖିଆ ବନ୍ଦ ହେବ ?

 

—ଆରେ ତୁ ତ ଓଡ଼ିଆ ଭଲ କହୁଛୁ ?

 

—ମୁଁ ତ ହିନ୍ଦୁସ୍ଥାନୀ ନୁହେଁ ।

 

—ତେବେ ତୁ କେଉଁ ଦେଶର ?

 

—ଏଇ କୋରାପୁଟର ?

 

—ହଁ, ଆଜ୍ଞା ।

 

—କିଏ ଅଛି ତୋର ?

 

—ସମସ୍ତେ ଅଛନ୍ତି ।

 

—ଆଚ୍ଛା, ବେଶ୍ ବେଶ୍ ।

 

ବାବୁଙ୍କ ଆଖିର ଦରଦ ଦେଖି ମଶାନ୍‍ର ମନରେ ଗୋଟିଏ ଶଙ୍କା ଆସିଗଲା । ବାବୁଙ୍କର ଏତେ ଦରଦ କାହିଁକି ? ମନେ ମନେ ଏକଥା ଭାବି ଆସ୍ତେ ଆସ୍ତେ ଉଠିଗଲା ବାରଣ୍ଡାରେ ଝାଡ଼ୁ ଦେବାପାଇଁ ।

 

ଆଜି ହଠାତ୍ କାହିଁକି ତାର ବାପା, ମା’ କଥା ବାରମ୍ବାର ମନେ ପଡ଼ିଲା । ପାଣି ଝର ଝର ହୋଇ ଗଡ଼ି ଆସିଲା ଆଖି ଦୁଇଟାରୁ । ମନ ଭିତରେ ଏକ ବିରାଟ ଶୂନ୍ୟତା । ପ୍ରାଣ ଉଦବେଳିତ ହୋଇଉଠୁଛି । ପିତା ମାତାଙ୍କ ସମ୍ବାଦ ଯେପରି କାହିଁ କେତେ ଦୂର ଅତୀତରୁ ଭାସି ଆସି ମନ ନଦୀ ତୀର ବାଲୁକା ସ୍ତୁପ ଉପରେ ବାଜି ଯାଉଛି ।

 

କିଛିଦିନ ପରେ ବାବୁଙ୍କର କଟକ ଜୋନ୍‍କୁ ବଦଳି ହେଲା । ସ୍ତ୍ରୀଙ୍କ ଅନୁରୋଧରେ ସେ ମଶାନ୍‍କୁ ସାଙ୍ଗରେ ନେଇଗଲେ କଟକକୁ ।

 

ଆହୁରି କେତେମାସ ପରେ—

 

ମଶାନ୍‍ର ଦେହ ଶୁଖି ଯାଇଛି । ତାକୁ ଦେଖିଲେ ମଶାନ୍‍ ବୋଲି ଚିହ୍ନିବାର ଯୁ ନାହିଁ । ବଣର ମଣିଷ ସେ । ସହରୀ ସଭ୍ୟତାର ଆଲୋକରେ କିଛି ଦେଖିପାରୁନି । ସବୁ ଅଡ଼ୁଆ ଅଡ଼ୁଆ । ଯେପରି ସେ ଗୋଟିଏ ଜେଲ୍‍ଖାନାରେ ଆବଦ୍ଧ । ନାହିଁ ସ୍ୱାଧୀନତା—ନାହିଁ ତାର ଜାତିର, ଦେଶର, ଭାଷାର ମନମୁତାବକ ମଣିଷଟି ଏଠି । ସେ ଦେଖୁଛି ଏ ବି ଏକ ନୂତନ ଜଗତ ।

 

ଗୋଟି ଗୋଟି ହୋଇ ଜୀଇ ଉଠିଲା ତାର ମୃତ ଅତୀତର ହଜିଲା ସ୍ମୃତି । ସେଇ ଗାଁ ସେଇ ଆମ୍ବତୋଟା ମହୁଲ ଡଙ୍ଗର କେନ୍ଦୁପଦର ବାଙ୍କ ନାଳ ସବୁ ଗୋଟି ଗୋଟି ହୋଇ । ସେ ଦିନ ପରି ସେ ଆଉ ମୁକ୍ତ ଆକାଶର ପକ୍ଷୀ ନୁହେଁ । ସେ ଆଜି ପର ଘରେ ମୁଣ୍ଡ ବିକିଛି । ବାବୁଙ୍କ ଘରର ସରୁ ଚାଉଳର ଭାତ ଓ ସୁଆଦିଆ ମାଂସ ତରକାରୀ ଅପେକ୍ଷା ତାର ସେ ମାଣ୍ଡିଆ ପେଜ ଥିଲା ଲକ୍ଷକୋଟି ଗୁଣରେ ଭଲ । ସତେ କଣ ସେ ଆଉ କେବେ ଫେରିଯାଇ ପାରିବନି ତାର ସେହି କୋରାପୁଟ ଦେଶକୁ ? ଆହୁରି ତାର ମନେ ପଡ଼ିଲା ଡଙ୍ଗର ମାଳରେ ପାଚିଲା କେନ୍ଦୁ, କୁସୁମ ଫୁଲ, ମହୁଲ ଫୁଲର କଥା । ଦଳ ଦଳ ହୋଇ ଧାଙ୍ଗିଡ଼ିମାନଙ୍କ ସହିତ ଗୀତ ଗାଇ ଗାଇ ସରଗି ପତ୍ର ତୋଳିବା କଥା—ମୁଣ୍ଡକଟା ଫୁଲ ଓ ବଣର ଅନାମିକା ବାସନା ଫୁଲର ତୋଷ ଖୋସାରେ ଖୋସିବା କଥା । ସେ ସବୁ ଯେମିତି ପଛରେ ଛାଡ଼ି ଆସିଥିବା ଦିନଗୁଡ଼ିକର ଗୋଟିଏ ଗୋଟିଏ ସ୍ମୃତି ଚିହ୍ନ । ସେଥିରେ ଲାଭ ବା କଣ ?

 

ଏଣେ ଦଣ୍ଡକାରଣ୍ୟର ଜଣେ ବଡ଼ ଡାକ୍ତରଙ୍କ ଦୟାରୁ ଲିଟିର ମାନସିକ ବିକୃତି ଭଲ ହୋଇଯାଇଛି । ସେ ବର୍ତ୍ତମାନ ସୁସ୍ଥ ଓ ପୂର୍ଣ୍ଣ ଯୁବକ ।

 

ଲୋକସମ୍ପର୍କ ବିଭାଗର ପ୍ରଚାର ଫଳରେ ଲିଟି ଆସିଛି କୋରାପୁଟକୁ ପୁଲିସ୍ ଜବାନ୍ ଚାକିରୀ ପାଇଁ । ତାରି ପରି କେତେ ସଉରା, ଗଣ୍ଡ, ପରଜା, କନ୍ଧ, ବଣ୍ଡା ଓ କୋୟା ଆଦିବାସୀ ବି ସାରା ଜିଲାରୁ ଆସିଛନ୍ତି ଇଣ୍ଟର୍‍ଭିଉକୁ ।

 

ଲିଟି ଅନ୍‍ଫିଟ୍ ହେଲା ପୁଲିସ୍ ଚାକିରୀରେ । ରହିଲା ଜଣେ ବାବୁଙ୍କ ଘରେ ଚାକର ହୋଇ ମାସିକ ପନ୍ଦର ଟଙ୍କା ଦରମାରେ । କିନ୍ତୁ ମଶାନ୍‍ର ସ୍ମୃତି ଅବିରତ ନାଚି ଉଠୁଛି ତାରି ହୃଦୟ ଭିତରେ । ଆହା ! ଯଦି ତାର ମଶାନ୍‍ ଆଜି ପାଖରେ ଥାଆନ୍ତା କି ? କାହିଁ କେତେ ଦୂରରେ ପଡ଼ି ରହିଛି ଅମର କୋଟର ସେହି ବଗବେଡ଼ା ଗାଁ । ସେ ସବୁ ଅତୀତ ଭିତରେ ଡୁବିଯାଇଛି।

 

ଏଥି ମଧ୍ୟରେ ଲିଟି ଆସିଲାଣି ବାବୁଙ୍କର ପୁଅ ସହିତ ଚାରିମାସ ହେଲା କଟକକୁ । ପୁଅ ତାଙ୍କର ହେଉଛନ୍ତି ଜଣେ କ୍ରାଏଷ୍ଟ କଲେଜର ହିଷ୍ଟ୍ରି ପ୍ରଫେସର ।

 

ମଶାନ୍‍ର ଭାଗ୍ୟ ଫେରିଛି । ପୂର୍ବ ସୂର୍ଯ୍ୟ ଉଦୟ ହୋଇଛି ପଶ୍ଚିମ ଦିଗରେ । ଲିଟି ଆସିଛି କଟକ । ସେ କଣ କେବେ ଆଶା କରିଥିଲା ଲିଟିକି ଭେଟିବ ବୋଲି ଜୀବନରେ ?

 

ସେଦିନ କାର୍ତ୍ତିକ ପୂର୍ଣ୍ଣିମା । ଗଡ଼ଗଡ଼ିଆ ଘାଟରେ ବାଲିଯାତ୍ରା ମହୋତ୍ସବ । ହଜାର ହଜାର ଦର୍ଶକଙ୍କ ଭିଡ଼ ମଝିରେ ମଶାନ୍‍ ବି ଯାତ୍ରା ଦେଖି ଆସିଛି ସେଠିକି ।

 

ଲିଟି ଶୁଣିଛି ମଶାନ୍‍ ଅଛି କଟକରେ; ହେଲେ କାହାକୁ ସେ ଖବର ପଚାରିବ ? ନାଁ ଧରିବାକୁ ତାକୁ ଲାଜ ମାଡ଼ୁଛି ।

 

ମଶାନ୍‍ ବରଗଛ ମୂଳେ ଗୋଟିଏ ମୂର୍ତ୍ତି ଦୋକାନ ଆଗରେ ଛିଡ଼ା ହୋଇ କୋରାପୁଟରୁ କନ୍ଧ ପରଜା ଆଦିବାସୀଙ୍କ ମାଟି ତିଆରି ମୂର୍ତ୍ତି ଦେଖୁଛି । ଆହା ! ସତରେ କେଡ଼େ ସୁନ୍ଦର । ଯେପରି ଜୀବନ୍ତ ସେମାନେ । ଖାଲି ପାଟି ଫିଟୁନି ଯାହା ।

 

ଲିଟିର ନଜର ପଡ଼ିଲା ମଶାନ୍‍ ଉପରେ । ଜନତା ମଧ୍ୟରେ ଏ କିଏ ଜଣେ ଦିଶୁଛି ମଶାନ୍‍ ପରି ? ଏ ତ ସେ ଆଦିବାସୀ ବେଶ ପୋଷାକ ନୁହେଁ ? ଯାହାକୁ ସେ ନିଜେ ପାଞ୍ଚ ବର୍ଷ ତଳେ ଘରୁ ତଡ଼ି ଦେଇଥିଲା । ଏ କଣ ସେଇ ମଶାନ୍‍ ? ତାର ଧର୍ମପତ୍ନୀ ମଶାନ୍‍ ? ଲିଟିର ଯେପରି ସବୁ ଗୋଳମାଳ ହୋଇଗଲା । ଛାତି ତାର ପଡ଼ିଲା ଉଠିଲା

 

ତେଣେ ମଶାନ୍‍ ଲିଟିକୁ ଦେଖି ଚିହ୍ନିଲା ଚିହ୍ନିଲା ପରି ହେଉଛି । ପୁଣି ଭାବୁଛି କୋରାପୁଟର ଗଣ୍ଡ କାହିଁକି ବା ଆସିବ କଟକ ସହରକୁ ।

 

କିନ୍ତୁ ମନରେ ତାର ସରାଗ ନାହିଁ । ଆଖିରୁ ଲୁହ ବୋହିଲା ସତ—ଛାତିରୁ କୋହ ଉଠିଲା ସତ, କିନ୍ତୁ ତାହା ସହାନୁଭୂତିରେ ନୁହେଁ—ଆନ୍ତରିକତାରେ ନୁହେଁ ।

 

ଭାବିଲା, ସେ ଅପଦାର୍ଥ ଲିଟି ଏଠି କାହିଁକି ? ତାର ଭାଗ୍ୟରେ ଆହୁରି କଣ ଯେ ଲେଖାଅଛି କେ ଜାଣେ ? ଦେହରୁ ସତେ ଯେପରି ଝଲକାଏ ରକ୍ତ ଶୁଖିଗଲା ।

 

ପାଖକୁ ପାଖକୁ ଆସିଲା ଲିଟି । ମଶାନ୍‍କୁ ଭଲ ଭାବରେ ଚିହ୍ନି ପାରିଲା ।

 

ମନେ ମନେ ଭଗବାନଙ୍କୁ ଡାକି କହିଲା, ମୁଁ ହତଭାଗା ବାସ୍ତବିକ୍ ଗୁରୁତର ଅପରାଧରେ ଅପରାଧୀ । ମୁଁ ନରକର କୀଟ । ନିରୀହ ନିଷ୍କଳଙ୍କ ଚରିତ୍ରା ମଶାନ୍‍କୁ ଯେଉଁ ଦୁଃଖ ଦେଇଛି ଜଗତରେ ମୋର ସେ ପାପରୁ ମୁକ୍ତି ନାହିଁ । ଜୀବନ ମରଣରେ ମୋର ଆଉ ନିସ୍ତାର ନାହିଁ-

 

ଲିଟି ଧାଇଁଗଲା ମଶାନ୍‍ ପାଖକୁ । ମଶାନ୍‍ ମୁହଁ ବୁଲାଇଦେଲା । ସେ ଅଧୀର ଆବେଗରେ ଡାକି ଉଠିଲା ‘‘ମଶାନ୍‍! ତୁ ଏଇଠି ଅଛୁ ?’’ ତା ଆଖିରେ ଲୁହ । ବାଷ୍ପରୁଦ୍ଧ କଣ୍ଠରେ ସେ ଆଉ କିଛି କହି ପାରିଲାନି । ମଶାନ୍‍ ଅବାକ୍, ବିସ୍ମିତ ଓ ସ୍ତମ୍ଭୀଭୂତ ।

 

ପୁଣି ପ୍ରକୃତିସ୍ଥ ହୋଇ ଲିଟି ମଶାନ୍‍ର ହାତ ଦୁଇଟାକୁ ଧରି ପକାଇ କହିଲା, ‘‘କଣ ଚିହ୍ନିପାରୁନୁ ମଶାନ୍‍ ? ମୁଁ ପୁରା ତ ଲିଟି । ତତେ ଖୋଜି ଖୋଜି ଆଜି ପାଇଛି । ଆଗର ସେ ଲିଟି ତୋର ମରିଯାଇଛି ମଶାନ୍‍ ।’’

 

ମଶାନ୍‍ର ମୁଖମଣ୍ଡଳରେ ପୂର୍ଣ୍ଣଚନ୍ଦ୍ରର ଜ୍ୟୋସ୍ନା—ଚକ୍ଷୁରେ ଆନନ୍ଦର ଝଲକ ।

 

ସେହି ସମୟଠାରୁ ସମସ୍ତ ଗତ କଥା ଭାସିଗଲା ଦୂରକୁ । ଉଭୟେ ସ୍ଥିର କଲେ ଏକାଠି ରହିବେ ଗୋଟିଏ ଜାଗାରେ । ଆଉ ବର୍ଷକ ପରେ ଫେରିବ ଦେଶକୁ ।

 

ଲିଟି ଚାଲିଲା ମଶାନ୍‍ ପଛେ ପଛେ ବାବୁଙ୍କ ଘରକୁ । ନଷ୍ଟନୀଡ଼କୁ ମରାମତି କରି ପୁଣି ବସା ବାନ୍ଧିଲା ବାବୁଙ୍କ ଘରେ ।

 

(୪)

 

ବାବୁ ଅନେକ ସମୟ ଧରି ଚାହିଁ ଦେଖନ୍ତି ମଶାନ୍‍କୁ । ଜଣାଯାଏ ସେ ଆଖି ନୁହେଁ । ଯେପରି ଗୋଟିଏ ଗାଢ଼ କାମନାର ପ୍ରସ୍ରବଣ । ନିକଟରେ ଥାଇ ତାର ଶରୀର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରନ୍ତି ସେ ।

ମଶାନ୍‍ ଆଗଠାରୁ ଆଜିକାଲି ଅଧିକ ସୁନ୍ଦରୀ । ତିରିଶିବର୍ଷ ବୟସରେ ବି ମଶାନ୍‍ ନବଯୁବତୀ । ମୁଖମଣ୍ଡଳରେ କ୍ଲାନ୍ତି ଜମିଲେ ବି ସେ ସୁନ୍ଦରୀ । ବର୍ଣ୍ଣକଳା କଟ କଟ । ସେ ଗରିବ ଘରେ ଜନ୍ମିଛି । କିନ୍ତୁ ଚେହେରାରେ ଆଦିବାସୀର ଛାପ ପ୍ରାୟ ନାହିଁ । ଧଳାଶାଢ଼ି ପିନ୍ଧେ । ସାଦା ବ୍ଲାଉଜ ଭିତରେ । ବାବୁଙ୍କ ମନରେ ବିନ୍ଧିଯାଏ ଗୋଟିଏ ବାସ୍ନାରେ ମୁନିଆକଣ୍ଟା ।

ବାବୁ କହନ୍ତି, ମଶାନ୍‍ ! ଏତେ ମନ ଦୁଃଖ କରୁଛୁ କାହିଁକି ? କ’ଣ ସବୁବେଳେ ବସି ଏତେ ଭାବୁଛୁ ! ପୃଥିବୀରେ ତୋଠାରୁ ଖୁବ୍‍ ଖରାପ ଅବସ୍ଥାରେ ଅନେକ ଲୋକ ଅଛନ୍ତି । ସେମାନେ ତ ପୁଣି ମନ ଆନନ୍ଦରେ ବଞ୍ଚି ରହିଛନ୍ତି । ସବୁ ସମୟରେ ନିଜକୁ ଛୋଟ ମନେ କରିବା ଅର୍ଥ କଣ ମୁଁ କିଛି ଭାବି ପାରୁନି । ତୋର ସେହି ମୂର୍ଖ ଅପଦାର୍ଥ ସ୍ୱାମୀକୁ ଶୀଘ୍ର ପରିତ୍ୟାଗ କଲେ ମଙ୍ଗଳ । ସେ ଦିନ କଣ ସେ ତୋର ସୁଖ ଦେଖିଥିଲା ? ଘରୁ ତଡ଼ି ଦେଇଥିବା କଥା କଣ ତୋର ମନେ ନାହିଁ ।

ମଶାନ୍‍ର ଆଖି ତଳକୁ ନଇଁ ଯାଏ । ସେ କଥା ଶୁଣିଲେ ତାର ମନରେ ବଡ଼ କଷ୍ଟ ହୁଏ-। ତାର ଅବସ୍ଥା ଭଲଥିଲେ ସେ କାହିଁକି ଏଠାରେ ଆସି ଅଇଁଠା ପତ୍ର ଚାଟି ଦିନ କାଟୁଥାନ୍ତା-। ସାତଆଠ ବର୍ଷ ହେଲା ବାସନ ମାଜି ମାଜି ପେଟ ପୋଷୁଥାନ୍ତା ?

 

ଲିଟିବି କେତେଥର ତାକୁ କହିଲାଣି ଏ ପାଇଟି ଛାଡ଼ି ସ୍ୱାଧୀନ ଭାବରେ ରହିବାକୁ । କିନ୍ତୁ ଯାଗାର ମାୟା ସେ ଛାଡ଼ି ପାରୁନି । ସତରେ ମଣିଷ ଭାଗ୍ୟନେଇ ଆସେ । ଯେଉଁମାନେ ଧନୀ, ଶିକ୍ଷିତ ବାସ୍ତବିକ ସେମାନଙ୍କ ମଧ୍ୟରୁ ଅନେକ ପଶୁ ।

 

ସେ ଦିନ ବେଶି ରାତି । ଟେବୁଲ ଲ୍ୟାମ୍ପ ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଅଳ୍ପ ସମୟ ଆଗରୁ ଅସ୍ରାଏ ବର୍ଷା ବି ହୋଇଯାଇଛି । ଆକାଶ ଅନ୍ଧକାର । ଚନ୍ଦ୍ର ନାହାନ୍ତି କି ତାରା ନାହାନ୍ତି ।

 

ବାବୁଙ୍କ ସ୍ତ୍ରୀଟି ସବୁବେଳେ ରୋଗା । ସେ ବିଚାରି ନାନାପ୍ରକାର ବେମାରୀ ନେଇ ବିବ୍ରତ-। ସାରାବର୍ଷ ପ୍ରାୟ ଶୋଇପଡ଼ି ଦିନ କାଟେ । ସମସ୍ତେ ଜାଣନ୍ତି ‘ବାବୁ’ ବାବାଜିମାର୍କା ଭଲ ମଣିଷ ଓ ଚରିତ୍ରବାନ୍ ବୋଲି । କିନ୍ତୁ ବାବୁ ଚାହାନ୍ତି ନୂତନ ଯୁବତୀର ନୂତନ ରୂପ—ନୂତନ ମୋହ ଲାଳସାର ଲୋଲୁପତା ।

 

ସ୍ତ୍ରୀ ତାଙ୍କର ଶୋଇଛନ୍ତି ଦୋତାଲା ଉପରେ । ଲିଟି ଯାଇଛି ଚାଷ ଗାଁକୁ ଧାନ କଟାକଟି କରିବାକୁ । ବାଟିଏ ଜମି ବାବୁଙ୍କର । ହୁଏତ ଲିଟି ଫେରୁ ଫେରୁ ଆହୁରି ଦଶ ପନ୍ଦର ଦିନ ।

 

ମଶାନ୍‍ ଶୋଇଛି । ପାଖକୁ ବାବୁ ଆସିଲେ—ଆହୁରି ନିକଟକୁ । ବସି ରହିଲେ ମଶାନ୍‍ ପାଖରେ କିଛି ସମୟ । ସେ ଉଗ୍ର ସରାପ ନିଶାରେ ମତୁଆଲ । ଲାଲ ଲାଲ ଆଖିରେ ଚାହିଁ ରହିଲେ ମଶାନ୍‍କୁ । ନିଶ୍ୱାସ ପ୍ରଶ୍ୱାସ ଶବ୍ଦରେ ମଶାନ୍‍ ଚମକି ଉଠିନି । କିନ୍ତୁ ହଠାତ୍ ଗୋଟିଏ ସୁଖଦାୟକ ଉଷ୍ମ ସୁରଭିତ କୋମଳ ସ୍ପର୍ଶରେ ଚମକି ଉଠିଲା ମଶାନ୍‍ । ଅନୁଭବ କଲା ଗୋଟିଏ ନଗ୍ନ ପୁରୁଷ ଦେହ । ଯେପରି ସେ ଆଲିଙ୍ଗନ କରି ଭିଡ଼ିଧରି ରଖିବାକୁ ତିଆର । ଆଖି ଖୋଲି ଦେଖେ ତ ବାବୁ ତା ପାଖରେ ଅତି ନିକଟତର ।

 

ହଠାତ୍ ଉଠି ଛିଡ଼ା ହେଲା ମଶାନ୍‍ । ଡାଆଣୀ ଭୂତ ଦେଖିଲେ ଯେପରି ଡରମାଡ଼େ, ବାବୁଙ୍କୁ ଦେଖି ତାର ଛାତି ଥରି ଉଠିଲା । ପରେ ପରେ ସାରା ଦେହଟା ବି କମ୍ପି ଉଠିଲା ।

 

ସତେକଣ ତାର ଯୌବନ କୁସୁମ ଏହି କାମୁକ ପାଖରେ ଝରି ପଡ଼ିବ ?ତାର ସତୀତ୍ଵର ଇନ୍ଧନକୁ ସେ ହୋମ କରିବ ଏଠି ? ମନେ ମନେ ଡାକିଲା ଠାକୁରାଣୀଙ୍କୁ । ସେଇଠି ମୂର୍ଚ୍ଛା ହୋଇ ପଡ଼ିଯିବକି ?

 

ବାବୁ ଗେହ୍ଲେଇ ଗେହ୍ଲେଇ କହିଲେ, ‘‘କେବେ ତତେ କିଛି ଅନୁରୋଧ କରିନି ମଶାନ୍‍ । ଆଜି—ଆଜି ଗୋଟିଏ । ତତେ ଯେ ମୁଁ କେତେ ଦୂର ଭଲପାଏ ତା କଣ ତୁ ଜାଣୁନା ? ମଶାନ୍‍ ! ତୁ କି ସୁନ୍ଦର ! ହେଇ ଦେଖ ତୋ ପାଇଁ କଣ ଆଣିଛି ।’’ ମଶାନ୍‍ ହାତରେ ଗୁଞ୍ଜି ଦେଲେ କେତେଟା ଟଙ୍କା ।

 

ଥରିଲା କଣ୍ଠରେ କହିଲା ବାବୁ ! ତମେ ବଡ଼ଲୋକ ହୋଇ ସତେ କେଡ଼େ ହୀନ । ପାପକର୍ମ କରି ନର୍କରେ ପଡ଼ନା ବାବୁ । କେତେ ଅନୁରୋଧ କଲା । ଗୋଡ଼ଧରି କେତେ ନେହୁରା ହେଲା । ଭୟରେ ଆଖିରୁ ପାଣି ବାହାରି ବସନ ତାର ତିନ୍ତିଲା । ତଥାପି ବାବୁ ଅଚଳ ।

 

ବାବୁ କହିଲେ ଧର ମଶାନ୍‍ ! ସାବଧାନରେ ରଖ । ଆହୁରି ଆହୁରି ମିଳିବ। ’’ମଶାନ୍‍ର ହାତ ତାଙ୍କ ହାତ ମୁଠା ଭିତରେ ।

କଥା ରଖିଲାନି ମଶାନ୍‍ । ବାବୁଙ୍କ ହାତକୁ ଛାଡ଼ି ଦେଇ ଚିତ୍କାର କରି ଉଠିଲା ସେ । ଭାଗ୍ୟ ଏବଂ ପରିବେଶ ଭୟ ଆସିଗଲା ତାର । ତଥାପି ସାହସ ସଞ୍ଚୟ କରି ମଶାନ୍‍ କହିଲା,‘‘ଏଠୁ ଚାଲି ଯାଅ କହୁଛି ।’’ ଜ୍ୱଳନ୍ତ ଚକ୍ଷୁରେ ବାବୁଙ୍କ ଆଡ଼େ କିଟିମିଟି କରି ଚାହିଁ ରହିଲା ସେ । ବାବୁ ପିନ୍ଧା ଲୁଗା ନେଇ ତା ପାଟି ବନ୍ଦ କରିବାକୁ ଚେଷ୍ଟା କଲେ । ଯଦି ସ୍ତ୍ରୀ ତାଙ୍କର ଜାଣେ ଏ କଥା ।

ଚୋରାଚାହାଣି ହାଣୀ ବାବୁ କହିଲେ,‘‘କଣ ମୁଁ ତୋର ପସନ୍ଦ ହେଉନି ? ତୁ କଣ ମୋତେ ଡରୁଛୁ ? କାହିଁକି ଛାଡ଼ି ଚାଲି ଆସିଥିଲୁ ଲିଟିକି ସେ ଦିନ ? ଯେଉଁ ଜୀବନ ତୁ ଚାହିଁଥିଲୁ ତାହା କଣ ମୁଁ ଦେଇ ପାରି ନଥାନ୍ତି ?’’

ମଶାନ୍‍କୁ ପାଖକୁ ଟାଣି ନେଲେ ବାବୁ । ଚାପି ଧରିଲେ ଛାତି ଉପରେ । ଜୋର କରି ନିଜକୁ ଛଡ଼ାଇ ନେଇ ମଶାନ୍‍ ଦାନ୍ତରେ ଦାନ୍ତ ଘଷି କହିଲା, ‘‘ଏଠୁ ଜଲଦି ଚାଲିଯାଅ କହୁଛି ନ ହେଲେ ହହ୍ଲା କରିବି । ଆମ ଆଦିବାସୀ ଜାତିର ସ୍ତ୍ରୀମାନେ ସେପରି ଚରିତ୍ରହୀନା ନୁହନ୍ତି । ଆମର ଗୋଟିଏ ସାମାଜିକ ମର୍ଯ୍ୟାଦା ଅଛି । ତାହା ତମେ ଭାଙ୍ଗି ପାରିବନି କେଉଁଦିନ ।’’

ବାବୁ ସ୍ଥିର ଦୃଷ୍ଟିରେ ତା ମୁହଁକୁ ଚାହିଁ କହିଲେ, ମଶାନ୍‍ ! ରାଗିଲେ ତୋ ମୁହଁ ବଡ଼ ସୁନ୍ଦର ଦିଶେ । ଆଉ ନାରୀମାନଙ୍କୁ କିପରି ବଶ କରିବାକୁ ହୁଏ ମୋତେ ତାହା ଭଲ ଭାବରେ ଜଣା-।’’

ମଶାନ୍‍ ଆଖିରେ ନିଆଁ ଜଳୁଛି । ଦାନ୍ତରେ ଓଠ ଚାପି ସେ କହିଲା,‘‘ମୁଁ ତୁମର ଉପଦେଶ ଚାହେଁନା, ବଙ୍ଗାଳି ବାବୁ । ମୋର ଯଥେଷ୍ଟ ବୁଦ୍ଧି ଅଛି । ଭବିଷ୍ୟତ କର୍ମପନ୍ଥା ମୁଁ ନିଜେ ସ୍ଥିର କରିବି-। ଆଉ କାହାରି ଦୟା ଉପରେ ବଞ୍ଚିବାକୁ ମୋର ଏଣିକି ଇଚ୍ଛା ନାହିଁ ।’’

 

ବାବୁ କିନ୍ତୁ ନଛୋଡ଼ବନ୍ଧା । ଆଗେଇ ଆସିଲେ ମଶାନ୍‍ ପାଖକୁ । ଅନ୍ଧକାର ଭିତରେ ଚିତ୍କାର କରି ମଶାନ୍‍ ଟିକେ ଘୁଞ୍ଚିଗଲା । ତାହାରି ଭିତରେ ଧରାଧରି ମରାମରି । କିନ୍ତୁ ବାଧା ମାନିଲେନି ବାବୁଟି । ଉତ୍କଟ ନିଶାରେ ଜାବୁଡ଼ି ଧରି ମଶାନ୍‍କୁ ଟାଣିନେଲେ ଛାତିକି । ସେ ଯେପରି ଗୋଟିଏ ହିଂସ୍ରଜନ୍ତୁର କବଳରେ ପଡ଼ିଛି । ପ୍ରାଣପଣେ ଚେଷ୍ଟା କରୁଛି ଖସିବାକୁ କିନ୍ତୁ ପାରୁନି। ତେବେ କଣ ଏହି ଚରିତ୍ରହୀନ ହାତରେ ତାର ସତୀତ୍ଵ ଲୁଣ୍ଠିତ ହେବ ? କିପରି ବଞ୍ଚାଇବ ସେ ନିଜକୁ ? ବାବୁ ଆହୁରି ଜୋରରେ ଭିଡ଼ି ଧରିଲେ ତାକୁ ।

 

ନା, ନା ସେ ଆଜି ଅସହାୟ—ଏକାନ୍ତ ଅସହାୟ । ପବନର ନିଶ୍ୱାସରେ ସେ କମ୍ପେ । ଜଳ ଉଚ୍ଛାସରେ ସେ କାନ୍ଦେ । ପଳାଇ ଯିବାକୁ ଇଚ୍ଛା କରେ ଏହି ମନୁଷ୍ୟରୂପୀ ଜାନୁଆରର ଆଲିଙ୍ଗନ ବାହାରକୁ । ତାର ସୁନ୍ଦର ଦେହ ଏବଂ ଘୃଣାଭରା ମନ ଏଠାରେ ବଞ୍ଚି ରହିବାକୁ ଚାହେଁନା-। ସୀମାହୀନ ଯନ୍ତ୍ରଣା ସାଗରରେ ବୁଡ଼ିଯାଇଛି ସେ । ଗଳା ଅଟକି ଯାଏ । ହାହାକାର କରି ଗୋଟିଏ ଆବାଜ ହୃଦୟ ଭିତରୁ ବାହାରି ଆସେ । ଡାକେ ହେ ଭଗବାନ !

 

ଆଉ ନିଜକୁ ସମ୍ଭାଳି ପାରିଲାନି ମଶାନ୍‍ । ସେ କାମୁଡ଼ି ଧରିଲା ବାବୁଙ୍କର ଗୋଟିଏ ହାତକୁ ବଡ଼ ଜୋରରେ ଶରୀରର ସମସ୍ତ ଶକ୍ତି ଖଟାଇ । ଚିତ୍କାର କରି ଉଠିଲେ ବାବୁ । ନିଜକୁ ଛଡ଼େଇ ନେଇ ବାବୁ ଜୋରରେ ଏକ ଚାପୁଡ଼ା ମାରିଲେ ମଶାନ୍‍ ଗାଲରେ ।

 

ଅନ୍ଧ ଦେବତାର ଆଖି ଖୋଲିଲା । ବାବୁଙ୍କର ଯୌନ-କ୍ଷୁଧାର ଶିକାର ହୋଇପାରିନି ସେ ଦିନ ସେ ।

 

ଛି, ଛି ମଣିଷ ଏତେ ନୀଚ ହୋଇପାରେ ? ଏତେ ଦୂର ପୈଶାଚିକ ଅନ୍ୟାୟ ଆଚରଣ କରିପାରେ ? ଏପରି ହୀନ ଜଘନ୍ୟ ଦୃଶ୍ୟର ଅଭିନେତା ସାଜିପାରେ ? ରୂପ ମୁଗ୍‍ଧ ନର-ପତଙ୍ଗ ରମଣୀର ରୂପାଲୋକରେ ଦିଗହରା ହୋଇ ନିଜର ବିବେକ ବୁଦ୍ଧି ହରାଇ ବସେ । ଏଣେ ଗର୍ବ କରେ କଣ ନା ସେ ଉଚ୍ଚ ଶିକ୍ଷିତ-ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀପ୍ରାପ୍ତ । ଧିକ୍ ତାର ସଭ୍ୟତା—ଧିକ୍ ତାର ଆଭିଜାତ୍ୟ । ଧନ୍ୟ ସମାଜ ।

 

ବାବୁଙ୍କର ହଠାତ୍ ରାଗ ଆସିଗଲା ମଶାନ୍‍ ଉପରେ । ଏ ଛୋଟ ଜାତି ମାଇକିନାଟାର ଦେଖ ତ କେଡ଼େ ସାହସ ।

 

ବାବୁଙ୍କର ତରତର ହୋଇ ପୁଣି ତାର ହାତଟି ଧରି କହିଲେ କୁଆଡ଼େ ଯାଉଛୁ ମଶାନ୍‍ ।

 

ମଶାନ୍‍ ଦାନ୍ତ କଟମଟ କରି ଟିକେ ଚାହିଁଲା । ତାପରେ ହାତଟା ଝିଙ୍କି ନେଇ ପବନ ବେଗରେ ବାହାରିଗଲା ଘର ଭିତରୁ।

 

ବାବୁଟି ସେହି ଜାଗାରେ ଛିଡ଼ା ହୋଇ ବଲ ବଲ କରି ଅନେଇ ଥାନ୍ତି । ମନେ ମନେ ଅନୁତପ୍ତ ହେଲେ ସେ ହଠାତ୍ ଏପରି କରି ଦେବାଟା ତାଙ୍କର ବାସ୍ତବିକ୍ ଠିକ୍ ହୋଇନି । ସାଧାରଣ ବୋଧଶକ୍ତି ଭିତରେ ବେଳେ ବେଳେ ମଣିଷର ଏହିପରି ଭୁଲ୍‍ବି ହୋଇଯାଏ । ତାଙ୍କର ଦୋଷ କଣ-? ସେହି ଅନୁତାପରେ ରାତିରେ ଭଲକରି ଶୋଇ ପାରିଲେନି ବାବୁଟା । ହୁଏତ ସକାଳୁ ଯାଇ ମଶାନ୍‍ ସର୍ବତ୍ର ରାଷ୍ଟ୍ର କରିଦେବ ଏ କଥା । କାଲିଠାରୁ ଆଉ କାମକୁ ଆସିବନି ବୋଧହୁଏ-। ଅଳ୍ପକ୍ଷଣ ଆଗେ ଯେଉଁଟା ପୃଥିବୀର ସବୁଠାରୁ ଏଡ଼େ ସୁନ୍ଦର ବୋଲି ତାଙ୍କର ମନେ ହେଉଥିଲା, ବର୍ତ୍ତମାନ ସେଇଟା ନିତ୍ୟନ୍ତ ନିଷ୍ପ୍ରାଣ ହୋଇଉଠିଲା ତାଙ୍କ ପାଖରେ । ସେଥିରେ ଯେପରି ଆଉ ବ୍ୟାକୁଳତା ନାହିଁ—ଉତ୍ତାପ ନାହିଁ । ମନ ମଧ୍ୟରେ ସେହି ଆତଙ୍କ ବାବୁଙ୍କ ପାଦରେ ଲକ୍ଷ ଲୁହା ଶିକୁଳି ବାନ୍ଧିଦେଲା ଯେପରି । ତାଙ୍କର ପାଷାଣ ଛାତିରେ ଗୋଟିଏ ଅଲିଭାଗାର ଟାଣି ହୋଇଗଲା ମାରିବାଯାଏ । ସେ ନିଥର ଓ ଅଚଳ ।

 

ମଶାନ୍‍ ଯିବ କେଉଁଠିକି ? କିଏ ତାକୁ ଆଶ୍ରୟ ଦେବ ? ବାପଘରକୁ ? ନା, ସେଠାରେ ତାର ସ୍ଥାନ ନାହିଁ । ଶାଶୁଘରକୁ ଯିବାର ପଥ ନାହିଁ । ତେବେ ସେ ବଞ୍ଚିବ କିପରି ? ମଥା ଭିତରେ ନିଆଁ ଜଳିଉଠେ । ବଡ଼ବାବୁ ହୋଇ ସତେ ସେ କେଡ଼େ ଛୋଟ । ଏଇ ଅଭାବ କଣ କେବେ ଦାରିଦ୍ର୍ୟର ହାତରୁ ତାକୁ ମୁକ୍ତି ଦେଇ ପାରିବନି ? ସେ ଆସିଥିଲା ସହରକୁ ବଞ୍ଚିବା ପାଇଁ—ଜୀବନ ପାଇଁ—ମଣିଷ ପରି ମଣିଷ ହେବାପାଇଁ, କିନ୍ତୁ ତାର ଏ ହେଲା କଣ ?

 

ଲିଟି ଫେରିବା ପରେ ପରେ ସମସ୍ତ ଘଟଣା ତାକୁ କାନ୍ଦିକାନ୍ଦି କହି ଦେଇଛି ମଶାନ୍‍ । ଉତ୍ତରରେ ଲିଟି କହିଲା, ସବୁ ସମୟରେ ତୋ ଉପରେ ତାର ଗଦ୍ ଗଦ୍ ଭାବି ବୋଲି ମୁଁ ଜଣେ । ଆଉ ତାକୁ ଦେଖିଲେ ତା ଉପରେ ମୋ ହାଡ଼ ଜଳିଉଠେ । ତୋର ଅପମାନ ? ସେ ଅପମାନକୁ ମୁଁ କେବେହେଁ ସହ୍ୟ କରି ପାରିବିନି, ମଶାନ୍‍ !

 

ବଣଜଙ୍ଗଲଭରା କୋରାପୁଟର ଏହି କଳା ଲଙ୍ଗଳା ଆଦିମ ଜାତି କିପରି ହୁଙ୍କାର ଛାଡ଼ିଥିଲା ସେ ଦିନ ବ୍ରିଟିଶ ସରକାର ବିରୁଦ୍ଧରେ ସେ କଥା କଣ ସେ ଜାଣିନି ? ଆଜି ଲିଟି ଉନ୍ମାଦ-। ଆଜି ସେ ଆଦିବାସୀ ସୁଲଭ ସଂଯମ ହରାଇ ହୋଇଉଠିଛି ପିଶାଚ । ଆଜି ତାର ମନରେ ଚାପିଛି ଉନ୍ମାଦନାର ନିଶା । ଅନ୍ତରରେ ଜଳୁଛି ପ୍ରତିହିଂସାର ଦାବାନଳ । ଆଜି ସେ ପ୍ରଥମେ ଶେଷ କରିଦେବ ବାବୁଙ୍କର ମୂଲ୍ୟବାନ୍ ଜୀବନଟାକୁ ଯେମିତି । ତାପରେ ଆଉ ଯାହା ।

 

କିନ୍ତୁ ଲିଟି ପ୍ରତିଶୋଧ ନେଇନି । ମଶାନ୍‍କୁ ଧରି ଅନ୍ୟସ୍ଥାନକୁ ପଳାଇ ଯିବାର ବ୍ୟବସ୍ଥା କରୁଛି । ନିଜର ଜିନିଷପତ୍ର, ଛିଣ୍ଡା କନ୍ଥା ଯାହା କିଛି ସମ୍ବଳ ଥିଲା ସମସ୍ତ ସଙ୍ଗରେ ଧରି ଚାଲିଯିବାର ଯୋଗାଡ଼ କରୁଛି । ଠିକ ନାହିଁ, ଠିକଣା ନାହିଁ । ପୃଥିବୀର ଶେଷ ପ୍ରାନ୍ତକୁ ପଳେଇ ଗଲେବି ଏ ଘଟଣା ସେ କେବେ ମନରୁ ପାଶୋରି ପାରିବ ନାହିଁ ।

 

ଆଗରୁ ଆକାଶ ପରିଷ୍କାର ଥିଲା । ବର୍ତ୍ତମାନ ଆକାଶ ଭଙ୍ଗାବୃଷ୍ଟି । ସେଥିକି ତାଙ୍କର ଖାତିରି ନାହିଁ । ମନ ଭିତରେ ଅଗ୍ନିଶିଖା ଯେପରି ଦାଉ ଦାଉ ହୋଇ ଜଳି ଉଠୁଛି । କେଉଁଠି ଆଶ୍ରୟ ନେବେ ? ଭାଗ୍ୟ ଆଜି ତାଙ୍କର ସହାୟ । ଏହି ବର୍ଷା ଅନ୍ଧାରରେ ପଥ କିପରି ଚିହ୍ନିବେ ? ଶରୀରରେ ଅସୀମ ବଳ ଥିଲେ ବି ଯିବା ତାଙ୍କ ପକ୍ଷରେ ଅସମ୍ଭବ ।

 

ନାହିଁ ବା ତାଙ୍କର କୋଠାଘର । ନାହିଁବା ତାଙ୍କର ଟିଣ ଛପର । ସେ କିନ୍ତୁ ଜୀବନ ଯାତ୍ରା ଆରମ୍ଭ କରିବେ ଏହି ଆଲୋକିତ ସଭ୍ୟ ରାଜପଥଠାରୁ ଦୂରରେ—ବହୁ ଦୂରରେ । ବିଳାସୀ ଆଭିଜାତ୍ୟର ନେପଥ୍ୟରେ । ତାଙ୍କ ପାଇଁ ସାହିତ୍ୟ ନାହିଁ—ଉପନ୍ୟାସର ଉପାଦାନ ନାହିଁ । ସବୁ ସ୍ତିମିତ—ଚିରଦିନ ପାଇଁ ସ୍ତମିତ । ତାଙ୍କର ଦୁନିଆଟା ଖାଲି ଅଭାବ ଅନାଟନର—ହା ହୁତାଶର । ବଞ୍ଚିବାର ଆଶା ସେଠି କମ୍ । ଅକାଳ ମୃତ୍ୟୁର ତିଳ ତିଳ ମରଣର ସେ ଲୀଳା ଭୂଇଁ । ତଥାପି ସେମାନଙ୍କୁ ବଞ୍ଚିବାକୁ ହେବ ଏ ଦୁନିଆରେ ସ୍ୱଗତର ଦୁନିଆରେ ।

 

(୫)

 

ଦେଖୁ ଦେଖୁ କାଲିପରି କୋଡ଼ିଏ ବର୍ଷ ବିତି ଗଲାଣି । କେଚା ମନରେ ଭାବେ ତାର ସାରାଜୀବନ କଟିଯିବ ଯେମିତି ଏଇ ଆସାମରେ । ଯିଏ ଗାଁରୁ ଆସେ ମା ବୁଢ଼ୀ ତା ହାତରେ ଖବର ପଠାଏ ଦେଶକୁ ଯିବାପାଇଁ ।

 

ଗୋଟିଏ କଥା ଆଜି ତାର ବାରମ୍ବାର ମନେ ପଡ଼ୁଛି । ସେ କଥାଟା କେବେ ସେ ଆଗରୁ ମୋଟେ ଭାବି ନଥିଲା । ଏତେଦିନ ପରେ ତାର ମନର କେଉଁ ଗହନ କୋଣରେ ସର୍ବଦା ସ୍ପଷ୍ଟ ହୋଇ ବାଜି ଉଠୁଛି ଯେ ତାରିଗାଁ ଯେପରି ତାକୁ ବାରବାର ଡାକୁଛି । ବୃଦ୍ଧା ଜନନୀର ଆକୁଳ ଆହ୍ୱାନ ତାକୁ ଅସ୍ତବ୍ୟସ୍ତ କରି ପକାଉଛି । ଭାବିଲେ ବଡ଼ କଷ୍ଟ ଲାଗୁଛି ତାକୁ । ଯଦିବା ସେ ତାର ବାଗବେଢ଼ା ଗାଁ ଛାଡ଼ି ଆସିବାଦିନ ଫେରିବାର ସେପରି କୌଣସି କଥା ନ ଥିଲା । ସେ ଜଣେ ତା’ର ମା ଏବେ ବି ବଞ୍ଚିଛି । ସେ ମୋହ ଟିକକ ତାର ଏକବାରେ କଟିନି ।

 

ମା ତାର ଏଥିମଧ୍ୟରେ ଛୋଟ ଛୋଟ କେତେ ଖଣ୍ଡ ଚିଠି ଲେଖେଇ ପଠେଇଛି । ପ୍ରଥମେ ଆସି ସେ ଚିଠି ଦେଇଥିଲା ଘରକୁ । ବାସ୍ ସେତିକି । ତାପରେ ସେ ଘରକୁ ଆଉ ଚିଠି ଦେଇନି । ଆଉ କଣ କେବେ ସେ ତାର ଗାଁକୁ ଫେରିବ ନାହିଁ ? ବୁଢ଼ୀମା’କୁ କଣ ଶେଷଥର ପାଇଁ ଦର୍ଶନ କରିବ ନାହିଁ ? ରକ୍ତର ଡାକକୁ ଏଡ଼ି ଦେବ କିପରି ?

 

ଆଜି ସେ ପ୍ରତିଷ୍ଠା ଅର୍ଜନ କରିଛି । ମଣିଷର ମୂଲ୍ୟ ପାଇଛି ସମସ୍ତଙ୍କଠାରୁ । କିନ୍ତୁ ମନ ଭିତରୁ ସେହି ଅବ୍ୟକ୍ତ ବେଦନାକୁ ଚାପି ରଖିପାରୁନି ।

 

ଆଖି ଆଗରେ ଭାସିଯାଏ ସ୍ତ୍ରୀ ସମ୍ବାରିର ଅସ୍ପଷ୍ଟ ଛାୟା ମା, ଭାଇ ଓ ସନ୍ତାନ ଦୁଇଟିଙ୍କର ମଳିନ ମୁଖ । ସେମାନଙ୍କୁ ସେ ଦେଇପାରିନି କିଛି । ଆହୁରି ମନେ ପଡ଼େ ତାର ପଲ୍ଲୀଜୀବନର ସ୍ମୃତି । ବଣ, ପାହାଡ଼, ଜଙ୍ଗଲ କଥା । ବାଲିଫୁଲ କୋଦମାଳି ଦେଶର ଡୁରୁକା, ଭାଲୁ, ବାରିହା ବେଣ୍ଟ । ଚଇତ ପର୍ବ ଗୀତ ଓ ମହୁଲ ମଦର ନିଶା । କିନ୍ତୁ ତାର ସମସ୍ତ ସଂକଳ୍ପ ରହିଛି ଅଟଳ । ନୂତନ ସ୍ଥାନ, ନୂତନ ଜୀବନ, ନୂତନ ପରିବେଶ ସମ୍ପର୍କରେ ଆସି ସେ ଆଉ କେତେଦିନ ଚୁପ୍ କରି ବସି ରହିଥିବ ଏଠି ?

 

ସେ ଦିନ ସକାଳେ ବିଛଣାରୁ ଉଠି ଦେଖିଲା ଆଠଟା ବାଜି ଯାଇଛି । ଅନ୍ୟ ଦିନ ହୋଇଥିଲେ ଅଧଘଣ୍ଟା ଆଗରୁ ସେ ହୁଏ ତ କାମକୁ ଯାଇ ପାରିଥାନ୍ତା ଓ ଗୋଲାପୀ ତାକୁ ଠିକ୍ ସମୟରେ ବିଛଣାରୁ ଉଠାଇ ଦେଇଥାନ୍ତା । କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କାଲିଠାରୁ କଳି ।

 

ସେ ତାର ପୁରୁଣା ଛିଣ୍ଡା ହାଫ୍‍ପ୍ୟାଣ୍ଟ ଓ ଖାକି କୋଟଟି ଆଲନାରୁ ଆଣିଲା । ପ୍ୟାଣ୍ଟର ପଛଆଡ଼େ ତାଳି ପଡ଼ିଛି । ଏପରି ଡ୍ରେସ ପିନ୍ଧି ମେନେଜର ବାବୁଙ୍କ ପାଖକୁ କିପରି ଯିବ ସେ ?

 

ସେ ଡ଼େଙ୍ଗା । ପେଟ ବାହାରି ପଡ଼ିଛି । ତାର ମୁହଁଟି ଗୋଲ ଓ ଗାଲର ଚମ ଲୋଚା କୋଚା । ମୁଣ୍ଡ ମଝିଟି ଚନ୍ଦା । ବୟସ ପଚାଶ କିମ୍ବା ଷାଠିଏ । ଠିକ୍ କରି କହିବା କଷ୍ଟକର ।

 

ଗୋଟିଏ ହାତରେ ସେଫଟି ରେଜର୍ ଓ ଅନ୍ୟ ହାତରେ ଅଇନା ଧରି କେଚା ଦାଢ଼ି କମାଇବାକୁ ବସିଲା ଅନ୍ୟମନସ୍କ ଭାବରେ । ସେ ପ୍ରତିଦିନ କ୍ଷିଅର ହୁଏନି । ଇଞ୍ଚେ ଦେଢଇଞ୍ଚ ବଢ଼ିଲା ପରେ କେବେ ମନ ହେଲେ ସଫା କରେ । ତାକୁ ଏ ସବୁ ଭଲ ଲାଗେନି । ସବୁ ନିରର୍ଥକ ଓ ଅପବ୍ୟୟ । ଦାଢ଼ି ନ କମେଇଲେ ବା ସେଥିରେ ଯାଏ ଆସେ କେତେ ? କିନ୍ତୁ ସଭ୍ୟତାର ଦାସତ୍ୱକୁ ତ ଆଉ ଏଡ଼ାଇ ଦେଇ ହେବନି ।

 

କ୍ଷୁର ଚାଳନା ଶେଷ ହେଲା । ଗାଲରେ ଏ ପାଖ ସେ ପାଖ ଦୁଇଥର ହାତ ବୁଲାଇ ଦେଇ ସେ ଉଠି ପଡ଼ିଲା । ଏହାଠାରୁ ଅଧିକ ଆଉ କଣ କରିହେବ ? ଏଥର ମୁହଁ ଧୋଇ ପଦାକୁ ବାହାରିବା କଥା । ଦେଖିଲା ସତରେ ବେଳ ବେଶୀ ହୋଇଯାଇଛି ।

 

ତେଣେ ଭାରିଜା ଗୋଲାପୀ ପିଣ୍ଡାରେ ଚୁପ୍‍ ହୋଇ ବସିଥାଏ । ଭାବୁଥାଏ ଆଜି କାହିଁକି ସେ ଏତେବେଳ ଯାଏ କାମକୁ ଯାଇ ନାହାନ୍ତି । ସମ୍ଭବତଃ ଦେହ ଅସୁସ୍ଥ ।

 

ସେତିକିବେଳେ ପଡ଼ିଶାବାବୁଙ୍କର ରେଡ଼ିଓରୁ ଓଡ଼ିଆ ସଙ୍ଗୀତଟିଏ ପବନରେ ଭାସି ଆସିଲା । ଗୀତଟି ବଡ଼ କରୁଣ ଓ ଗମ୍ଭୀର । ‘‘ପରଦେଶୀ ଫେରିଚାଲ ଆପଣା ଘରେ ।’’ ମନ ଉଚ୍ଚାଟ ହୋଇଉଠିଲା କେଚାର । ଏ ଯେ ତାର ହୃଦୟର ସମ୍ପୂର୍ଣ୍ଣ ଅଭିବ୍ୟକ୍ତି ।

 

ଗୋଲାପୀର ସାରାଦେହରେ ଓ ମନରେ ଅସନ୍ତୁଷ୍ଟ ଭାବ । କେତେବେଳେ ସେ ଉଠି ଯାଇ ରୋଷାଇ ଘର ଭିତରେ ଗୁମ୍ ମାରି ବସିଛି ।

 

କେଚା ଆସି ହଠାତ୍ ତା ପାଖରେ ପହଞ୍ଚିଯିବା ଦେଖି ଗୋଲାପୀ କହିଲା,‘‘ମୁଁ ଭାବିଥିଲି ତୁମେ କାମକୁ ବହୁ ଆଗରୁ ଚାଲି ଯାଇଛି ବୋଲି । ବର୍ତ୍ତମାନ ସମୟ ଯେ ନଅଟା ।’’

 

କେଚା ବସିଲା । କହିଲା ‘‘ଆଜିଠାରୁ ମୁଁ ଆଉ କାମକୁ ଯାଉନି । କାଲି ମୁଁ ମୋର ସମସ୍ତ ପାଉଣା ଅଫିସରୁ ଧରି ଆସିଛି ।’’

 

ଏହି କଥାଟି ଗୋଲାପୀକୁ ଯେପରି ଘୋର ପ୍ରତିବାଦ କଲାପରି ଜଣାପଡ଼ିଲା । ସେ ରାଗି ଉଠି କହିଲା, ‘‘ବେଶ୍ ଭଲ କଥା ତୁମର ଯାହା ଇଚ୍ଛା ତାହା କର । ମୁଁ କହିବାକୁ କିଏ ?’’ ମନ ଦୁଃଖରେ ସେ ଆଉ କିଛି କହିଲା ନାହିଁ ।

 

‘‘ବଡ଼ ଭୋକ କରୁଛି ।’’ କେଚା କହିଲା ।

 

ଗୋଲାପୀ ସବୁଦିନ ପରି ଗରମ ମୁଢ଼ି ଓ ଚା ଆଣି ରଖିଲା । ମୁଢ଼ିରୁ ମୁଠିଏ ମୁଠିଏ ଚାହାରେ ପକାଇ କେଚା ପିଉଥାଏ । ଗୋଲାପୀ ପାଖରେ ଛିଡ଼ା ହୋଇ ଦେଖୁଥାଏ ସେ ସବୁ ଦୃଶ୍ୟ । କିନ୍ତୁ ମନରେ ତାର ବଡ଼ ସନ୍ଦେହ ।

 

ଭାବି ଭାବି ଗୋଲାପୀ କହିଲା, ‘‘ତେବେ ତମେ କୁଆଡ଼େ ଯାଉଛ ବର୍ତ୍ତମାନ ?’’

 

କେଚା ଅଭ୍ୟାସ ଗତ ରସିକତା କରି କହିଲା,‘‘ଭାବିଥିଲି ତୁମେ ମୋ ସହିତ କିଛି କଥାଭାଷା ହେବ ନାହିଁ ବୋଲି ।’’

 

‘‘କାହିଁକି ? ମୋତେ ନ କହିଲେ ନାହିଁ ଯଦି ମୁଁ ତାହା ଜଣେ ?’’

 

‘‘ତୁମେ ଜାଣିପାର । ମୁଁ ତ କାହା ନିକଟରେ ସେ କଥା ଗୁପ୍ତରେ ରଖି ନାହିଁ । ମୁଁ କେଉଁଠିକି ଯାଉଛି ବୋଲି ଭାବିଛ ? ଯାଉଛି ମେନେଜର ବାବୁଙ୍କୁ କହି ପାଞ୍ଚସପ୍ତାହ ଛୁଟି ନେଇ ଘରକୁ ଯିବି । ମୋର ଦେଶକୁ । ମୋର ଜନମ ମାଟି ଓଡ଼ିଶାକୁ ।

 

ଗୋଲାପୀ କେତେ ମିନିଟ୍ କିଛି ନକହି ସ୍ୱାମୀର ମୁହଁକୁ ଚାହିଁ ରହିଲା । ଶେଷରେ ଉତ୍ତେଜିତ ହୋଇ କହିଲା, ‘‘ତେବେ ତୁମେ ଅଯଥା ଶହ ଶହ ଟଙ୍କା ଅପବ୍ୟୟ କରିବି । ପାଣିକୁ ପକେଇ ଦେବ ତୁମ ମନର ଖିଆଲ ମେଣ୍ଟେଇବା ପାଇଁ ।

 

କେଚା ପକେଟରୁ ବିଡ଼ିଟିଏ ବାହାର କଲା । ତହିଁରେ ଅଗ୍ନି ସଂଯୋଗ କରିସାରି କହିଲା, ‘‘ତୁମେ ଭାବୁଛ, ଏହା ମୋର ବିବେକ ହୀନତା ? ନିର୍ବୋଧ ଅଭିଳାଷ ? କିନ୍ତୁ ମୋ ପକ୍ଷରେ ତାହା ଆଦୌ ନିର୍ବୋଧତା ନୁହେଁ । ନିହାତି ଦରକାର ।

 

ଗୋଲାପୀ ଚିତ୍କାର କରି କହିଲା, ଦିନ ଏବେ ବି ସାରି ଯାଇନାହିଁ । ସେହି ଅନାଗତ ବର୍ଷ ପାଇଁ ଆଜିଠାରୁ ରୀତିମତ ସାବଧାନ ହେବାକୁ ପଡ଼ିବ ?''

 

‘‘କଣ କହୁଛ ? ମୁଁ କଣ ତମ ଧନ ନେଇଯାଇଛି । ଟଙ୍କା କିଏ ରୋଜଗାର କରିଥିଲା, ତୁମକୁ ପଚାରେ । ତୁମେ ନା ମୁଁ? ବେଶ୍, ମୋ ଧନ ମୁଁ ପାଣିରେ ପକେଇ ଦେଉଛି ?’’

 

ଗୋଲାପୀ ଉତ୍ତ୍ୟକ୍ତ ହୋଇ କହିଲା, ‘‘ତାହା ତୁମର ଟଙ୍କା ସତ । ନିଶ୍ଚୟ ତୁମେ କଠିନ ପରିଶ୍ରମ କରି ଅର୍ଜିଛ। ସେ କଥା କ'ଣ ମୁଁ ଅସ୍ୱୀକାର କରୁଛି ?’’

 

‘‘ମୋତେ ଆଉ କିଛି କହ ନାହିଁ ଗୋଲାପୀ ।’’

 

‘‘ମୁଁ ତ ଖରାପ କିଛି କହୁ ନାହିଁ । ଦେଖନା, ଆଜିକାଲିକା ସମୟ କେଡ଼େ ଖରାପ । ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି। ବେପାର ବଣିଜ ମାନ୍ଦା । କିଛି ଭାବି ପାରୁନା ? ସେଥିପାଇଁ କହିଲି ବୃଥାରେ ଅପବ୍ୟୟ କରିବାକୁ ଯାଉଛି ।’’

 

କେଚା କିଛି ଉତ୍ତର ନ ଦେଇ ନୀରବ ରହିଲା । ଗୋଲାପୀ ପୁଣି ବିରକ୍ତରେ କହିଲା, ‘‘ସେ ଥର ମୋର ଭାଇ ଭୟଙ୍କର ବେମାର ପଡ଼ିଥିଲା ବେଳେ ମାଗିବାରୁ ଟଙ୍କା ନାହିଁ ବୋଲି କହୁଥିଲା । ସେଥିପାଇଁ କଳି ଝଗଡ଼ା । ଘର ମୋତେ ତଡ଼ିଦେବା ପାଇଁ ବସିଥିଲ । ଏବେ ପୁଣି ସଞ୍ଚିତ ଧନ ନିଜର ମଉଜ ମଜଲିସ୍ ଯାତ୍ରାରେ ବାହାରୁଛି ?’’

 

ତାହା ମଜଲିସ୍ ଯାତ୍ରା ନୁହେଁ ଗୋଲାପୀ । ଟଙ୍କା ମୋର ଦରକାର ପାଇଁ ରଖିଥିଲି । ଗତ ସପ୍ତାହରେ ହଠାତ୍ ସିଦ୍ଧାନ୍ତ କଲି ସେ କଥା । ତୁମେ ସ୍ତ୍ରୀ ହୋଇ ତାହା ଜାଣିପାରିବ ନାହିଁ । ତୁମର ସେପରି ହୃଦୟ ନାହିଁ ।’’

 

ଗୋଲାପୀ ଗୋଟାଏ ଝଙ୍କାର ତୋଳି କହିଲା, ‘‘ସବୁଦିନେ ତୁମେ ତୁମର କଥା ଭାବ । ମୋ କଥା କାହିଁକି ଭାବିବ ? ତୁମେ ମତେ କଣ ଦେଇଛ ? ସୁନା ମଶାଏ ବି ତ ନାହିଁ ।’’

 

ନୀରବରେ କଟିଯାଏ କିଛିକ୍ଷଣ । ଗୋଲାପୀ ଖାଲି ଶିଖିଛି ଜୀବନର ଦେଣା ପାଉଣାର ହିସାବ କଷାକଷି । କେଚା ଦୀର୍ଘଶ୍ୱାସ ନିଏ ।

 

ପୁଣି ବ୍ୟାକୁଳ ହୋଇ ଗୋଲାପୀ କହେ,‘‘ଘର ଦ୍ୱାର ସବୁ ମରଦ ହୋଇ ଛାଡ଼ି ଚାଲିଯାଉଛ ମୁହଁ ବୁଲେଇ ଦେଇ । ସେ କଥା ହେବନି । ମୁଁ କାହା ସହିତ ରହିବି ଏଠି ? ମୋତେ କିଛି ଭଲ ଲାଗୁନି । ମୁଁ ତୁମ ସାଙ୍ଗରେ ଯିବି ।’’

 

‘‘ତୁମେ ମଣିଷ ନୁହଁ ଗୋଟିଏ ମହିଷ ।’’ ଉତ୍ତରରେ କେଚା ଗଳାରୁ ଗୋଟାଏ ଅବିଜ୍ଞ ସୂଚକ ଧ୍ୱନି ବାହାରି ପଡ଼ିଲା ।’’

 

ତୁମର ମାୟା ମମତା ମୋଠାରେ କିଛି ନାହିଁ । ଯାହା ଅଛି କେବଳ ପ୍ରତାରଣା-ଛଳନା।’’ ସେ ରାଗରେ ତମ ତମ ହୋଇଉଠିଲା । କଥା କଥାକେ ତାର ଯେପରି ମିଲିଟାରୀ ଦମ୍ଭ ।

 

ଘଟଣାଟା ବିଶେଷ ଜଟିଳ ହୋଇଉଠିଲା । କିଛି ସମୟ କେହି କାହାକୁ କିଛି କହିଲେ ନାହିଁ । ଗୋଲାପୀ ଯେପରି କଣ ଗୋଟାଏ ଭାବୁଥିଲା । କେଚା ‘ହଁ’ କି ‘ନା’ କିଛି ଜବାବ ଦେଲାନି-। କାରଣ ତାହା ଗୋଲାପୀର ରାଗ, ଅଭିମାନ ଉପରେ ପ୍ରଭାବ ପକାଇ ପାରିବନି ବୋଲି ସେ ଜାଣେ ।

 

ଗୋଲାପୀର ମୁଖମଣ୍ଡଳ ଆଷାଢ଼ ମେଘପରି । ସେ ଚୁପ୍ ହୋଇ ବସି ରହିଛି । କହିବାର ହୁଏତ ତାର ଅନେକ କିଛି ଥିଲା । କିନ୍ତୁ ସେତିକି ଆରମ୍ଭ କରିବାର ରାସ୍ତା ସେ ଖୋଜି ପାଉ ନଥିଲା ।

 

କେଚା ଅନ୍ୟ ଉପାୟ ନଦେଖି ବହୁତ ବୁଝେଇ ଶୁଝେଇ କହିଲା, ‘‘ମୋଟେ ପାଞ୍ଚ ସପ୍ତାହ ।’’ ପଞ୍ଚତିରିଶିଟା ଦିନ ।

 

ଗୋଲାପୀ ଉତ୍ତର ଦେଲା,‘‘ତମର ଖୁସି । ବାଧା ଦେବା ପାଇଁ ମୁଁ କିଏ ?’’

 

କଥାଟା କୌଣସି ପ୍ରକାରେ ଏଇଠି ମେଣ୍ଟି ଗଲା । ଆଉ କୌଣସି କଥା ଏହି ବିଷୟ ଉପରେ ଆଲୋଚିତ ହୋଇନି ।

 

କିଛିକ୍ଷଣ ପରେ ବିଦାୟ ନେଇ ଚାଲିଯିବାକୁ ଉଠିଲା କେଚା ଗଣ୍ଡ ।

 

‘‘ତୁମେ ଦେଶରୁ ହଠାତ୍ ଫେରିବ ବୋଲି ମୁଁ ଆଶା କରିପାରୁନି ।’’ ମୁଁ କଣ ବସାରେ ଏକ ରହିବି ?

 

କଥାଟା ସତେ ଯେପରି ଅଭିଯୋଗ ପରି ଶୁଣାଗଲା । କଣ ଉତ୍ତର ଦେବ କିଛି ଭାବିପାରିଲାନି କେଚା ।

 

ସେ ରୋଷେଇ ଘରର ହାଣ୍ଡି କୁଣ୍ଡେଇ ଭାଙ୍ଗିବାକୁ ଗଲାନି । ଅବସ୍ଥାଟାକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରି ମଧ୍ୟ ପାରିଲାନି । ଗୋଲାପୀର ମୁହଁକୁ କେତେଥର ଚାହିଁ ଛିଡ଼ା ହେବାସ୍ଥାନରୁ ଧୀରେ ଧୀରେ ବାହାରିଗଲା ଅନ୍ୟଆଡ଼େ ।

 

ସତକୁ ସତ ପରିବାରର ଏତେ ଦାୟିତ୍ୱ ବହନ କରିବି, ଗୋଲାପୀ କ୍ଲାନ୍ତ ନୁହେଁ । ତାର ଏହି ବିରକ୍ତ କ୍ଷଣିକ-ବାହ୍ୟିକ । ଘରର ଦାୟିତ୍ୱ ବୁଝିବାରେ ତାର ଆନନ୍ଦ । ଏଇ ତାର ଜୀବନ । ସେ ତାହାହିଁ ଚାହେଁ । ଅଧିକାରୀ ମିଜାଜ ତାର ବରାବର । ସେଥିପାଇଁ ତାର ଦୁଃଖ କରିବାର କିଛି ନାହିଁ-। ତାରି ସତର୍କ ଦୁଷ୍ଟି ଉପରେ ଦୁଇଜଣିଆ ପରିବାରଟି ଦିନୁଦିନ ସମୃଦ୍ଧ ସୁଶୃଙ୍ଖଳ ହୋଇ ଗଢ଼ି ଉଠିଛି-

 

ଆଉ କେଚା ? ଏ ଘର ସଂସାର ତାର ନିଜର । ଆଜି ଦିନେ ଦୁଇଦିନ ନୁହେଁ । ସେ ଗୋଲାପୀ ସାଙ୍ଗରେ ଦୀର୍ଘ ସତର ବର୍ଷ ହେଲା ଘର ବାନ୍ଧିଛି । ତାର ସ୍ଵଭାଵ ସେ ଜାଣେ । ପଡ଼ା ପ୍ରତିବେଶୀଙ୍କ ସ୍ଵଭାଵ ବି ସେ ଭଲଭାବରେ ଜାଣେ । ସେମାନେ ତିଳକୁ ତାଳ କରନ୍ତି । ସେଥିପାଇଁ ସେ ଗୋଲାପୀକୁ ସାବଧାନ କରି ଦେଇଛି ସେମାନଙ୍କ ସହିତ ନ ମିଶିବା ପାଇଁ ।

 

କିନ୍ତୁ ଆଜି ଗୋଲାପୀର କେଉଁଠି କଣ ହୋଇଛି ? ଜୀବନରେ କେବେ ସେ ଏପରି କେଉଁଦିନ ଅନୁଭବ କରିନି ତ ? ସମସ୍ତେ ଯେପରି ତାଠାରୁ ଦୂରେଇ ଯାଉଛନ୍ତି । ସମସ୍ତେ ଛାଡ଼ି ଚାଲି ଯାଉଛନ୍ତି ଦୂରରୁ ଦୂରକୁ । ସମସ୍ତଙ୍କର ମନ ଭୁଲାଣିଆ କଥାରେ ଭୁଲି ସେମାନଙ୍କୁ ଧରି ରଖିବାର ଚେଷ୍ଟା ତା ପକ୍ଷରେ ଆଜି ଯେପରି ହାସ୍ୟକର ସେହିପରି କରୁଣ ମଧ୍ୟ । ହଠାତ୍ ଗଭୀର ବେଦନାରେ ମନଟା ତାର ଛଟପଟ ହୋଇଉଠିଲା ।

 

ଜୀବନର ଅବେଳାରେ ସ୍ଵାର୍ଥପର କାମୁକମାନେ ଗୋଟି ଗୋଟି କରି ତା ପାଖକୁ ଆସିଛନ୍ତି । ତାକୁ ଆଦରରେ ତୋଳି ନେଇଛନ୍ତି ଆପଣାର କରିଛନ୍ତି । ରାଣୀ କରିବାର ଲୋଭ ଦେଖାଇ ତାକୁ ଚିପୁଡ଼ି ନିଗାଡ଼ି ଶେଷ କରି ଦେଇଛନ୍ତି । ଜୁଆର ପରେ ଭଟ୍ଟା ଆସିଛି । ସେମାନେ ଜଣ ଜଣ କରି ତାକୁ ଛାଡ଼ି ଚାଲି ଯାଇଛନ୍ତି । ଆମ୍ବଖାଇ ଟାକୁଆ ଫିଙ୍ଗି ଦେଇଛନ୍ତି । ତାପରେ ସେ ହୋଇଛି ଅଲୋଡ଼ା ଅଦରକାରୀ-ଉଚ୍ଛିଷ୍ଟ ।

 

ସେଇ ଗୋଲାପୀକୁ କେଚା ଆଣିଛି ଆସାମ ଆସିବାର ପ୍ରାୟ ତିନିବର୍ଷ ପରେ ।

 

ପାହାଡ଼ି ନାଗାଯୁବତୀ ସେ । ଘର ତାର ନେଫା ଅଞ୍ଚଳରେ । ଲଛମିପୁର ଜିଲା ସୀମାକୁ ଲାଗି ଅନାମିକା ଗୋଟିଏ ଗାଁରେ । ଜୀବନର ନାନା ଘାତ ପ୍ରତିଘାତ-ନାନା ନୌରାଶ୍ୟ ଓ ବିଫଳତା ମଝି ଦେଇ ଆଗେଇ ଆସିଛି ଯେ । ଦିନ କଟିଛି ଲାଞ୍ଛନାରେ ଉପବାସରେ । ଦରିଦ୍ରତାର ତୀବ୍ର କଷାଘାତ ସହି ନପାରି ସେ ଦିନ ସେ ପଳାଇ ଆସିଥିଲା ଗୋଟାଏ କଣ୍ଟ୍ରାକଟର ବାବୁ ସାଙ୍ଗରେ ଏହି ଆସାମକୁ । ତାଙ୍କ ପାଖରେ କାଟିଲା କେତେବର୍ଷ । ତାପରେ ସେ ବାବୁ ଚାଲିଗଲେ ତାଙ୍କର ଦେଶକୁ । ଆଉ ଫେରିଲେନି । ଗୋଲାପୀ ଭାସିଲା ଅକୂଳ ସାଗରରେ । କିନ୍ତୁ ସେ ଦୋଷ ଦେଇନି କାହାକୁ । ଯେପରି ଏଇଟା ତାର ଜୀବନର ଗୋଟାଏ ସ୍ୱାଭାବିକ ଘଟଣା । ଏହି ଭାବରେ ମାନିନେଲା ଅବସ୍ଥାଟାକୁ । ସେଇତକ ତାର ଦେହସୁହା ।

 

ଦୁଃଖୀମନେ ଦୁଃଖରେ ବେଶୀ କାତର ହୁଅନ୍ତିନି । ତେଣୁ ଗୋଲାପୀ ବି ସେତେ ଦୁଃଖ କଲାନି । କାହା ନିକଟରେ ରହିବ ? ଆହା କହିବାକୁ ଲୋକ ଥିଲେତ ? କେତେଦିନ ୟାଡ଼େ ସାଡ଼େ ମୁହଁ ଶୁଖାଇ ବୁଲି ବୁଲି ଲୋକର ଦୟାରେ ଦି ମୁଠାଖାଇ କାମ ଆରମ୍ଭ କଲା ବାବୁମାନଙ୍କ ଘରେ । ବାର ବର୍ଷ ବୟସରୁ ଗୋଲାପୀ ନିଯୁକ୍ତି ହୋଇଥିଲା ପାଣିଦିଆ ଓ ବାସନମଜା କାମରେ । ତା ପରେ ଚାଲିଗଲା କେତେ ବରଷ ।

 

ବୟସ କ୍ରମେ ସେହି ଝିଅଟି ସ୍ୱାସ୍ଥ୍ୟ ଓ ଲାବଣ୍ୟରେ ଭରି ଉଠିଲା । ପୁଷ୍ପିତ ଯୌବନର ସ୍ପଷ୍ଟ ଇଙ୍ଗିତଗୁଡ଼ିକ ତୀବ୍ର ହୋଇ ଫୁଟିଉଠିଲା ତାର ସାରା ଶରୀରରେ । ଯୌବନ ବସନ୍ତରେ ଜୁଟି ଗଲେ ଭ୍ରମର ଦଳ ଦଳ ହୋଇ ମଧୁ ଲୁଟିବାକୁ ଏକପରେ ଏକ । ଏହି ଯୌବନ କଳିକାଟି ଜାନୁଆର ଦଳଙ୍କ ଅତ୍ୟାଚାରରେ ଆହତ ଓ ପୀଡ଼ିତ ହେଲା । ଚାରିଗୋଟି ପ୍ରେମିକର ମରଣ ସମାଧି ଦେଖିଛି ସେ ନିଜ ଆଖି ଆଗରେ । ବର୍ତ୍ତମାନ ପଞ୍ଚମ ଅତିଥି ଏହି କେଚା । ଅତିଥି ତ ନୁହେଁ ଆଶ୍ରୟ ଦାତା ।

 

ଆସାମର କେଚାର କେହି ବନ୍ଧୁ ବାନ୍ଧବ ନାହାନ୍ତି । ନିଃସଙ୍ଗ ଜୀବନରେ ଏକମାତ୍ର ବନ୍ଧୁ ସେହି ଆଇତୁ ।

 

ଦିନେ ଆଇତୁ କହିଲା, କେଚା ଭାଇ ! ବାସନ ମଜା, ପାଣି ଅଣା, ରନ୍ଧାବଢ଼ା; ଘର ସଫା ଏସବୁ କରିବାକୁ ଗୋଟିଏ ସ୍ତ୍ରୀଲୋକ ରଖିବା ତୋର ନିହାତି ଦରକାର । ମଣିଷର ରୋଗ, ବଇରାଗ, ସୁଖ ଅସୁଖ ପୁଣି ତ ଅଛି । କଣ କହୁଛୁ ?

 

କେଚା ହଁ ଭରିଥିଲା ସେ କଥାରେ । ହେଲେ ମନ ଥିଲେ ବି ରଖିବାକୁ ସେ ପାଉଛି କେଉଁଠି ?

 

ଯାହା ହେଉ ବିଧିର ବିଧାନତ । ଗୋଲାପୀ ବରଣ କରିଥିଲା ପଞ୍ଚମ ପତି ରୂପରେ କେଚା ଗଣ୍ଡକୁ । କିନ୍ତୁ ସେ ତାର ବିଚିତ୍ର ଭୟ ଓ ଉଦବେଗଭରା ସ୍ମୃତି ଭୁଲି ପାରିବନି କେଉଁଦିନ ।

 

ଗୋଲାପୀର ସବୁଠାରୁ ଆକର୍ଷଣୀୟ ଥିଲା ତାର ସେହି ମଧୁଭରା ମୁଖଟି । ଦେଖିଲେ ଭଲ ପାଇବାକୁ ଇଚ୍ଛା ହୁଏ । ପିତୃ ମାତୃହୀନା ଅନାଥା ଯୁବତୀଟି ସୁନ୍ଦର । ବଡ଼ ବଡ଼ ଟଣା ଟଣା ଆଖି । ଓଠ ଦୁଇଟି ପତଳା । ନିଖୁଣ ତାର ଶରୀରର ଗଠନ। ଆଖିର କଳା ଡୋଳା କଳା ବେଣି ବଡ଼ ଚମତ୍କାର । ଦୁଇ କାନରେ ଦୁଇଟି ପିତ୍ତଳ ମାଙ୍କିଡ଼ି । କଥା କଥାକେ ହାତର ଅଭିନୟ । ଶରୀର ଦୋହିଲାରେ ମାଙ୍କିଡ଼ି ଝୁଲି ଗାଲରେ ମୃଦୁ ଆଘାତ କରେ । ଦାନ୍ତରେ ରଙ୍ଗ ବୋଧହୁଏ ବେଶୀ ପାନ ଖାଏ । ଆଖିରେ କଜ୍ଜ୍ୱଳ । ଦେହରେ ଶାଢ଼ୀ ଓ ରଙ୍ଗ ବେରଙ୍ଗର ଡୋରିଆ ବ୍ଲାଉସ୍ । ମୁହଁରେ ପାଉଡ଼ର ପାଦରେ ଅଳତା । ଏହି ରୂପଟି ତାକୁ ବେଶ୍ ମାନେ ।

 

ସେହି ଗୋଲାପୀ ଆଜି କେଚା ଗଣ୍ଡର ରକ୍ଷିତା । ରକ୍ଷିତା ତ ନୁହେଁ ପତ୍ନୀ । ହୁଏତ ତାର ବିବାହରେ ଶୁଭଶଙ୍ଖ ବାଜିନି । ବ୍ରାହ୍ମଣ ଛାୟା ମଣ୍ଡପ ତଳେ ବେଦମନ୍ତ୍ର ଉଚ୍ଚାରଣ କରି ତାଙ୍କର ହାତଗଣ୍ଠି ପକାଇ ନାହାନ୍ତି । ଅଗ୍ନି ସାକ୍ଷ୍ୟରେ ସେମାନଙ୍କୁ ଏକମନ ଏକପ୍ରାଣ କରି ଦିଆଯାଇନି । ହୁଏତ ତାର ଏଇ ପତ୍ନୀତ୍ୱଶାସ୍ତ୍ର ସମ୍ମତ ନୁହେଁ । କିନ୍ତୁ ତାର ପତ୍ନିତ୍ୱ ମାନବିକତା ସମ୍ମତ । ବିବାହ ପାଇଁ କଣ ମଣିଷର ଶାସ୍ତ୍ର ନିହାତି ଆବଶ୍ୟକ ? ନା, ତାହା ନୁହେଁ । ତାଙ୍କର ବିବାହ ପଛରେ ଥିଲା ପ୍ରକୃତିର ନିର୍ଦ୍ଦେଶ । ପୁରୁଷ ସହିତ ପ୍ରକୃତିର ମିଶ୍ରଣ ପାଇଁ ସ୍ୱତଃସ୍ଫର୍ତ୍ତି ଆବେଗ । ତେଣୁ ସେ ବିବାହ ବିଧି ସମ୍ମତ । ସୃଷ୍ଟିର ସନାତନ ଆହ୍ୱାନ-ସତ୍ୟ ।

 

ସେଇ ଗୋଲାପୀ ସତରବର୍ଷ ଧରି ତନ୍ନ ତନ୍ନ କରି ଚିହ୍ନ ଆସିଥିବା କେଚାକୁ ନେଇ ଭାବି ଚାଲିଥିଲା ଆକାଶ-ପାତାଳ । ଆଜି କାହିଁକି କେଚା ସମ୍ବନ୍ଧରେ ଭାବିବାକୁ ‘ତାକୁ ଭୟ ଲାଗିଲା-।’ ସତେ କଣ କେଚା ଅତୀତର ଚାରିଜଣଙ୍କ ପରି.... ?

 

ଆଃ ! ଶିହରି ଉଠିଲା ସେ । ତଥାପି ସେ ଭାବୁଥିଲା ସେଇ କଥା । ସତେ କଣ କେଚା ତାକୁ.... ।

 

(୬)

 

ଦିନ ପ୍ରାୟ ଦଶଟା । ରାସ୍ତାରେ ବେଶି ଲୋକ ନାହାନ୍ତି । ଏଠି ସେଠି କେତେଜଣ ପିଲା ଖେଳୁଥାନ୍ତି । ପରିଚିତ ଶ୍ରମିକ-ମାନେ କେଚାକୁ ପଚାରୁଥାନ୍ତି, ‘‘କୁଆଡ଼େ ଯାଉଛ ? ଆଜି କାମକୁ ଯାଇ ନାହିଁ କାହିଁକି ?’’ସେ କିଛି ଉତ୍ତର ଦିଏନି । କାରଣ ଗୋଲାପୀର କଥା ତ ମନକୁ ଆଜି ବଡ଼ ଜୋରରେ ଚିମୁଟି ଦେଇଛି ।

 

ସେ ଚୁପ୍ ହୋଇ ଗୋଟିଏ ଦେବଦାରୁ ଗଛ ମୂଳରେ ଟିକିଏ ବସିଲା । ସମବୟସ୍କ କେତେ କଣ ଶ୍ରମିକ ଜୁଟିଗଲେ । ଅଧଘଣ୍ଟାରୁ ବେଶି ସମୟ ଏହି ଏକ ଜାଗାରେ ବସି ରହିଛି ସେ-। ଅସହିଷ୍ଣୁ ଭାବଟା କଟାଇବା ପାଇଁ ଦୁଇ ତିନିଟା ବିଡ଼ି ବି ପଡ଼ିଛି ସେଠି ।

 

ହାତ ଠାରି ଡାକିଲା ଗୋଟିଏ ଟ୍ୟାକ୍ସିକୁ । ବସିଲା ଟ୍ୟାକ୍ସି ଭିତରେ । ଗଦିଟା ବଡ଼ ନରମ-। ମନଟାକୁ କେମିତି ଉଚାଟ କରି ପକାଏ । ନିର୍ଜନ ପଥ । ପତଳା କୁହୁଡ଼ି ଚାରିଆଡ଼େ-। ଶୀତ ପବନ ପଞ୍ଜାର ପର୍ଯ୍ୟନ୍ତ କମ୍ପେଇ ଦେଉଛି ।

 

ଟ୍ୟାକ୍ସି ଛୁଟି ଚାଲିଛି । ବହୁଦୂର ପର୍ଯ୍ୟନ୍ତ ଲମ୍ବା ଙ୍କକ୍ରିଟ୍ ପଥ । ମେନେଜର ବାବୁଙ୍କ କୋଠି ଆଉ ବେଶି ଦୂର ନୁହେଁ । ଟ୍ୟାକ୍ସିରୁ ଓହ୍ଲାଇ ପଡ଼ିଲା । ଗୋଟିଏ ତିନିତାଲା କୋଠା ପାଖରେ ବଡ଼ ସାଇନବୋର୍ଡ଼ଟି । ମ୍ୟାନେଜର ବାବୁଙ୍କ ଅଫିସ ଆଗ ସଦର ଦରଜାରେ ରଙ୍ଗୀନ ପ୍ଲାଷ୍ଟିକ ପରଦା ଦୋଳାୟମାନ ।

 

କେତେ ସପ୍ତାହ ପାଇଁ ସେ ଦେଶକୁ ଯାଉଛି । ବଡ଼ବାବୁଙ୍କଠାରୁ ତାର ଛୁଟିର ପ୍ରୟୋଜନ-। ଏକାନ୍ତ ପ୍ରୟୋଜନ ।

 

ସେ ଜଣେ ପୁରୁଣା କର୍ମଚାରୀ । ପ୍ରଥମେ ଆସି କୁଲି ଭାବରେ କାମ କରିଥିଲା । ଯୋର ହାଟଠାରୁ ସଇଁତିରିଶି ମାଇଲି ଦୂର । ମେଲଙ୍ଗ ଚା'ବାଗନାରେ । ପରେ ପାଇଲା ଚୌକିଦାରର କାମ । ମ୍ୟାନେଜର ବାବୁ ତାକୁ ଭଲ ଭାବରେ ଜାଣନ୍ତି ।

 

କେଚାକୁ ଦେଖି କେତେଜଣ ସହକର୍ମୀ କାମ ବନ୍ଦକରି ପାଖକୁ ଦୌଡ଼ି ଆସିଲେ । ସମସ୍ତେ ତାକୁ ଭଲ ପାଆନ୍ତି । କାରଣ ସେ ସମସ୍ତଙ୍କଠାରୁ ବୁଢ଼ା ଓ ପୁରୁଣା କର୍ମଚାରୀ । ହାଜିରବାବୁ ଡାକିଲେ କାମରେ ଲାଗିବା ପାଇଁ । ଦୁଇଘଣ୍ଟା ବିଳମ୍ବରେ ବି କିଛି ଯାଏ ଆସେ ନାହିଁ ।

 

କେଚାର କିନ୍ତୁ ଆଜି କାମରେ ମନ ନାହିଁ । ଜୀବନଟାଯାକ ଖାଲି କାମ, କାମ—ଟଙ୍କା, ଟଙ୍କା ? ଏହି ଅପରିଷ୍କାର ସନ୍ତସନ୍ତିଆ ପାର୍ବତୀୟ ସ୍ଥାନରେ କୋଡ଼ିଏ ବର୍ଷ କାମ କରିଛି ସେ । କିନ୍ତୁ ଆଜି ? ନାଃ, ହବନି । ହୋଇ ପାରିବନି ।

 

କେଚା ଧୀରେ ଧୀରେ ପାହାଚ ଉପରକୁ ଉଠିଲା । ଶେଷ ବଖରାରେ ମ୍ୟାନେଜରଙ୍କ ଅଫିସ । ସେ ଅଫିସ ଭିତରକୁ ଡର ଡର ହୋଇପଶିଲା ।

 

ସୁବେଶ ସୁପୁରୁଷ ବାବୁଟି । ଦେଖିଲେ ବୟସଟା କେତେ ଠିକ୍ ଭାବରେ ଜଣାପଡ଼େନା-। ପ୍ରଥମ ଯୌବନ ଉଦ୍ଦାମ ସୁଲଭ ଚପଳତା କଟି ଯାଇଛି । କିନ୍ତୁ ଉଜ୍ଜଳତା ଏବେ ବି ଅମ୍ଲାନ ସମୟର ନଦୀ ସ୍ରୋତ ବିରୁଦ୍ଧରେ କିଛି କହି ହେବନି ।

 

କେଚା ‘ବାବୁ’ ବସିଥିବା ଚେୟାର ନିକଟକୁ ଧୀରେ ଧୀରେ ଗଲା ।

 

‘‘କଣ ଦରକାର’’ବୋଲି ବାବୁ ପ୍ରଶ୍ନ କଲେ ।

 

ସେ ହଠାତ୍ କିଛି ଉତ୍ତର ଦେଇ ପାରିଲା ନାହିଁ । ପକେଟ୍ ଭିତରୁ ଗୋଟିଏ କାଗଜ କାଢ଼ି ଟେବୁଲ ଉପରେ ରଖି କହିଲା, ମୋର ଜନ୍ମ ସ୍ଥାନ ଓଡ଼ିଶା । କୋଡ଼ିଏ ବର୍ଷ ହେଲା କାମ କରୁଛି ଏଇଠି । ଦିନେ ଛୁଟି ନେଇ ନାହିଁ । ପାଞ୍ଚ ସପ୍ତାହ ଛୁଟି ଦରକାର ମା’ର ମୃତ୍ୟୁପୂର୍ବରୁ ଥରେ ଦେଖି ଆସିବାକୁ ଇଛା ।’’ଏକ ନିଶ୍ୱାସରେ ଏ ସମସ୍ତ କହିଗଲା କେଚା ।

 

ଗୋଟିଏ ବିସ୍ମୟର ରେଖା ମ୍ୟାନେଜର ବାବୁଙ୍କ ମୁଖ ମଣ୍ଡଳରେ । କି ଆଶ୍ଚର୍ଯ୍ୟ ! ତୁମର ମା ବର୍ତ୍ତମାନ ଜୀବିତ ?

 

ହଁ, ସାହେବ ! ସେ ଜୀବିତ ଓ ସୁସ୍ଥ ।

 

ବାବୁ ହସି ହସି କହିଲେ, ଯାହାହେଉ ତୁମେ ବହୁତ ବର୍ଷ ହେଲା ଆମର ଏଠି କାମ କରିଛ । ତୁମେ ମଧ୍ୟ ଜଣେ ପୁରାତନ ବିଶ୍ୱସ୍ତ କର୍ମଚାରୀ । ତେଣୁ ତୁମର ଛୁଟି ଦରମା ସହିତ ମଞ୍ଜୁର କରାଗଲା ।

 

କେଚା କୃତଜ୍ଞ ଚିତ୍ତରେ ସଲାମ୍‍ଟିଏ ପକେଇ ପଦାକୁ ବାହାରି ଆସିଲା । ବର୍ତ୍ତମାନ ତାର ପୋଷ୍ଟଅଫିସ ସେଭିଂସ୍‍ ବ୍ୟାଙ୍କ୍ରୁ ଟଙ୍କା ଉଠାଇବା ଦରକାର । ସମସ୍ତ କାମ ଏହି ଅପରାହ୍ନରେ ଶେଷ କରିବାକୁ ପଡ଼ିବ । ଆଜି ତାର ବଡ଼ ଖୁସି । ଆଉ ଯେ ସମୟ ନାହିଁ । ସେ ଘରକୁ ଯିବ । ତାର ଜନମ ଭୂଇଁକୁ । ମନରେ ଆଜି ତାର ପକ୍ଷୀ ଲାଗିଛି । ସେ ବଡ଼ ଭୋକ ଅନୁଭବ କଲା । ଭାବିଲା, କୌଣସି ଗୋଟିଏ ହୋଟେଲକୁ ଯାଇ କିଛି ଖାଇନେବ ।

 

ରେଷ୍ଟୁରାଣ୍ଟ ଛୋଟ । କିନ୍ତୁ ବିଲାତି ଢଙ୍ଗର । କୋଠରୀଟି ପରିଷ୍କାର ପରିଚ୍ଛନ୍ନ । ବିଜୁଳି ଆଲୁଅ ଓ ପଙ୍ଖାର ବ୍ୟବସ୍ଥା ବି ଅଛି । ଟେବୁଲ ପୁରଷ୍କାର କରୁ କରୁ ହସିଲା ହାଫ୍ ପ୍ୟାଣ୍ଟ ପିନ୍ଧା ବାଳକଟି କେଚାକୁ ଦେଖି । ପରଦା ଘୁଞ୍ଚାଇ ଢୁକିଲେ କେବିନ୍ ଭିତରେ କେଚା । ବୟ୍ ଆସିବାରୁ ଆସାମୀ ଭାଷାରେ ଆମଲେଟ୍‍ର ଅର୍ଡ଼ର ଦେଲା । ପରେ ଚା । ଆଜି ତାକୁ ଶୀଘ୍ର ଫେରିବାକୁ ହେବ-। ନୀରବରେ ଚା ଖାଇବା ଶେଷ ହେଲା । ପିଆଲା ଟେବୁଲ ଉପରେ ରଖି ସିଗାରେଟ୍ ଟିଏ ଜଳାଇଲା । ପରେ ବିଲ୍ ପଇସା ଦେଇ ରାସ୍ତାକୁ ଉଠି ପଡ଼ିଲା ।

 

ସବୁ କାମ ସାରି ଘରକୁ ଫେରିଲାବେଳକୁ ପ୍ରାୟ ସାଢ଼େ ଚାରିଟା । ଗୋଲାପୀ ଦରଜା ପାଖରେ ଦଣ୍ଡାୟମାନ । ପବନରେ ସାମନା ଆଡ଼ର ଫୁଲ ଗଛମାନ ଆନ୍ଦୋଳିତ । ଗୋଟାଏ ଆରାମର ଦୀର୍ଘଶ୍ୱାସ ଛାଡ଼ିଲା ସେ ।

 

ଗୋଲାପୀ କେଚା ମୁହଁକୁ ଚାହିଁଥାଏ ଓ କେଚା ଚାହିଁଥାଏ ଗୋଲାପୀକି । କେହି କାହାକୁ କିଛି ନକହି ନିରବ । ଘର ଭିତରେ ପଶି ଧୀର କୋମଳ କଣ୍ଠରେ ଡାକିଲା, ‘‘ଗୋଲାପି !’’ ଚମକି ଉଠିଲା ଗୋଲାପୀ । କିନ୍ତୁ ମୁହଁରେ ତାର ଭାଷା ନାହିଁ । ବିଷାଦର ଛାୟା ଯେପରି ତାର ମୁଁହରେ ଲୁଚକାଳି ଖେଳୁଛି ।

 

ନୀରବତା ଭାଙ୍ଗି ଶେଷରେ ଗୋଲାପୀ କହିଲା,‘‘କଣ ଛୁଟି ମିଳିଲା ?’’

 

କେଚା ଚାହିଁଲା ଗୋଲାପୀ ମୁହଁ ଆଡ଼କୁ । ଆଖିରେ ଲୁହ ଢଳ ଢଳ କରୁଛି ।

 

ମୁହଁରେ ହସ ଫୁଟେଇ କେଚା କହିଲା, ‘‘ହଁ, ସବୁ ଠିକ୍ ଠାକ୍ ।’’

 

—ତୁମର ଧନ ତୁମେ ଯେ କୌଣସି ପ୍ରକାରେ ଖର୍ଚ୍ଚ କରିପାର, କହି ଗୋଲାପୀ ଠିଆହେବା ସ୍ଥାନରୁ ରୋଷେଇ ଘର ଆଡ଼େ ଚାଲିଗଲା । ତା ପଛେ ପଛେ ଚାଲିଲା କେଚା ।

 

ହାତ ବଢ଼ାଇଲା କେଚା । ଧରାଦେଲାନି ଗୋଲାପୀ । କହିଲା ପାଖକୁ ଆସ । କଥା ନ କହି ଚୁପ ହୋଇ ବସିଗଲା ଗୋଲାପୀ ।

 

—କଣ ଭାବୁଛ ଗୋଲାପୀ !

 

ଗୋଲାପୀ ଉତ୍ତର ଦେଲା । କେଚାର ଦୃଷ୍ଟି ପଡ଼ିଲା ତାର ଆଖିଉପରେ । ଚମକି ଉଠିଲା କେଚା ।

 

—କଣ ହୋଇଛି ?

 

—କଣ ଆଉ ହେବ ? ପୁଣି ବିଷାଦର ରେଖା ଗୋଲାପୀ ମୁହଁରେ ଫୁଟି ଉଠେ । ମନ ଭିତରେ ଆବେଗ । ଚକ୍ଷୁ ଉପକୂଳରେ ଜମି ଉଠୁଥିଲା ଜଳଧାରା ।

 

—ମନେ ହୁଏ ଯେପରି ଦୁଃଖ ପାଇଛ, ନୁହେଁ ?

ସ୍ୱାମୀର କଥାରେ ମର୍ମାହତ ହୋଇପଡ଼େ ଗୋଲାପୀ । ରାଗ ଆସେ ମନରେ । କଣ ଉତ୍ତର ଦେବାକୁ ଯାଉଥିଲା, ଗଳାରେ କଥା ଅଟକି ଗଲା । ଉଠି ପଡ଼ି ଦ୍ରୁତ ଗତିରେ ବାଡ଼ିପଟକୁ ଚାଲିଗଲା । କେଚା ପଛେ ପଛେ ଯାଇ ଗୋଲାପୀକୁ ନାନା ଭାବରେ ଭୁଲାଇବାକୁ ଚେଷ୍ଟା କଲା । କିନ୍ତୁ ଗୋଲାପୀର ଆଉ ଧୌଯ୍ୟ ନାହିଁ । ବନ୍ଧ ଭାଙ୍ଗ ଆଖିରୁ ଝରିଲା ଗଙ୍ଗା ଯମୁନା ।

କେଚା ସନ୍ଧ୍ୟାରେ ବାହାରିଲା ବଜାରକୁ କଣ କଣ କିଣି ଘରକୁ ନେବା ସକାଶେ । ବର୍ଷ ବର୍ଷ ଧରି ତାର ଅଭିଳାଷ ଥିଲା ଗୋଟିଏ ଧଳା ସିଲକ କନାର ସୁଟ୍ କିଣିବା ପାଇଁ । ତା ସହିତ ପୁଣି ନରମ ଚମଡ଼ା ଯୋତା ଓ ଓ୍ୟାଚ୍ ଟିଏ । କିନ୍ତୁ ଗୋଲାପୀ ସେଥିରେ ବାଧା ଦେଇଥିଲା । କାରଣ ସେ ଶାନ୍ତିପ୍ରିୟ ଲୋକ । ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ଯିବାର ସାହସ ତାର ନଥିଲା ସେତେବେଳେ ।

ପ୍ରଥମେ ଗୋଟିଏ ରେଡ଼ି ମେଡ଼୍ ଦୋକାନରୁ ଫୁଲ୍ ପ୍ୟାଣ୍ଟ ଓ ସାର୍ଟଟିଏ କିଣିଲା । ତାପରେ ଆଉ ଗୋଟିଏ ଦୋକାନକୁ ଗଲା । ସୁବେଶ ତରୁଣ ଦୋକାନଟି ବିଶେଷ ଆଗ୍ରହରେ ଆଗେଇ ଆସିଲା । ଏପରି ଭାବରେ ଯେ କେଚା ଯେପରି ସେହି ଦୋକାନର ଜଣେ ନିୟମିତ କ୍ରେତା । ଝିଅ ପାଇଁ ରୋଲଡ୍‍ ଗୋଲଡ୍‍ ଇୟାରରିଙ୍ଗ୍, ପୁଅ ପାଇଁ ଏଣ୍ଡିକନାର ସାର୍ଟ । ସାନଭାଇମାନଙ୍କ ପାଇଁ ଦୁଇଟି ଖାକି ହାଫ୍ ସାର୍ଟ ଓ ପିଲାଙ୍କ ସକାଶେ ବିସ୍କୁଟ୍ । ନିଜ ପାଇଁ କିଣିଲା ପୁରୁଣା ରିଷ୍ଟ୍ ଓ୍ୟାଚ୍‍ଟିଏ ତିରିଶି ଟଙ୍କାରେ। ପୁଅ ବଣ୍ଡକୁକୁ ଛଅବର୍ଷ ବେଳେ ସେ ତାର ଗାଁ ଛାଡ଼ିଛି । ଆଜି ତାର ବୟସ ଛବିଶି । ଚେହେରା ତାର ବାରମ୍ବାର ମନେ ପଡ଼େ । ମୁଣ୍ଡ ତାଳୁ ଉପରେ କେରାଏ ବାଳ । କଉପୁନୀ ଖଣ୍ଡେ । ଆଉ ଝିଅ ମଶାନ୍‍ । ବଣ୍ଡକୁଠାରୁ ମୋଟେ ଚାରିବର୍ଷ ବଡ଼ । ପିଲାମାନଙ୍କ କଥା ମଧ୍ୟ ପାଶୋରି ନାହିଁ । ସାନ ଭାଇର ଦୁଇଟି ଝିଅ । ମଝିଆଁର ପୁଅ ଦୁଇଟି ।

 

ବୁଢ଼ୀ ମା ପାଇଁ କିଛି ଉପଯୁକ୍ତ ଜିନିଷ ପାଇଲା ନାହିଁ । ଫେରିଲା ବେଳେ ଗୋଟିଏ ଛୋଟ ଦୋକାନରୁ ଇଟାଲି ତିଆରି କମ୍ବଳଟିଏ କିଣିଲା । ସୁନ୍ଦର ମଜବୁତ ବୁଣା । ଦାମ୍ ସାତଟଙ୍କା ଆଠଅଣା । କିନ୍ତୁ ଗୋଲାପୀ ପାଇଁ ? କିଛି ନ କିଣିଲେ ଆଉ ରକ୍ଷା ଅଛି ? କିଣିଲା ବାଗ୍ରା ହାଟର ହ୍ୟାଣ୍ଡଲମ୍ ଶାଢ଼ୀଟିଏ । ଗୋଲାପୀ ରଙ୍ଗର ।

 

ଏଇ କୋଡ଼ିଏ ବର୍ଷ ଭିତରେ ଅନ୍ୟମାନଙ୍କ ପରି ଘରକୁ ସେ କିଛି ପଠାଇନାହିଁ । ଥରେ ମାତ୍ର ମା ପାଖକୁ ଟଙ୍କା ଦଶୋଟି ପଠାଇଥିଲା । ତାହା ପୁଣି ଗୋଲାପୀର ଅଜାଣତରେ ।

 

କେଚା ବସାକୁ ଫେରିଲା ବେଳକୁ ରାତି ଦଶଟା । ଘରଟି ଶୂନ୍‍ଶାନ । କେବଳ ଲଣ୍ଠନଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି । କେଚା ବଡ଼ ଶରଧାରେ ଗୋଲାପୀକୁ ଡାକି ଜିନିଷପତ୍ର ଲାଇନକରି ତଳେ ରଖିଦେଲା । ଖର୍ଚ୍ଚର ହିସାବ କଲା ମନେ ମନେ । ଶହେ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଯାଇଛି-। ଜୀବନରେ ଏତେଗୁଡ଼ାଏ ଟଙ୍କା କେବେ ସେ ଖର୍ଚ୍ଚ କରିନି ଏକାବେଳକେ । ଗୋଟାଏ ସାଧନା ଓ ସିଦ୍ଧିଲାଭର ସନ୍ତୋଷ ତାର ମନ ଭିତରେ । ତାର ଜୀବନର ସ୍ୱପ୍ନ ଯେପରି ସଫଳ ହୋଇଛି-। ସେ ଫେରିଯିବ ତାର ଜନମ ମାଟିକୁ ସାଙ୍ଗରେ ଏହି ଦାନଧରି । ଯେପରି ଦେଶ ବିଦେଶରୁ ସୌଦାଗର ଫେରି ଆସେ ଭ୍ରମଣସାରି ସ୍ୱଦେଶକୁ ।

 

ସେ ଏତେ ସନ୍ତୋଷ ଓ କଳ୍ପନାରେ ଭାସୁଥିଲା ଯେ ଗୋଲାପୀ କେତେବେଳେ ପାଖକୁ ଆସିଯାଇଛି ସେ ଜାଣେନା । ଗୋଲାପୀକୁ ଦେଖି ସେ ରହି ରହି କହିଲା, ଏହି ଜିନିଷଗୁଡ଼ିକ ଆଣିଛି ଦେଶକୁ ନେବା ପାଇଁ । ଦେଖିଲ ପସନ୍ଦ ହେବ କି ନା ?

 

ଗୋଲାପୀ ସ୍ୱାମୀର ଆନନ୍ଦ କ୍ଵଚିତ ଦେଖିଛି । ଦୁଇପାଦ ଆଗକୁ ଆସି ଛିଡ଼ା ହେଲା । ପ୍ରଦର୍ଶିତ ଜିନିଷମାନଙ୍କ ମଧ୍ୟରୁ ସେ ଗୋଟି ଗୋଟି କରି ଉଠେଇ ଆଣି ଦେଖିଲା । ଯେତେବେଳେ ପ୍ଲାଷ୍ଟିକ ଯେପରି ଭିତରେ ଥିବା ଗୋଲାପୀ ରଙ୍ଗର ଫାଇନ୍ ଶାଢ଼ୀଟି ଉପରେ ତାର ଆଖି ପଡ଼ିଲା କହିଲା,‘‘ଏଇଟି କାହାପାଇଁ ଆଣିଚୁ ?’’

 

‘‘ତୁମରି ପାଇଁ ।’’

 

ମୋ ପାଇଁ ? ସତେ ? ଆଉ କାହାପାଇଁ ନୁହେଁ ତ ?

 

ନା, ତୁମରି ପାଇଁ ।

 

ଥଟ୍ଟା କରୁ ନାହିଁତ ?

 

କେଚା କହିଲା, ସବୁ ସମୟରେ କଣ ଥଟ୍ଟାତାମସା ଚଳେ । ଗୋଲାପୀ ମୁହଁରୁ ରାଗର କଳା ମେଘ କଟିଯାଇଛି । ମୁଖମଣ୍ଡଳ ପ୍ରେମର ଆଭାରେ ଝଲମଲ କରୁଛି । ସେ କହିପାରିଲାନି କିଛି ।

 

ଏହି ଧଳାସୁଟ୍‍ଟି ମୋ ପାଇଁ । ଜୀବନ ଭିତରେ ଏଇ ଗୋଟିଏ ଥର । ଆନନ୍ଦରେ କେଚାର ପାଟି ଥରି ଯାଉଥାଏ । ଆଖି ଅପଲକ । ଯେପରିକି ଦୀର୍ଘ ଜୀବନପଥର ପଛକୁ ଫେରି ଚାହିଁ ସେ କଣ ଖୋଜୁଛି । ହଁ, ଗରିବ ଲୋକ ଥରେ ଜୀବନ ଭିତରେ ବେହିସାବୀ ଖର୍ଚ୍ଚ କରିପାରେ-। ଧନ ଇଛାନୁସାରେ ଫିଙ୍ଗିପାରେ ବଡ଼ ଲୋକଙ୍କ ପରି ।

 

ଗୋଲାପୀ ଆଉ ଆପତ୍ତି କଲାନି । ଯେପରି ତାର ସମସ୍ତ ଶକ୍ତି, ସମସ୍ତ ଦୃଢ଼ତା କିଏ ହରଣ କରି ନେଇଯାଇଛି । ସେ କେଚା ପାଖରେ ହାର ମାନିଛି । ବାସ୍ତବିକ୍ ତାର ଦାବୀ ଓ ଜୁଲମର ମୂଲ୍ୟ ଆଉ ସେଠାରେ କିଛି ନାହିଁ । ଦାବୀପୂରଣ ହେଲେ ମଣିଷ ଆଉ କଣ କରିବ ହାରିବା ବ୍ୟତୀତ ? ଆଉ ସେହି ହିରିବାରେ ଯେ କି ସୁଖ ତା କିଏ ବୁଝିବ ? ଆଜି ଗୋଲାପୀ ବୁଝିଲା କେଚା ପାଖରେ ହାରି ସେ କି ସୁଖ କି ଆନନ୍ଦ ପାଉଛି । ଖୁସିରେ ତାର ଆଖି ଦୁଇଟି ବୁଜି ହୋଇଗଲା । ଏ ତୃପ୍ତି ତା ପାଇଁ ଅତି ନୂଆ–ଖୁବ୍‍ ସୁନ୍ଦର ।

 

(୭)

 

୧୯୬୨ ମସିହା ଫେବୃଆରୀମାସ । ସକାଳୁ ସକାଳୁ ଟ୍ରେନ୍ ଛାଡ଼ିଲା ପ୍ରାୟ ଏକହଜାର ଯାତ୍ରୀଙ୍କୁ ଧରି ଗର୍ବଭରେ ହୁଇସିଲ ବଜାଇ । ସଙ୍ଗୀ ଶ୍ରମିକମାନେ କେଚାଠାରୁ ବିଦାୟ ନେଇ ଚାଲିଗଲେ । ଧୂଆଁର ମେଘ ଆକାଶକୁ ଉଠଛି । ସହଜେ ଆକାଶ କୁହୁଡ଼ିଆ ।

 

କେଚା ଟ୍ରେନ୍‍ର ରେଲିଂ ଧରି ଛିଡ଼ା ହୋଇଥାଏ । ଦେଖୁଥାଏ ବାହାର ଆକାଶ ଆଡ଼କୁ-। ଠିକ୍ ଆଜିକି କୋଡ଼ିଏ ବର୍ଷ ତଳେ ସେ ଏହିପରି ଥରେ ଏଠାକୁ ଯାତ୍ରା କରିଥିଲା । ସେତେବେଳେ ଜଣେ କେହି ତାକୁ ବିଦାୟ ସମ୍ବର୍ଦ୍ଧନା ଦେବାକୁ ଆସି ନଥିଲେ ସାଙ୍ଗରେ ।

 

ପ୍ରଥମେ ଯେତେବେଳେ ଆସାମ ମାଟିରେ ପାଦ ଦେଇଥିଲା ସେ ଥିଲା ବଡ଼ ହତାଶ । ପାଇଥିଲା ଚା ବଗିଚାରେ କୁଲିକାମ ଦୌନିକ ଚାରିଅଣା ମଜୁରୀରେ । ସକାଳ ଆଠଟାଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ରହିଆସିଛି ସେ ଏହି ଆସାମରେ । ତେବେ ଚୌକିଦାର ଚାକିରୀକୁ ପ୍ରମୋସନ ପାଇଛି । ମାସିକ ବେତନ ଷାଠିଏ ଟଙ୍କା ।

 

ଗାଡ଼ି ଚାଲୁଛି । କେଚା ଟ୍ରେନ୍‍ର ବେଞ୍ଚରେ ଗୋଡ଼ ଲମ୍ବାଇ ଫାଁ କରି ବସିଥାଏ ଦିନତମାମ । ସହଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ କୁଲି, ମଜୁରିଆ । ସେମାନଙ୍କ ସହିତ ସେ କଥା ପୁରୁଣାକାଳିଆ ଢଙ୍ଗରେ-ମୂର୍ଖ ମଫସଲିଆ ଭାଷାରେ । ଭାଷା ହିନ୍ଦୀ, ଓଡ଼ିଆ ଓ ଆସାମୀ ମିଶାମିଶି-। କେତେଜଣ ଶିକ୍ଷିତ ସହଯାତ୍ରୀ ଘୃଣା କଲେ ତାର ଏଇ ଅସଂସ୍କୃତ ଭାଷା ଓ ସାଧାରଣ ଜ୍ଞାନର ଅଭାବ ନେଇ ।

 

ଜଣେ ଯାତ୍ରୀ ପ୍ରଶ୍ନ କଲେ, ‘‘ଯିବ କେତେଦୂର ? ମାନେ କେଉଁଠି ଓହ୍ଲାଇବା ?’’

 

‘‘ବର୍ତ୍ତମାନ ଠିକ୍ କରିନି’’ । କେଚା ଉତ୍ତର ଦେଲା ।

 

‘‘ବର୍ତ୍ତମାନ ଠିକ୍ କରିନା’’

 

‘‘ନା, ଏଥର କରିବି ।’’

 

‘‘ଯଦି ତାହା ଗୋପନୀୟ ଥାଏ ତେବେ ମୋର ପଚାରିବା କି ଦରକାର ?

 

‘‘କି ଆଶ୍ଚର୍ଯ୍ୟ ? ଏସବୁ କଥା କାହିଁକି ଭାବୁଛ ତୁମେ ? ବିଶ୍ୱାସ କର । ମୁ ଏବେ ବି ଠିକ୍ କରିନି କେଉଁଠି ଓହ୍ଲେଇଯିବି । ସେଥିପାଇଁ ଦିନେ ଓଳିଏ ସମୟ ଦରକାର ।’’ ଏହି ଯାତ୍ରା ସହିତ ତାକୁ ସ୍ଥିର କରିବାକୁ ପଡ଼ିବ ସାରା ଜୀବନର—ଜୀବନ ଯାତ୍ରାର ପରିଧି ।

 

Unknown

କେଚା କପାଳରେ ଭାଙ୍ଗି ପଡ଼ିଛି । ପେଶୀ ବହୁଳ ରୁକ୍ଷ ଆବରଣ ମଝିରେ ଆଜୀବନ ବାସ କରିଆସିଛି ତାର କୋମଳ ଆଦିବାସୀ ମନ । ହାତରେ ରିଷ୍ଟଓ୍ୟାଚ୍, କିନ୍ତୁ ତାହା ଅଚଳ । ଚଳିବା ପାଇଁତ ଓ୍ୟାଚ୍ ନୁହେଁ ? ସାଜ ପୋଷାକ ମଧ୍ୟରୁ ଗୋଟିଏ । ବେଳେ ବେଳେ ନେଇ କାନ ପାଖରେ ରଖେ । କହେ କି ମୁସ୍କିଲ ? ବର୍ତ୍ତମାନ ଆଠଟା । ଓଃ ! ସତେ ତ । ଚାବି ଦିଆଯାଇନି । ବନ୍ଦ ହୋଇଯାଇଛି । କେହି ଯାତ୍ରୀ ପାଖରେ ଥିଲେ କହେ, କୁହତ ବାବୁ କେତେଟା ବାଜିଛି ? ପାଖର ଲୋକ ଘଡ଼ି ଦେଖି ସମୟ କହେ । ହାତ ସଙ୍ଗେ ସଙ୍ଗେ ଯଥାସ୍ଥାନକୁ ଫେରିଯାଏ । ଟାଇମ କରେକ୍ଟ ହୁଏ ।

 

କିଛି ଭଲ ନ ଲାଗିଲେ ବେଳେ ବେଳେ ସେ ଦରଜା ଖୋଲି ଛିଡ଼ା ହୁଏ । ଟ୍ରେନ୍ ସେହିପରି ଚାଲିଥାଏ ବନ ବିଲ ପାହାଡ଼ ପ୍ରାନ୍ତର ଦେଇ । ଦୁଇ ପାଖରେ ନଗ୍ନ-କେଦାର । ପର୍ବତମାନ ଦୂରରେ ଦଣ୍ଡୟମାନ । ଗୋରୁମାନେ ମୁହଁ ଟେକି ନୀରବରେ ଅନେଇଥାନ୍ତି । କ୍ଷେତକାମ କରୁଥିବା ଶ୍ରମିକମାନେ ଦଣ୍ଡକ ପାଇଁ ଛିଡ଼ା ହୋଇ ଟ୍ରେନ୍ ଆଡ଼େ ଦେଖନ୍ତି । ପବନ ବଡ଼ ଜୋରରେ ବହୁଥାଏ । ଇଞ୍ଜିନ୍‍ର କୋଇଲା ଗୁଣ୍ଡ ଆସି ଆଖି କାନରେ ପଶି ଯାଉଥାଏ । ଦରଜା ବନ୍ଦ କରିଦେଇ ବେଞ୍ଚ ଉପରେ ବସିଯାଏ କେଚା ।

 

ଗାଡ଼ି ଅବିରାମ ଗତିରେ ଚାଲିଛି । ବିଜୟନଗର ଷ୍ଟେସନରେ ପହଞ୍ଚିବାପାଇଁ ଆସାମ ଫେରନ୍ତା ଯାତ୍ରୀମାନେ ବଡ଼ ଉତ୍କଣ୍ଠିତ । ହୁଇସିଲ୍ ବାଜିବା ମାତ୍ରେ ଗାଡ଼ିର ଗତି ଧିମେଇ ଆସିଲା । ଗାଡ଼ି ଅଟକି ଗଲା ବିଜୟନଗର ଷ୍ଟେସନରେ । ସେତେବେଳକୁ ସମୟ ସକାଳ ଦଶଘଣ୍ଟା ।

 

ଷ୍ଟେସନ ପାଖ ପ୍ରକାଣ୍ଡ ଦୀଘିରେ ପରିଷ୍କାର ଆକାଶର ଛାୟା—ପରିଷ୍କାର ନୀଳ ଆକାଶ । ଆଇନ ପରି ଜଳ । ଏଠି ସେଠି ଧଳା ମେଘ ଖଣ୍ଡ ଖଣ୍ଡ ହୋଇ ଭାସୁଛି । କେଚା ମନ ବଡ଼ ତାଜା ହୋଇଉଠିଲା ।

 

ଯାତ୍ରୀମାନେ ବଡ଼ ଚଞ୍ଚଳ ହୋଇଉଠିଲେ । ଟ୍ରେନ ରହିବ ମୋଟେ ପନ୍ଦର ମିନିଟ୍ । ପେଡ଼ି ପୁଟୁଳା ତର ତର ହୋଇ ତଳକୁ କାଢ଼ିଲେ । କିଏ ଯିବ ଜଗଦଳପୁର, କିଏ ଯିବ ଜୟପୁର, ମାଲକାନଗିରି । କେତେ ଜଣ କୋୟା ଆଦିବାସୀ । ସେମାନଙ୍କ ପିଲା କୁଟୁମ୍ବ ଧରି ଫେରୁଥାନ୍ତି ଆସାମରୁ ଘରକୁ । ଟି.ଡ଼ି.ଏଲ.ଏ.ଦାସ ଥାଏ ଅପେକ୍ଷାରେ । ଦିନ ଦୁଇଟାରେ ଷ୍ଟାର୍ଟ ।

 

ବଡ଼ ଭୋକ । ତେଲୁଗୁ ଦେଶ । ଦ୍ରାବିଡ଼ ଜାତିର ରୁଣ୍ତୁ ମୁଣ୍ଡୁ ଭାଷା ସେ ବୁଝିପାରୁନି । ଭଙ୍ଗା ଭଙ୍ଗା ହିନ୍ଦୀ କହି ଗୋଟିଏ ରେଷ୍ଟୁରାଣ୍ଟରୁ ପୁରି, ତରକାରୀ ଓ କପେ ଗରମ କଫି ଖାଇ ବାହାରି ଆସିଲା । ମୋଟେ ପଚାଶ ନୂଆ ପଇସାରେ ତୃପ୍ତି କରି ଜଳଖିଆ । ଆସାମରେ ତାହା ସତକୁ ସତ ବାରଅଣା ହୋଇଥାନ୍ତା ।

 

କଳାବାସଟି ଚାଲିଲା । କେଚାର ମନ ଏଥର ବଡ଼ ହାଲୁକା ଓ ଖୁସି । ଯେତେବେଳେ ସେ ଆସି ଓଡ଼ିଶା ବାଉଣ୍ଡରୀ ଡେଇଁ ପଟାଙ୍ଗୀ ଘାଟିରେ ପହଞ୍ଚିଲା ଦେଖିଲା ଦୁଇ ପାଖରେ ସୁନ୍ଦର ସୁନ୍ଦର ପ୍ରାକୃତିକ ଦୃଶ୍ୟ, ଲତା ଗୁଳ୍ମାବୃତ୍ତ ପାର୍ବତ୍ୟ ଶୃଙ୍ଗ । ଛୋଟ ଛୋଟ ଆଦିବାସୀ ପଲ୍ଲୀ । ଏଠି ସେଠି ଘଞ୍ଚ ବଣ । ପାର୍ବତ୍ୟ ନଦୀର ଜଳସ୍ରୋତ ବହିଯାଉଛି ପଥର ସନ୍ଧିରେ । ଏ ସବୁ ଦେଖିବା ସର୍ତ୍ତେ ଦେଖୁ ନାହିଁ ସେ କିଛି । ସେ ଭାବୁଛି ତା’ର ମା, ଭାଇ ଓ ପିଲାମାନଙ୍କ କଥା । ଆହୁରି ମଧ୍ୟ ଭାବୁଛି କୋଡ଼ିଏ ବର୍ଷ ହେଲା ଯେଉଁ ଲୋକଟା ନିରୁଦ୍ଦିଷ୍ଟ ଥିଲା, ସେ ଯଦି ସହସା ଗାଁର ଆତ୍ମପ୍ରକାଶ କରେ, ତେବେ ? ତେବେ କିପରି ହେବ ସେ ଦୃଶ୍ୟ ।

 

ମଝିରେ ମଝିରେ ଜୀବନଟା ବଡ଼ ତିକ୍ତ ଲାଗେ ତାର । ଯେଉଁ ସ୍ୱପ୍ନକୁ ସେ ଏତେ ଦିନ ମନ ଭିତରେ ପୋଷି ଆସିଛି, ସେହି ଆଶାର ସ୍ୱପ୍ନ ତାର ବାସ୍ତବ ହୋଇଉଠେନା । ଅନେକ ଦିନ ପରେ ଫେରୁଛି ଗାଁକୁ । କୋଡ଼ିଏ ବର୍ଷ ହେଲା ସେ ବାଗବେଢ଼ା ଗାଁ ଦେଖିନି । ସେଠାକାର ଆତ୍ମୀୟ ସ୍ୱଜନ ଛୁଟି ଆସିବେ ତାକୁ ଦେଖିବା ପାଇଁ । ସେ କଣ ସେମାନଙ୍କର ଉଚ୍ଛ୍ୱସିତ ଅଭିନନ୍ଦନ ବଦଳରେ କିଛି ଉପହାର ଦେଇପାରିବ ? କୋଡ଼ିଏ ବର୍ଷ ହେଲା ଦୁନିଆ ବଜାରରେ ହଜି ଯାଇସୁଦ୍ଧା କାହାକୁ ଭୁଲିପାରିନି ସେ । ହଠାତ୍ ତାକୁ ଦେଖି ସମସ୍ତେ ଅବାକ୍ ହୋଇଯିବେ ।

 

ଆଜି ଦେଶ ପରିବର୍ତ୍ତିତ । ତାକୁ ଆଉ କେହି ଚିହ୍ନି ପାରିବେନି । ସେଠାରେ ସେ କିପରି ଭାବରେ ଗୃହୀତ ହେବ କିଏ ଜାଣେ ।

 

ବାସ୍‍ଟା ବଡ଼ ଯୋରରେ ଚାଲୁଛି । ଘାଟି ଉପରେ ଟର୍ଣ୍ଣିଂ ଜାଗାମାନଙ୍କରେ ବାସ ଘୂରିବାବେଳେ ସତେ ଯେମିତି ସେ ତଳେ ପଡ଼ିଯିବ ।

 

ଜୟପୁରରେ ପହଞ୍ଚିଲା ବେଳକୁ ରାତି ନଅଘଣ୍ଟା । ଗଲାଦିନ ଏହି ସହର କେଡ଼େ ସାନ ବା ନଥିଲା । ଗୋଟିଏ ବଡ଼ ଗାଁ ମାତ୍ର । ବିଜୁଳି ବତୀ ତ ନ ଥିଲା ସେତେବେଳେ ।

 

ପରଦିନ ସନ୍ଧ୍ୟା ପାଞ୍ଚଘଣ୍ଟାରେ ପହଞ୍ଚିଲା ରାଇଘରରେ । ଆଜି ତାର ବୟସ ପଞ୍ଚାବନବର୍ଷ । କିନ୍ତୁ ଦେଖିଲେ ତାର ଘଟଣାବହୁଳ ଜୀବନର ପରିଚୟ ମିଳେନା ।

 

ବସ୍‍ଷ୍ଟାଣ୍ଡରେ କୁଲି ନାହାନ୍ତି । ଯେ ଜଣେ ଦିଜଣ ଥିଲେ ସେମାନେ ରାତିରେ ଦେଢ଼କୋଶ ବାଟ ଯିବାକୁ ମନାକରି ଦେଲେ । କେଚାକୁ ବାଧ୍ୟହୋଇ ଶଗଡ଼ ବନ୍ଦୋବସ୍ତ କରିବାକୁ ପଡ଼ିଲା । ଆଉ ଆଗପରି ଆଜି ବଡ଼ ସୁଟକେଶଟିଏ ମୁଣ୍ଡରେ ବୋହି ନେବାର ଶକ୍ତି ତାର ନାହିଁ ।

 

ଶଗଡ଼ ଚାଲିଛି କଚା ରାସ୍ତାରେ ମନ୍ଥର ଗତିରେ ହଲି ଲଲି । ଅଦ୍ଭୁତ ଆବାଜ । ରାସ୍ତାଧାରରେ ଛୋଟ ଛୋଟ ବାବୁଲା ଗଛ । ବଦଲି ଗଛରେ ପେନ୍ଥା ପେନ୍ଥା ନାଲି ନାଲି ଫୁଲ । ହରିଡ଼ା ଗଛର ପାଚିଲା ପତ୍ର ଶତକଡ଼ା ପଚାଶ ପବନରେ ଝଡ଼ି ପଡ଼ିଛି । ଘାସ ସବୁ ମରି ଶୁଖି ଯାଇଛି । କଠିନ ନଗ୍ନ ଟାଙ୍ଗରା ଭୂଇଁ । ଲାଗିଯାଇଛି ସରଗି ଓ ବିଜାଗଛର ରିଜର୍ଭ ଜଙ୍ଗଲ ଗୋଟିଏ ପାଖରେ। ସଞ୍ଜୁଆ ମହୁଲ ଫୁଲର ମଧୁର ଗନ୍ଧ ପବନରେ ଭାସି ବୁଲୁଛି । ମହୁଲ ଟପ୍ ଟପ୍ ହୋଇପଡ଼ୁଛି ଗଛରୁ । ଉଲଗ୍ନ ବାଳକ ବାଳିକା ମହୁଲ ସାଉଣ୍ଟି ଫେରୁଛନ୍ତି ଘରକୁ ସନ୍ଧ୍ୟା ଆସିବା ପୂର୍ବରୁ ।

 

କ୍ରମେ ସନ୍ଧ୍ୟାର ଅନ୍ଧକାରରେ ସମସ୍ତ ଅସ୍ପଷ୍ଟ ହୋଇଉଠୁଛି । ପଲ୍ଲୀ ଗାଁ ତ । ବାଟରେ ଦେଖିଲା ଜଣେ ଦୁଇଜଣ ବାସ୍ତୁହରା ପୂର୍ବ ପାକିସ୍ତାନର ବଙ୍ଗାଳି ଲୋକ ।

 

ମନରେ ଅପୂର୍ବ ଆନନ୍ଦର ଢେଉ । ଯେତେବେଳେ ତା ଘରପାଖ ରାସ୍ତାପାଖକୁ ଶଗଡ଼ ଉଠିଲା ମନ ଉଲ୍ଲାସରେ ଭରିଗଲା କେଚାର । ଦୁଇ ପାଖରେ ଆଗର ଆଉ ସେ କଣ୍ଟା ବଣ ନାହିଁ । ମାଇଲ ମାଇଲ ପଦା । ଟ୍ରାକଟର କର୍ଷିତ ଧାନଚାଷର ଭୂମି ବହୁଦୂର ଚକ୍ରବାଳ ସହିତ ମିଶିଯାଇଛି-। ସତେ ମଣିଷ ହାତର କରଣୀରେ ଯେପରି ଏକ ଅଭିନବ ରୂପ ଗଢ଼ି ଉଠିଛି । ଦେଖିଲା କାମରୁ ଫେରନ୍ତା ଅସଂଖ୍ୟ କୁଲି । ବଡ଼ ବଡ଼ ଟ୍ରାକଟର, ବୁଲଡୋଜର । ମଝିରେ ନୂତନ ରାସ୍ତା–ନୂତନ ଆଦିବାସୀ ଗ୍ରାମ । ପିଲାଦିନେ ଏପରି ତ ସେ କେବେ ଦେଖିନି । ତେବେ କଣ ସେ ବାଟ ଭୁଲିଛି-?

 

ମାଘ ମାସର ସଞ୍ଜ ପହର । ଆକାଶରେ ସନ୍ଧ୍ୟା ତାରା ଉଠିଛି । ଶଗଡ଼ ଗାଁ ପାଖରେ ପହଞ୍ଚି ଗଲା । ବହୁତ ଲୋକ ଜମା ହୋଇପଡ଼ିଲେ । ଦଳ ପରେ ଦଳ । କେଚା ଆସିଛି କେଚା ଆସିଛି ବୋଲି ଚାରିଆଡ଼ୁ କି ସ୍ତ୍ରୀ କି ପୁରୁଷ ସମସ୍ତଙ୍କ କଣ୍ଠ ଧ୍ୱନିତ ହୋଇଉଠିଲା । ନାଡ଼ୁ ଗଣ୍ଡର ପୁଅ କେଚା ଆଜି କୋଡ଼ିଏ ବରଷ ପରେ ଘରକୁ ଫେରିଆସିଛି ।

 

ସେଇ ସମ୍ମିଳିତ ଆନନ୍ଦ ମଝିରେ ଆସି ଠିଆ ହୋଇଗଲା ଭାରି ସୁଟକେଶ୍ ହାତରେ ଜଣେ ଡେଙ୍ଗା ବୁଢ଼ା ମଣିଷ କେଶ ବରଫ ପରି ଧଳା ଓ ପତଳା । ମୁହଁର ଚରମ ଲୋଚା କୋଚା । ଚକ୍ଷୁ ବଡ଼ ବଡ଼ ଓ ନିଷ୍ପ୍ରଭ । ପାଟିରୁ କେତେଟା ଦାନ୍ତ ବିଦାୟ ନେଇଛି । ପିନ୍ଧିଛି ଧଳା କନାର ହାଫ୍‍ପଞ୍ଜାବୀ, ଢିଲା ପାଇଜାମା । ଆଣ୍ଠୁ ପର୍ଯ୍ୟନ୍ତ ମୋଡ଼ିଉଠେଇ ଦେଇଛି । ପାଟିରେ ଧଳା ସିଗାରେଟ ଓ ପାଦରେ ଚପଲ ।

 

ପଲ୍ଲୀ ଗ୍ରାମରେ ଦାମିକା ବେଶ ପୋଷାକରେ ହଠାତ୍ ଏପରି ପହଞ୍ଚିଯିବା ଅତି ଅସାଧାରଣ । ବାଟରେ ଖେଳୁଥିବା ପିଲାମାନେ ମଧ୍ୟ କେଚାକୁ ଦେଖିବା ପାଇଁ ଦୌଡ଼ି ଆସିଲେ ।

 

ଠିକ୍ କୋଡ଼ିଏ ବର୍ଷ ଆଗେ ଗୋଟିଏ ଶୀତ ଥଣ୍ଡା ଦିନେ ଏଇ ଘରର ଅତୀତ ଗୌନ୍ତିଆ କେଚା ଗଣ୍ଡକୁ ତାର ଭାଇମାନେ କହିଥିଲେ, ‘‘ତୁ ଏଠୁ ଚାଲିଯା । ତୋର ମୁହଁ ଦେଖିବାକୁ ଆମେ ଚାହୁଁନା ।’’ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଆଜି ତା ଆଡ଼ୁ ଅନେଇଥାନ୍ତି ।

 

‘‘ମତେ କଣ ଚିହ୍ନି ପାରୁନା ? ମୁଁ ପରା କେଚା ।’’ ସେମାନଙ୍କ ଭିତରୁ ଅନେକେ ଅପରିଚିତ । ସେମାନଙ୍କୁ ସେ ଚିହ୍ନିପାରୁନି ।

 

କେଚା ? ହଁ, ସେଇ ହଜିଯିବା ଲୋକଟା । କେଉଁଠି ଥିଲ ଏତେ ଦିନ ? କେ ଚିହ୍ନେ ତାକୁ ? ଏତେ କାଳ ପରେ ତାର ମନେ ପଡ଼ିଲା । ତାର ଭାଇମାନେ ଶଗଡ଼ ପାଖକୁ ଚାଲି ଆସିଲେ । ସେ ‘ମା’ ‘ମା’ ବୋଲି ଚିତ୍କାର କରି ଉଠିଲା ।

 

ବୁଢ଼ୀ ନଇଁ ନଇଁ ଆଗେଇ ଆସିଲା କେଚାଆଡ଼େ । ଅଣ୍ଟା ଭାଙ୍ଗି ପଡ଼ିଛି । ବୟସ ଅଶୀବର୍ଷରୁ ବେଶୀ । ଆଗ ପରି ଦୂରର ଜିନିଷ ସେ ଠଉରେଇ ପାରେନା ।

 

‘କେଚା’ ‘କେଚା’ ବୋଲି ମା ତାର ଡାକି ଉଠିଲା । ସେ ସ୍ୱର କି କରୁଣ ? ତାର ଲୋଳିତ ମାଂସହୀନ ମୁଖମଣ୍ଡଳ ମୁହୂର୍ତ୍ତକ ପାଇଁ ଆନନ୍ଦରେ ଯେପରି ଥରି ଉଠିଲା । କେଚା ଅନୁଭବ କଲା ତାର ସର୍ବାଙ୍ଗରେ ଏକ ଅପୂର୍ବ ଶିହରଣ । ସେ ଯୋରରେ ମା’କୁ ଚାପି ଧରିଲା ।

 

ପୁଣି ମା’ ଡାକିଲା କେଚା, କେଚା । ଏହି କେଚା ନାମ ତାକୁ ଅଦ୍ଭୁତ ଲାଗିଲା । ଏହି ଡାକ ଯେପରି କେଉଁ ଦୂର ଅତୀତର ସ୍ମୃତି ପଛକୁ ଫେରାଇ ନେଇଗଲା ତାକୁ । ସେ ଭାବି ନଥିଲା ପୁଣି କେବେ ତାର ମା ତାକୁ ଦେଖିବ ବୋଲି । ବର୍ତ୍ତମାନ ଅନୁଭବ କଲା ମା’ର କୋମଳ ପରଶ ଗଭୀର ଭାବରେ ।

 

ବୁଢ଼ୀ ବାପା ବାପା ବୋଲି କୁଣ୍ଢେଇ ଧରିଲା କେଚାକୁ । ଧୀରେ ଧୀରେ ତାର ମଥାରେ ହାତ ବୁଲାଇ ବୁଲାଇ କହିଲା, ସତେ ତତେ ଦେଖିବି ବୋଲି ମୋର ଭରସା ନଥିଲା । କେତେଦିନ ଏପରି ଦୁଃଖ କଷ୍ଟରେ ପଡ଼ିଥିବି ବାପା । ବେଶି ଦିନ ବଞ୍ଚିବି ବୋଲି ଆଶା ନାହିଁ । ତୁ ନଥିବାରୁ ଘର ଅନ୍ଧାର ଥିଲା । ଆଜି ମୁଁ ଅନ୍ଧୁଣୀ ଆଖି ପାଇଛି । ସେ ଆଉ କିଛି କହି ପାରିଲାନି । ଝର ଝର କରି କାନ୍ଦି ଉଠିଲା ।

 

ମୁଁ ନ ଥିବାରୁ ତୁମ୍ଭେମାନେ ଆରାମରେ ଅଛ । କେଚା କହିଲା ।

 

‘‘ସେପରି କହନା ବାପ’’ । କହି ଶିର ଚୁମ୍ବନ କଲା ବୃଦ୍ଧା । ତା’ପରେ କେଚା ତାର ସବା ବଡ଼ ଭଉଣୀ ପୁଟ୍‍କିକୁ ଆଲିଙ୍ଗନ କଲା । ତାର ବୟସ ଷାଠିଏରୁ ବେଶି । ମୁଣ୍ଡରେ ଗୋଛାଏ ଧଳା ବାଳ । ଗଣ୍ଠିଟି ବାମଆଡ଼େ । କେଚାକୁ ଦେଖି କଣ ସମ୍ବୋଧନ କରିବ କିଛି ଠିକ୍ କରିପାରୁନି । କେବଳ ଏତିକି କହିଲା, ‘‘କେଚା ! ତୋ ମୁଣ୍ଡ ଚନ୍ଦା ହୋଇ ଯାଇଛିରେ ।’’

 

ସାନଭାଇ ଭଉଣୀ ପିଲାମାନେ ଆସି କେଚାକୁ ଛୁଇଁ ଦେଉଥାନ୍ତି—ଆଲିଙ୍ଗନ କରିଥାନ୍ତି-। ଯେପରି ସେ ଗୋଟିଏ ଛୋଟ ପିଲା । ବୃଦ୍ଧା କହୁଥାଏ ‘‘ହେ ଭଗବାନ ! ଆଜିର ଏ ଦିନକୁ ଦେଖିବା ପାଇଁ ବଞ୍ଚାଇ ରଖିଛ ତମେ ।’’

 

ସବୁଠାରୁ ସାନ ଭଉଣୀ ଝତିରି ଆସି ପହଞ୍ଚିଗଲା ତାର ଏଇ ଭଉଣୀ ବିବାହର ଚାରିବର୍ଷ ପରେ କେଚା ଗାଁ ଛାଡ଼ିଛି । ସ୍ୱଭାବର କିଛି ପରିବର୍ତ୍ତନ ନାହିଁ । ସେହିପରି ପିଲାଳିଆ କଥା-। କହିଲା, ଭାଇ । ଏତେ ଦିନେ ତୋର ମନେ ପଡ଼ିଲା । ଆମକୁ ଦେଖିବାକୁ ଆସିଲୁ ?

 

କେଚା ଟିକେ ହସିଲା ।

 

ବୁଢ଼ୀ ମା ତାର ମନେ ମନେ ଭାବୁଥାଏ ଆହା ! ପାଞ୍ଚ ପୁଅରୁ ଦୁଇଟିକୁ ହରାଇଥିଲି । ଏହି ପୁଅଟି ମୋର ଯୋଗ୍ୟ ଓ ଧନବନ୍ତ ହୋଇ ଫେରିଆସିଛି ପାଖକୁ ।

 

କେଚା ଜୀବନର ଅଧେ ଉମର କଟିଛି ଏଇ ବସ୍ତିରେ । ଗାଁରେ ତାର ସମସ୍ତେ ଚିହ୍ନା । ଯେତେବେଳେ ଦୀର୍ଘକୋଡ଼ିଏ ବର୍ଷ ପରେ ଗାଁକୁ ଫେରି ଆସିଲା, ସମସ୍ତଙ୍କ ଆନ୍ତରିକ ସମ୍ବର୍ଦ୍ଧନା ତ ପାଇଲା । ବାଲ୍ୟବନ୍ଧୁ ବି ଜୁଟିଗଲେ କେତେଜଣ । ଫଟକୁ, କାଉରା, ଝିଟବୁ ଓ ଆଉରି ଅନେକ । ଏମାନେ କେହି କେହି ରୋଡ଼ କୁଲି ହଡ଼ା ବେପାରୀ । କିନ୍ତୁ ସମସ୍ତେ ଅସଲ ଗୁଣ୍ଡା । ସୁବିଧା ପାଇଲେ ହାଟଦିନ ବଣବାଟରେ ଆଦିବାସୀମାନଙ୍କୁ ଜୁରନ୍ତି । ଲୋକେ କହନ୍ତି ଫଟକୁ, କାଉରା ଖୁଣ୍ କରି ଜେଲ ଭୋଗିଛନ୍ତି । ସେମାନଙ୍କୁ ମଧ୍ୟରୁ ସେ ଅନେକଙ୍କୁ ଚିହ୍ନିପାରୁନି । ସମସ୍ତେ ଯେପରି ବଦଳି ଯାଇଛନ୍ତି ।

 

କେଚା ଘର ଭିତରକୁ ଆସିଲା । ବହୁ ପୁରୁଣା ଛୋଟ ଚାଳଘରଟି ଏବେ ବି ରହିଛି । କାନ୍ଥ ଯାକ ଫାଟ ଫାଟ । କେତେ ଜାଗାରେ ମାଟି ଲେସା ଯାଇଛି । ଚାଳ କଣା କାନ୍ଥରେ ବର୍ଷା ପାଣି ବୋହିଛି । ଛାତର ବହୁ ଯାଗାରେ ଖୁଞ୍ଚା ଦିଆଯାଇଛି ।

 

‘‘ବାପ, ତୁ ହାତ ମୁହଁ ଧୋଇ ଦିଟା କଣ ଖାଇଦେ ।’’

 

କେଚାକୁ ଆଣି ଦେଲେ ପଡ଼ିଶାଘରୁ ମାଣ୍ଡିଆ ପେଜ ଓ ପିତାକନ୍ଦା ତରକାରୀ ।

 

‘‘ ମା ! ତୁ ଆଗ ଖା ।’’ କେଚା କହିଲା ।

 

ନା, ବାପ, ତୁ ବହୁତ ବାଟରୁ ଆସିଛୁ । ତୋତେ ଭୋକ କରୁଥିବ । ଏହା କହି ବୁଢ଼ୀ ମା’ ତାର କୁକୁଡ଼ା ମାଉଁସର ଆମ୍ବିଳ ଟିକେ ନେଇ କେଚା ପାଖରେ ଥୋଇଲା । ସେଥିରୁ ଟିକିଏ ଖାଇ କେଚା କହିଲ, ମା’ ! ତୋ ପରି ଏଡ଼େ ସୁଆଦ କିଏ ରାନ୍ଧି ପାରିବ ?

 

ଖାଇ ସାରିବା ପରେ କେଚା ସୁଟକେଶ୍ ଖୋଲିଲା । ପ୍ରଥମେ କମ୍ବଳଟିଏ ବାହାର କରି କହିଲା, ମା’ ! ନେ । ଏଇଟା ତୋର । ବୁଢ଼ୀ ଅତି ଆନନ୍ଦରେ କାନ୍ଦି ପକାଇଲା କମ୍ବଳଟି ଧରି ।

 

ବାସ୍ତବିକ୍ ମା’ତାର ସନ୍ତାନମାନେ ବଡ଼ ହେବାଯାଏ ବଡ଼ କଷ୍ଟ କରେ । କେଚା ପ୍ରତି ତାର କର୍ତ୍ତବ୍ୟ ମଧ୍ୟ ଦିନେ ସେହିପରି ଥିଲା । ବର୍ତ୍ତମାନ ସେ ବୃଦ୍ଧା । ପୁଅ ତାର ସାତ ସମୁଦ୍ର ତେର ନଈ ପାରି ହୋଇ ତାକୁ ଦେଖିବାକୁ ଆସିଛି । ଗାଁର ପଡ଼ୋଶୀମାନେ ନିଶ୍ଚୟ କହିବେ ଯେ ନାଡ଼ୁଗଣ୍ଡର ଏପରି ଗୋଟିଏ ପୁଅ ଅଛି ବୋଲି । ତା ଗାଲ ଉପରେ ଉଛୁଳା ଲୁହଧାର ବୋହିଗଲା-। ଲୁହ ପୋଛି ପୋଛି କେଚାକୁ ମନେ ମନେ ଆଶୀର୍ବାଦ କଲା ବୁଢ଼ୀ ।

 

କେଚା ସୁଟକେଶରୁ ଗୋଟିଏ ଗୋଟିଏ କରି ଜିନିଷମାନ କାଢ଼ି ବାଣ୍ଟି ଦେଲା । ପିଲାମାନେ ବିସ୍କୁଟ୍ ଖାଇ ମହାଖୁସି ।

 

କିନ୍ତୁ ଝିଅ ମଶାନ୍‍ର ଇଅରିଂ ଓ ପୁଅ ବଣ୍ଡକୁ ପାଇଁ ଆଣିଥିବା ଏଣ୍ଡିକନାର ସାର୍ଟ ଯେ ରହିଗଲା ।

 

ଶୁଣିଲା ମଶାନ୍‍ ନିରୁଦ୍ଦେଶ ବହୁଦିନରୁ । ତାର ପତ୍ତା ନାହିଁ । ପୁଅ ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ସାହାଯ୍ୟରେ ପାଠପଢ଼ି କଟକରେ ଡାକ୍ତର ।

 

ଆଖିରୁ ପାଣି ଦୁଇଟୋପା ନିଗିଡ଼ି ପଡ଼ିଲା । ତାର ପୁଅ ଆଜି ଡାକ୍ତର । ବାମନର ଚନ୍ଦ୍ରକୁ ଧରିବା କଣ ସମ୍ଭବ ହୋଇଛି ? ଆହା ! ନିଜର ସନ୍ତାନମାନଙ୍କୁ କୋଡ଼ିଏ ବର୍ଷ ହେଲା ଦେଖିନାହିଁ ସେ । ଆସାମକୁ ଫେରିଯିବା ବେଳେ ନିଶ୍ଚୟ ସେ ବଣ୍ଡକୁକୁ ଦେଖିବା ପାଇଁ କଟକ ଯିବ-

 

ବୃଦ୍ଧା କହିଲା, ‘‘ରାତି ବେଶୀ ହେଲାଣି ବାପ । ଶୋଇପଡ଼ ।’’

 

କେଚା ନିଜ ରିଷ୍ଟଓ୍ୟାଚ୍‍କୁ ଦେଖି କହିଲା, ‘‘ମୋଟ ସାଢ଼େ ନଅଟା । କଣ ବିଳମ୍ବ ହେଲାଣି ବୋଲି କହୁଛୁ ?’’

 

ମୁଁ ସେ ସାଡ଼େ ଆଡ଼େ ଜଣେ ନାହିଁ ବାପ । ଚାଲି ଆସିଛୁ ଥକି ପଡ଼ିଯିବୁ । ଶୋଇପଡ଼ । ଟିକେ ଭଲ ଲାଗିବ ।

 

ସମସ୍ତେ ଚାଲିଗଲେ । ‘‘କେଚା ଶିଆଳି ଡୋରିରେ ବନ୍ଧା ଖଟ ଉପରେ ନିଜର ଶରୀରକୁ ମେଲାଇ ଦେଇ ଶୋଇଲା ମୁଣ୍ଡତଳେ ହାତରଖି । ବୁଢ଼ୀ ଆସି ପାଖରେ ବସିଲା । କହିଲା, କେଚା ! ତୁ ହାଲିଆ ଦିଶୁଛୁ । ମୁଁ ଟିକେ ତୋ ଦେହରେ ହାତ ମାରି ଦେଉଛି ।’’ବୁଢ଼ୀ କେଚାକୁ ମୋଡ଼ିବାକୁ ଆରମ୍ଭ କଲା ।

 

କେଚା ଅନୁଭବ କଲା ସେ ଯେପରି ଗୋଟିଏ କଅଁଳ ଶିଶୁ । ପଞ୍ଚାବନ ବର୍ଷ ବୟସ୍କ ବ୍ୟକ୍ତି ନୁହେଁ । ଯାହାକୁ ସାଧାରଣ ଲୋକେ ବୁଢ଼ା ବୋଲି କହନ୍ତି ।

 

ନିଆଁ ଅତରାରେ ଘରଟି ଝଲସି ଉଠୁଥାଏ । ସେ ବୃଦ୍ଧାର ମୁହଁକୁ ନିରୀକ୍ଷଣ କଲା । ବୁଢ଼ୀର ଆଖି କ୍ଲାନ୍ତ ଓ ଦୁର୍ବଳ । ଦିନେ ତାର ସୁଗଠିତ ସୁନ୍ଦର ମୁଖମଣ୍ଡଳ ଥିଲା । ବୟସ ଗାଲ ହାଡ଼ର କିଛି ପରିବର୍ତ୍ତନ ଆଣି ପାରିନାହିଁ । କେବଳ ଚମ ଶୁଖିଯାଇ ଲୋଚା କୋଚା ହୋଇଯାଇଛି ଯାହା ।

 

ବୁଢ଼ୀ ଆଜି ଖୁସି ଯେ ଦୀର୍ଘ କୋଡ଼ିଏବର୍ଷ ପରେ ତାର ପୁଅକୁ ସେ ଖୋଜି ପାଇଛି । ସେ ଜଣେ ମଣିଷ ପରି ମଣିଷ ହୋଇ ଫେରିଆସିଛି ତା ପାଖକୁ । ପୁଅ ଆଗରେ ଦୁଃଖର କଥା କହିବାକୁ ଲଜ୍ଜା ନାହିଁ ବୃଦ୍ଧାର । ଯେପରି ଲଜ୍ଜା ନାହିଁ ଶିଶୁ ପାଖରେ—ଯେପରି ଲଜ୍ଜା ନାହିଁ ଭଗବାନଙ୍କ ନିକଟରେ ।

 

ବୁଢ଼ୀ ପଚାରିଲା କେଚାକୁ ‘‘କେତେଦିନ ଛୁଟି ନେଇ ଆସିଛୁ ବାପ ! ଛୁଟି ନାହିଁ ଛୁଟି ନାହିଁ ବୋଲି ଯେ କହୁ ସେ ସବୁ ବାଜେ କଥା । କେଉଁ ଅଫିସରେ ଛୁଟି ନ ଥାଏ ଭଲା ? ସାଇବର କଣ ଘର ଦ୍ୱାରା ପିଲା କୁଟୁମ୍ବ କେହି ନାହାନ୍ତି ? ଘରକୁ ଆସିଲେ ଛୁଟି ଦିଅନ୍ତେ ନାହିଁ ।

 

କେଚାର ଉତ୍ତର ଦେବା ଦରକାର । କିନ୍ତୁ ଗଳା ଯେ ଅଟକି ଯାଉଛି । ସେ ପ୍ରତିବାଦ କଲାପରି ଧୀରେ ଧୀରେ କହିଲା, ‘‘ଆଜି ଦି ପଇସା ହାତରେ ଥିବାରୁ ସିନା ତତେ ଦେଖିବାକୁ ଆସିଲି । ପ୍ରଥମ ଦଶ ବାର ବର୍ଷ କିପରି କଷ୍ଟରେ ଯେ କଟିଛି ତାହା କଣ ତୁ ଜାଣୁ ?

 

‘‘ଆରେ ! ତୁ ଯେ ଚାଲିଗଲୁ ଖଣ୍ଡେ ଚିଠି ମଧ୍ୟ ଦେଲୁ ନାହିଁ ? ଏମିତି କରି ମା’କୁ ଦଗାଦେଇ ଚାଲିଯିବା କଣ ତୋର ଭଲ କିରେ ? କାନ୍ଦି କାନ୍ଦି ଆଖି ଅନ୍ଧ ହୋଇଗଲା ଏ ବୁଢ଼ୀ ମଣିଷଟାର ।’’

 

ଏହି କୋଡ଼ିଏ ବର୍ଷ ଧରି କେଚା ଯେ କେତେ ସଂଗ୍ରାମ କରିଛି—କେତେ ମୁଣ୍ଡର ଝାଳ ତୁଣ୍ଡରେ ମାରିଛି—କେତେ ସପନ ଦେଖିଛି—ସେ କଥା କିଏ କହିବ ? ତାର ଜୀବନ ଇତିହାସ କିଏ ଶୁଣିବ ?

 

ପୁଲିସ ଜେରା ପରି ଖୁଣ୍ଟିନାଣ୍ଟି ଜାଣିବାପାଇଁ ପଚାରି ଚାଲିଥାଏ ବୁଢ଼ୀ । ‘‘ବାପ ! ଏଇ କେତେ ବର୍ଷ ହେଲା ଆସାମରେ କିପରି ଥିଲୁ ? କିଏ ରାନ୍ଧେ ! ସାଙ୍ଗରେ ଆଉ କିଏ ଥିଲେ କି ନାହିଁ ?’’ ଇତ୍ୟାଦି ।

 

‘କିପରି ଥିଲୁ’ ? ଏହି ପ୍ରଶ୍ନର ଉତ୍ତର ଯେ ତାକୁ ଦେବାକୁ ପଡ଼ିବ ସେ କଥା ସେ କେବେ ଆଗରୁ ଭାବି ନାହିଁ । କିପରି ଯେ ଉତ୍ତର ଦେବା ସମ୍ଭବ ତାହା ତାର ବୁଦ୍ଧିର ଅଗମ୍ୟ । ତେବେ ଉତ୍ତର ଦେବାକୁ ପଡ଼ିବ । କେଚା ମୁଣ୍ଡତଳକୁ କରି ମୃଦୁ ସ୍ୱରରେ ଜବାବ ଦେବାକୁ ଉଠେ । ବୁକୁଟା କମ୍ପି ଉଠେ ତା’ର । ତେବେ କଣ ସେହି ଦୂର ଦୂରନ୍ତ ଦେଶରୁ ସେହି ଖବର ଭାସି ଆସିଛି ମା’ ନିକଟକୁ । କେହି ତ ତା ଠିକଣା ଜାଣନ୍ତିନି । ତେବେ ସେ ଗୋଲାପୀ କଥା କିପରି ଲୁଚାଇବ ? ଅତି କଷ୍ଟରେ ପ୍ରକାଶ କଲା ଗୋଲାପୀ କଥା ।

 

ଯାହା ହେଉ ଘରସଂସାର କରିଛୁ ତ ? କହି ଦୀର୍ଘ ନିଶ୍ୱାସଟିଏ ପକାଇଲା ବୃଦ୍ଧା । ତାର ଶୂନ୍ୟ ଦଗ୍‍ଧ ହୃଦୟପ୍ରାନ୍ତର ଉପରେ ଯେପରି ନଇଁ ଆସିଲା ଅସରାଏ ନୂତନ ବୃଷ୍ଟିଧାରା ।

 

କେଚା ଅନେକ ସମୟ ପର୍ଯ୍ୟନ୍ତ ଚେଇଁ କଣ ଭାବିବାକୁ ଲାଗିଲା । ସେ ଆଜି ତାର ସ୍ମୃତି ଗନ୍ତାଘର ଖୋଲି ଦେଇଛି । ପଛରେ ଛାଡ଼ି ଆସିଥିବା ବର୍ଷଗୁଡ଼ିକର ଘଟଣା ଘଣ୍ଟା ମିନିଟ୍ ଗଣି ଗଣି ଚାଲିଛି । ସେ ସମସ୍ତ ଇତିହାସ ପାଞ୍ଚମିନିଟ୍ ସମୟ ମଧରେ ତାର ଆଖି ଆଗରେ ଗୋଟି ଗୋଟି ହୋଇ ଭାସିଗଲା ।

 

ଭାବିଲା ୧୯୪୨ ମସିହା କଥା । ଯେଉଁ ବର୍ଷ ଗାଁ ଛାଡ଼ି ସେ ଆସାମ ପଳାଇଥିଲା । ସେ ଏକ ନୁହେଁ । ତାରିପରି ଶହ ଶହ, ହଜାର ହଜାର, ଆଦିବାସୀ ପେଟ ବିକଳରେ ନିଜ ଗାଁ ମାଟି ଛାଡ଼ି ଆସାମ ପଳାଇଥିଲେ ।

 

ବାରମ୍ବାର ମରୁଡ଼ି ହେତୁ ଦେଶର ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା, ତା’ପରେ ସାହୁକାରଙ୍କର ଜୁଲମ—ଧନୀ କୁମୁଟିଙ୍କ ଅତ୍ୟାଚାର । ଅଳ୍ପ ଅଳ୍ପ ଧାନ ଟଙ୍କା କରଜ ଦେଇ ସେମାନେ ଆଦିବାସୀଙ୍କର ଭଲ ଭଲ ଜମି ସବୁ ଦଖଲ କରିନେଲେ । କେହି ଋଣ ପରିଶୋଧ କରି ନପାରି ସାରାଜୀବନ ରହିଗଲେ ତାଙ୍କ ଘରେ ଗୋତି ହୋଇ ।

 

ସେ ଜାଣେ ତାରି ଦୋଷରୁ ପୈତୃକ ସମ୍ପତି ସବୁ ବନ୍ଧ ଛନ୍ଦା ଅମରକୋଟ ପଠାଣ ମହାଜନ ପାଖରେ । ସେଥିରୁ କେତେ ବି ବିକ୍ରି ହୋଇଯାଇଛି । ଏଇ ପଲ୍ଲୀ ମାଟିର ଖାଣ୍ଟି ବାସିନ୍ଧା ସେ । ଏକମାତ୍ର ପୁତ୍ର ଓ ଏକମାତ୍ର କନ୍ୟାକୁ ଛାଡ଼ି ପେଟ ବିକଳରେ ଦୂର ବିଦେଶକୁ ଯିବାକୁ ପଡ଼ିଥିଲା ତାକୁ, ଯେଉଁଠାରୁ ମଣିଷଫେରିବା ସମ୍ଭାବନା ଖୁବ୍ କମ୍ । ତଥାପି ସେ କଣ ଶୁଣି ନଥିଲା କାଉଁରୀ କାମାକ୍ଷା ଦେଶର ଦୁଷ୍ଟ କୁଳଟା ନାରୀଙ୍କର ଲୋମହର୍ଷଣକାରୀ କାହାଣୀମାନ ? ଯେଉଁମାନେ ନିରୀହ ସରଳ ଆଦିବାସୀ ଯୁବକଙ୍କୁ ନଜର ସ୍ନୋ ପାଉଡ଼ର ବୋଳା ମୁଖମଣ୍ଡଳ, ମିଥ୍ୟା ଓ ଛଳନା ପୂର୍ଣ୍ଣ ହାସ୍ୟରସ ପ୍ରଦର୍ଶନ କରି ଆୟତ କରିବାକୁ ଓ ଜୀବନକୁ ଧ୍ୱଂସ ପଥରେ ଚଳାଇବାକୁ ପ୍ରସ୍ତୁତ । ସେ ଏ ସମସ୍ତ ଜାଣିବା ସତ୍ୱେ ଯାଇଥିଲା ଆସାମକୁ କେତେବର୍ଷ ପାଇଁ । ତା’ପରେ ସେ ନିଦରେ ଶୋଇପଡ଼ିଲା ।

 

(୮)

 

ସେ ଦିନ ସକାଳ ଦଶଘଣ୍ଟା । ରାଇଘର ବଜାରକୁ ବାହାରିଲା କେଚା କଣ କଣ କିଣିବା ପାଇଁ । ଜୁଟିଗଲା ଜଣେ ପିଲାଦିନ ସାଙ୍ଗ କାଉରା ।

 

ମାଘ ମାସର କୁହୁଡ଼ି । ରାତିରେ ହାଡ଼ଭଙ୍ଗା ଶୀତ ଯେମିତି ଦିନରେ ଖରା ବି ସେମିତି । ଆକାଶ ମେଘୁଆ । ସୁରୁଜ ଦେବତା ଆଜି ନୀଳ ଆକାଶରେ ଭାସୁ ନାହାନ୍ତି । କାହିଁ କେଉଁଠି ଅଦିନ କଳାମେଘ ଭିତରେ ଲୁଚି ରହିଛନ୍ତି । ଛୋଟ ଛୋଟ ମେଘ ଖଣ୍ଡରୁ ଝର ଝର ପାଣି ଝରିପଡ଼ୁ ଥାଏ । ଯେପରି ବର୍ଷା ହେଉଛି ।

 

କାଉରା ଆଗରେ ଚାଲିଛି । କେଚା ପଛରେ ଗପସପ ହୋଇ ବଜାର ପାଖରେ ପହଞ୍ଚିଗଲେ ।

 

ରାସ୍ତା ପାଖରେ ଚା’ ଦୋକାନ ଧାଡ଼ି ଧାଡ଼ି । ବହୁତ ଲୋକ । ସକାଳର ପହିଲି ପହରରେ ଚା’ ଦୋକାନମାନଙ୍କରେ ବସିବାକୁ ଟିକେ ହେଲେ ଯାଗା ନାହିଁ ।

 

କେଚା ମନରେ ଭାବିଲା କାହିଁକି ଏମାନେ କାମକୁ ନଯାଇ ଖାଲି ଏଠି ବସିଛନ୍ତି ? କିପରି ଚଳୁଛନ୍ତି ସେମାନେ ? ସମସ୍ତେ ତ ଗରିବ । ସେ କାଉରାକୁ ପଚାରିଲା, ‘‘ଏହି ଲୋକମାନେ କଣ କରନ୍ତି ଏଠି ?’’ ଦୋକାନ ଆଡ଼େ ହାତ ବଢ଼ାଇ ଦେଲା। କଉରା ଅଳ୍ପ ସମୟ ପାଇଁ କିଛି ଉତ୍ତର ଦେଲାନି ।

 

‘‘ସେମାନେ କ’ଣ କରନ୍ତି ବୋଲି ମୋତେ ପଚାରୁଛ ? ସେମାନେ ବସନ୍ତି ଖାଲି । ବସିବା ତାଙ୍କର କାମ ।’’ କଉରା ଭାବି ଭାବି କହିଲା ।

 

‘‘ବସି ବସି କଣ କରନ୍ତି ?’’

 

‘‘କହୁଛି ଶୁଣ ।’’କଉରା ଆରମ୍ଭ କଲା । ‘‘ଅଧିକାଂଶ ସମୟ ଖାଲି ବସନ୍ତି । କଥାବାର୍ତ୍ତା ହୁଅନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ହାଟ ଦିନ ବେପାର କରନ୍ତି ।’’

 

‘‘ବାଃ ! ବଡ଼ ସୁନ୍ଦର ବ୍ୟବସାୟ । ବୁଢ଼ାମାନେ ସିନା କିଛି କରିପାରିବେ ନାହିଁ; ଭେଣ୍ଡିଆମାନେ ଯେ—’’

 

‘‘ସେମାନଙ୍କ ଭିତରୁ ଅଧିକାଂଶ ଖାଲି ଅଳସୁଆ । ଘରେ ବେକାର ହୋଇ ବସିବା ଠାରୁ ଚା’ ଦୋକାନରେ ବସିବା ଭଲ। ସେମାନେ କପେ ଚା’ ଖାଆନ୍ତି ଓ ଦିନସାରା ବସି ଥାଆନ୍ତି । ବେଳେ ବେଳେ ଜୁଆ ଖେଳନ୍ତି । ହାଟ ଦିନ କୁକୁଡ଼ା ଲଢ଼େଇରେ ବି ଯୋଗ ଦିଅନ୍ତି ।’’

 

‘‘କପେ ଚା’ ପାଇଁ ସାରାଦିନ ବସନ୍ତି । ଦୋକାନୀ ତାଙ୍କୁ ବାହାର କରି ଦିଏନା ?’’

 

‘‘କାହିଁକି ? ସେମାନେ ତ ତା’ ଟେବୁଲ କି ବଞ୍ଚେ ଖାଇ ଯାଉ ନାହାନ୍ତି ?’’

 

‘‘ଯଦି କପେ ଚା’ ଖାଇବେ, ପୁଣି ତ ତାର ଦାମ୍ ଦେବେ । ଜଣେ ଦିନ ଭିତରେ କପେ ଚା’ଖାଇ ବଞ୍ଚି ରହିପାରିବ ? ଏହି ବସିବା ପାଇଁ କଣ ସେମାନେ ମଜୁରୀ ପାଆନ୍ତି ? କାହିଁକି, ଚାକିରୀ ପାଇଁ ସେମାନେ ଚେଷ୍ଟା କରୁ ନାହାନ୍ତି ? କୁଆଡ଼କୁ ଯିବେ ନାହିଁ, ଖାଲି ଗୋଟିଏ ଜାଗାରେ ଆରାମରେ ବସିଥିବେ । କାମ କରିବାକୁ ବସିଲେ କୋରାପୁଟ ଜିଲାରେ କଣ କାମ ନାହିଁ? ଏମାନଙ୍କର ଅସ୍ଥିମଜ୍ଜା ଅଳସୁଆ ହୋଇଗଲାଣି । ଆଜି ଦଣ୍ଡକ ଯୋଜନାରେ, ମିଗ୍‍ବିମାନ କାରଖାନାରେ, ବାଲିମେଳା ଯୋଜନାରେ, ଡ଼ି.ବି:କେ: ରେଳବାଇରେ ସାରା ଭାରତର ଲୋକ ଠୁଳ-। ଅଥଚ ଏମାନେ ଗାଁ ଛାଡ଼ି କୁଆଡ଼େ ଯିବେନି । ଯେତେବେଳେ ଜୀବନ ବଞ୍ଚାଇବା ପାଇଁ ଅର୍ଥ ଉପାର୍ଜନ କରିବାକୁ ସେମାନେ ଅକ୍ଷମ, ସନ୍ତାନ ଉତ୍ପାଦନରେ ସାହାଯ୍ୟ କରିବା କଣ ନିର୍ବୋଧତା ନୁହେଁ ? କଣ କହୁଛୁ କଉରା । ଆଗକାଳରେ ଛଅ ସାତଟି ସନ୍ତାନ ସ୍ଥଳେ ଆଜିକାଲି ତିନୋଟି ହିଁ ଯଥେଷ୍ଟ ।’’

 

କଉରାକୁ କେଚାର ଉପଦେଶ ଆଦୌ ଭଲ ଲାଗିଲା ନାହିଁ । ମନରେ ଭାବିଲା ଏ ଆସାମରୁ ଆସିଛି ଯେ ବଡ଼ ବଡ଼ କଥା କହୁଛି । କଥାର ସୁଅ ବଦଳାଇ କହିଲା, ‘‘ଭାଇ ! ସିଗାରେଟ୍ ।’’

 

ଶସ୍ତା ଚାରମିନାର ସିଗାରେଟ୍ ପ୍ୟାକେଟଟି ତା’ ହାତକୁ ବଢ଼ାଇ ଦେଲା କେଚା । କହିଲା, ‘‘ଚାଲିଯିବା । ମା’ ରାନ୍ଧିବାଢ଼ି ଅପେକ୍ଷା କରିଥିବ ।’’

 

ପ୍ରତିଦିନ ବୃଦ୍ଧା ଚା’ ପିଇବାଠାରୁ ଆରମ୍ଭ କରି ଖାଦ୍ୟ ଖାଇବା ପର୍ଯ୍ୟନ୍ତ ସମସ୍ତ କାମ ମେସିନ୍ ପରି କରି ଚାଲେ । ଏଇଟା ସେଇଟା ଖୁଆଏ । ଯେପରିକି ମା’ ତାର ପୀଡ଼ିତ ସନ୍ତାନ ପାଇଁ କଷ୍ଟ କରେ, ଏ ଠିକ୍ ସେହିପରି । ଆହା ! କେତେ ଦୁଃଖ ବା ନ କରୁଛି ତାର ମା’ ତାପାଇଁ । ଯେତେ ହେଲେ ବି ସତେ ମା’ ଆଖିରେ ପିଲା । ତିନି ପୁଅ ଭିତରୁ ଗୋଟିଏ ।

 

କେଚା ଖାଇ ସାରି ଶୋଇ ଭାବିଲା । ଆସି ମୋଟେ ତିନି ସପ୍ତାହ ହୋଇଛି । ଏତେ ଚଞ୍ଚଳ ଦିନଗୁଡ଼ାକ ଚାଲିଗଲା ! ଏହି ଆସିବା ପାଇଁ କେତେ ଦିନ, କେତେ ସପ୍ତାହ, କେତେ ମାସ, ବର୍ଷ ଭାବି ଭାବି ଏହି ସମୟଟାକୁ ସେ ପସନ୍ଦ କରିଥିଲା ଆଉ ଦୁଇ ସପ୍ତାହ ପରେ ପୁଣି ଚାଲିଯିବ ସେହି ଆସାମ ଦେଶକୁ । ଯେଉଁଠାରେ କି ଦୀର୍ଘ କୋଡ଼ିଏ ବର୍ଷ କଟିଥିଲା ସେ ।

 

ମନେ ପଡ଼ିଗଲା ଗୋଲାପୀ କଥା । ଭାସିଗଲା ଆସାମ ଦେଶର ଚିତ୍ର ଆଖି ଆଗରେ । କାହିଁ ଆସାମର ଚା' ବଗିଚା, ଆଉ କାହିଁ ଏହି ଆଦିବାସୀ ବହୁଳ ରାଇଘର ସୁପର ଅଖ୍ୟାତ ବାଗବେଢା ଗାଁ । ଏଠାକାର ରାସ୍ତାଗୁଡ଼ାକ ଛୋଟ ଓ ଅଣଓସାରିଆ। ଲୋକଗୁଡ଼ାକ ଅପରିଷ୍କୃତ ଓ କଳା କଳା । କୌପୁନି ମାରିଛନ୍ତି ଅଧିକାଂଶ । ପତ୍ର କୁଡ଼ିଆର ଅନ୍ଧକାର କୋଣରେ ଯୁବକ ଯୁବତୀ ସଂସାର ଗଢ଼ନ୍ତି । କର୍ମକ୍ଲାନ୍ତ ଜୀବନ ଶେଷରେ ଉପଭୋଗ କରିବାକୁ ସିନେମାଟିଏ ବି ନାହିଁ । କାହିଁ କିଛି ତ ପରିବର୍ତ୍ତନ ନାହିଁ ଏଠି ?

 

ହଁ, କେଚା ମିଛ କହି ନାହିଁ । ଠିକ୍ କହିଛି । କିଛି ପରିବର୍ତ୍ତନ ନାହିଁ । ଆଜି ବି ସେହିମାନେ ଦରଲଙ୍ଗଳା-କଉପୁନୀ ମରା । ଦେଶର ଅଗ୍ରଗତିରେ ନାହିଁ ସେମାନଙ୍କର ସମ୍ପର୍କ । ଯେପରି ସେମାନଙ୍କର ସଂସାର ଗୋଟିଏ ସମ୍ପୂର୍ଣ୍ଣ ପୃଥକ । ତାଙ୍କରି ଝାଳବୁହା ଧନରେ ଗଢ଼ି ଉଠିଛି ସହରର ବିରାଟ ଅଟ୍ଟାଳିକା, ମିଲ, ପ୍ୟାକ୍ଟେରୀ । ଋଣ ପରିଶୋଧ ବେଳେ ଫୁଟିକ ଜାଗାରେ ମାପେ ତିନିଫୁଟ । ନେଲା ପୁଟିଏ, ଦେଲା ପୁଟିଏ, ମାପିଲା ପୁଟିଏ; ଏମିତି ହେଲା ତିନିପୁଟି । ତାଙ୍କର ଧନରେ ଜିଲା ବାହାରର ଲୋକ ଧନୀ, ସାହୁକାର, ମହାଜନ । ତେବେ ବି ସେ ଜାତିର ଚେତନା ଆସିନି । ରହିଛି ସେ ସେହି ଘୋର ନିବିଡ଼ ତିମିର ଭିତରେ । ଉଚ୍ଚ ଆଶାନାହିଁ, ଆକାଙ୍‍କ୍ଷା ନାହିଁ । ସରଳ ସୁନ୍ଦର ଜୀବନ ଯାପନ । ପାଠ ପଢ଼ିବାକୁ କହିଲେ, ଦେଶୀ ଆଲୋକ କେ କାଇ ପାଠ ବାବୁ-

 

ସମୁଦାୟ ଜିଲାଟାଯାକ ଆଦିବାସୀଙ୍କର ପୀଠସ୍ଥଳୀ ହେଲେବି ତାଙ୍କର କୌଣସିଥିରେ ସମ୍ବନ୍ଧ ନାହିଁ ଯେପରି । ତେଣୁ ଉଚ୍ଚଜାତିମାନଙ୍କର ସବୁଥିରେ ଅଧିକାର । ଦେଶର ଚାକିରୀ ବାକିରି ବେପାର ବଣିଜ ସବୁ କିଛି । ବାହାରୁ ଆମଦାନୀ କରା ତଥାକଥିତ ଦେଶସେବକ ବ୍ୟବସାୟୀମାନେ ମିଛେ ମିଛେ ଦରଦ ଦେଖାନ୍ତି । ନିଜ ସ୍ୱାର୍ଥ ପାଇଁ ସେମାନଙ୍କ ଉନ୍ନତିର ବାଟ ବନ୍ଦ କରି ଦେଇଛନ୍ତି । ସମସ୍ତ ସୁଖ ସୁବିଧା ସେହିମାନେ ହିଁ ମାରି ନେଇଛନ୍ତି ଓ ମାରୁଛନ୍ତି । ସେ କୁମ୍ଭୀର କାନ୍ଦଣା ଆଉ କେତେଦିନ ଚାଲିବ ? ସେହିମାନଙ୍କର ମଧୁର କଥାରେ ଆଦିବାସୀ ଭୁଲିଯାଏ ସବୁ । ସେମାନଙ୍କୁ ହାତ ବାରିଶି କରି ରାଜନୀତିର ଲୁଟ୍‍ ଚାଲିଛି । ହୁଏତ ସେମାନେ ଆସିଛନ୍ତି ଜିଲା ବାହାରୁ ଦାରିଦ୍ର୍ୟ ନେଇ । ବର୍ଷ ଦଶଟାରେ ଧନୀ ହୋଇଛନ୍ତି ଏହିମାନଙ୍କର ରକ୍ତ ଶୋଷି । ତିନିପୁରୁଷର କେହି ନାହାନ୍ତି ସ୍ୱାଧୀନ ଭାବରେ ବିପଣି ଚଳାଇ ଅନ୍ୟ ଅଞ୍ଚଳର ଲୋକଙ୍କ ପ୍ରତି ହିଂସ୍ରକ । କିନ୍ତୁ ଭିତର ପରଦା ଭିତରେ ଯେ କି ରକମ ସଂକୀର୍ଣ୍ଣତା ଓ ଦୁର୍ବଳତା ରାଜତ୍ୱ କରୁଛ କେ କହିବ ସେ କଥା ! ମୋଟ ଉପରେ ଏହି ଆଦିବାସୀ ଜିଲାଟାଯାକ ମୁଷ୍ଟିମେୟ କେତେ ଜଣଙ୍କର ଖାସ ମାହାଲ, ଇଲାକା—ଜମିଦାରୀ । ସେହିମାନେ ସୁବିଧାବାଦୀ, ସ୍ୱାର୍ଥପର ପୁଣି ଦେଶ ସେବକ । ଧନ୍ୟରେ ଦେଶ !

 

ଆହୁରି ଦୁଇଦିନ ପରେ—

 

କେଚା ଶୁଣିଲା ଏବେ ବି ବହୁତଗୁଡ଼ାଏ ଋଣ ପରିଶୋଧ କରିବାକୁ ଅଛି । ଠିକ୍ ପରିମାଣ କେତେ ସେ ଜାଣେନା । ଓକିଲଠାରୁ ନୋଟିସ୍ ଆସିଛି । ମହାଜନମାନେ ଧନ ଲୋଡ଼ନ୍ତି-

 

ଭାଇମାନେ ଦାବି କଲେ ସେ ଋଣ ପରିଶୋଧ କରିବା ପାଇଁ କେଚା ଉପରେ । ପ୍ରାୟ ତିନିହଜାର ଟଙ୍କା ଅସଲ ସୁଧ ଚକ୍ରବୃଦ୍ଧି ସହିତ । ଯଦି ବା ତାହା ଆଇନାନୁମୋଦିତ ନୁହେଁ । ଖାଲି ସାହୁକାରର ଶୋଷଣ । ନଦେଲେ ଗୌନ୍ତିଆ ବଂଶର ନାମ ବୁଡ଼ିଯିବ ।

 

କେଚା କିନ୍ତୁ ନୀରବ । ଗାଁର ଜଣେ ଦୁଇଜଣ ଖୁବ୍‍ ପାଖକୁ ଆସି ନରମ ଗଳାରେ କହିଲେ, କେଚା । ମନରେ ଅନ୍ୟ କିଛି ନ ଭାବି ସାହାଯ୍ୟ କର । ତୋ ପକ୍ଷରେ ତିନିହଜାର ଟଙ୍କା କିଛି ନୁହେଁ । ସେହି ପରିମାଣ ଟଙ୍କା ଦେବା ପରେ ତୋ ପାଖରେ ଆହୁରି ବି ଯଥେଷ୍ଟ ବଳକା ରହିବ । ସଂସାରରେ ଗୋଟିଏ ମହତ୍ କାମ ହୋଇପାରିବ । ଟଙ୍କା ସୁନାଠାରୁ ଯଶ ଖ୍ୟାତିର ମୂଲ୍ୟ ଅଧିକ । ତୁ ବା’ ନାହିଁ ନ କରି ସାହାଯ୍ୟ କର । ଆଜି ସେମାନେ ନିଃସ୍ୱ ସମ୍ବଳ ଥିବା ସଂପତ୍ତି ସମସ୍ତ ବିକ୍ରୟ କରି ଋଣ ପରିଶୋଧ କଲେ ବି ନିଅଣ୍ଟ ।’’

 

କେଚା ଆଖି ବୁଜିଦେଲା । ମୁଣ୍ଡ ତାର ବୁଲାଇ ହେଲା । ଉତ୍ତରଦେବାକୁ ଇଚ୍ଛା କଲା, କିନ୍ତୁ କଥା ତା’ ତଣ୍ଟିରେ ଅଟକି ରହିଲା । ତିନିହଜାର ଟଙ୍କା ? କେଉଁଠୁ ଏତେ ଟଙ୍କା ଆଣିବ ? କଣ ସେ କହିବ ବର୍ତ୍ତମାନ ? ହେ ଭଗବାନ ! କଣ କହିବ ଏବେ ସେ ? ସେମାନେ କଣ ତା କଥା ବିଶ୍ୱାସ କରିବେ ? ନା ବର୍ତ୍ତମାନ ସେ କିଛି କହିବ ନାହିଁ । ସେ ସମୟ ଦରକାର କରେ ଭାବି ଚିନ୍ତି ଉତ୍ତର ଦେବାକୁ ।

 

କେଚା ପୁଣି ଥରେ କଣ ଭାବିଲା । ନା, ସତ କଥା କହିଦେବ । ଉଚିତ ହେଉ ବା ନ ହେଉ କଥାଟା ପରିଷ୍କାର ହେଇଯିବା ଭଲ । ତିନିହଜାର ଟଙ୍କା ? ବଡ଼ ଓଜନଦାର ପରିମାଣ । ସାରା ଜୀବନର କମାଣି ମିଶି ବି ତା’ ଠାରୁ କମ୍ । ପାଖରେ ଏକ ନୂଆ ପଇସା ନାହିଁ । କାହିଁକି ? ଆସିବାବେଳେ ସେ ସତକଥା କହି ଦେଇଥିଲେ କ୍ଷତି କଣ ଥିଲା ? ସେ ନିଜେ ଲଜ୍ଜିତ । ସେ ଜଣେ ଗରିବ-ନଗଣ୍ୟ ଚୌକିଦାର । ସକାଳ ଆଠଟାଠାରୁ ଅପରାହ୍ନ ଚାରିଟା ଯାଏ ଆଠଘଣ୍ଟା ହାଡ଼ଭଙ୍ଗା ଖଟଣି ଖଟେ । ଆଉ ତା’ ବଦଳରେ ମାସ ଶେଷକୁ ପାଏ ମାତ୍ର ଷାଠିଏ ଟଙ୍କା ।

 

ସମସ୍ତେ ତା’ ମୁହଁରୁ ଉତ୍ତର ଶୁଣିବା ପାଇଁ ଅପେକ୍ଷାରେ । ସେ କିନ୍ତୁ ନୀରବ । ପରେ ଭାଇମାନେ ଦୁଇଦିନ ସମୟ ଦେଲେ ତିନିହଜାର ଟଙ୍କା ଗଣିଦେବା ପାଇଁ କେଚାକୁ ।

 

ଆହୁରି ଦୁଇଦିନ ବି ଗତ ହୋଇଗଲା । ତଥାପି ସତକଥା ପ୍ରକାଶ କରିପାରିଲାନି । ମନ ଭିତରେ ଆନ୍ଦୋଳିତ ହେଉଛି। ତାର ପ୍ରସ୍ଥାନ ସମୟ ଆଉ ଦଶଦିନ । ଏହି ଦଶଦିନ ପରେ ସେ ବସିଥିବ ମଟରରେ । ଚାଲିଯିବ ବହୁ ଦୂରକୁ । ଦୁଇ ହଜାର ମାଇଲ ଦୂରକୁ । ମା’ର ପ୍ରତିବିମ୍ବ ଦୀର୍ଘ ବର୍ଷର ଗତିରେ କ୍ଷୀଣ ହୋଇ ଆସିବ ତା’ ନିକଟରେ । ଏଠାକାର ଘଟଣା ଆଉ ସେ କିଛି ଜାଣିପାରିବ ନାହିଁ । ଆଉ କେତେଦିନ ପରେ ସେମାନେ ସମସ୍ତେ ହେବେ ତାର ଅପରିଚିତ । ଆସାମରେ ପହଞ୍ଚି ଗୋଲାପୀକୁ କଣ କହିବ । ସେଠାକାର କୁଲିଭାଇମାନଙ୍କୁ କଣ କହିବ ସେ ? ସେ ଛୁଟିଟା ଉପଭୋଗ କରିପାରିଛି ?

 

ବାସ୍ତବିକ ସେ ଏଠାରେ ରହିପାରିବନି । ତା’ କଥା କିଏ ଶୁଣିବ ? ଏଠାକାର ଲୋକଙ୍କର ତା’ଠାରେ ବିଶ୍ୱାସ ନାହିଁ । ସେ ମରିଗଲେ ମଧ୍ୟ କାହାର କିଛି ଯାଏ ଆସେ ନି । ସେ ଏଠାକାର ନିଷ୍ଠୁରତା ଓ କରଛଡ଼ା ଭାବ ଭଲଭାବରେ ଜାଣେ । ଏଠାକାର ଏତେ ଲୋକଙ୍କ ମଧ୍ୟରେ କିପରି ସେ ଜଣେ ପାରି ଉଠିବ ? ଏହା ତା’ର ଗଭୀର ଅନୁଭୂତି ।

 

ଦେଖିଲା ପ୍ୟାଣ୍ଟ ପକେଟରେ ମନିପର୍ସ ନାହିଁ । ଖୋଜି ଖୋଜି ଥକିଗଲା ସିନା ପାଇଲାନି । ପକେଟମାର ହେଲା ନା କଣ ?

 

ମା ବୁଢ଼ୀ ବ୍ୟସ୍ତ ହୋଇଉଠିଲା ।

 

କେତେ ଟଙ୍କା ଥିଲା, ବାପ, ମୁଣାରେ ?

 

ମୁଁ ଗଣିକରି ରଖିନି । ତେବେ ପଚିଶି କି ତିରିଶି ହୋଇପାରେ ।

 

ବୁଢୀ କହିଲା, ପଚାଶ ବି ହୋଇପାରେ ?

 

—ହଁ, ତା’ ବି ହୋଇପାରେ ।

 

—ଆହା ! ସବୁ ଟଙ୍କା ନେଇଗଲା ?

 

—ଫେରନ୍ତା ଭଡ଼ାଟା ବି ଦୟାକରି ରଖିଲା ନି ।

 

ବୃଦ୍ଧାର ହୃଦୟ ଆନ୍ଦୋଳିତ । କ୍ଷୀଣଦୁର୍ବଳ ଚକ୍ଷୁରେ ଅଶ୍ରୁଧାର ବୋହି ଚାଲିଛି । କେଚା ଉଠି ବୃଥା ସାନ୍ତ୍ୱନା ଦେବାକୁ ଚେଷ୍ଟା କଲା ।

 

—ଆଉ କାନ୍ଦନା ମା ! ଠିକ ଦୁଇଦିନ ପରେ ।

 

—ଦୁଇଦିନ ? ଏତେ ଶୀଘ୍ର ? ଆଶ୍ଚର୍ଯ୍ୟାନ୍ଵିତ ହେଲା ବୃଦ୍ଧା ।

 

—ବାସ୍ତବିକ ମୋର ସେପରି ଧାରଣା ନଥିଲା, ବାପ ? ଚାଲିଗଲା ପରେ ଗୋଟିଏ ଶୂନ୍ୟସ୍ଥାନ ରହିଯିବ । ଅନ୍ୟ ଗୋଟିଏ ସୁସମୟ ଦେଖିଆସି ପାରିଥାନ୍ତୁ ତୁ । ବଣ୍ଡକୁର ବାହାଘରଟି ଦେଖିବାକୁ ଭାରି ଇଚ୍ଛା । ମୁଁ ବୃଦ୍ଧା । ଆଜି ବା କାଲି ମରି ଯାଇପାରେ । କିଏ ଜାଣେ କେତେବେଳେ କଣ ଘଟିବ ?

 

—ସେ କଥା ସେ ବୁଝିବ । ତାକୁ କଣ କନ୍ୟା ମିଳିବେ ନି ! ହଁ, କଣ କହୁଥଲି କି ? ମୁଁ ତ ଆନନ୍ଦ ମଉଜ ପାଇଁ ଆସି ନଥିଲି ମା’ ଘରକୁ ? ଆସିଥିଲି ଥରେ ତୁମମାନଙ୍କୁ ଦେଖିଯିବା ପାଇଁ-। ଆଉ କେତେ ସପ୍ତାହ ପରେ ସମସ୍ତେ ମୋତେ ଭୁଲିଯିବେ । ନିଶ୍ଚୟ ଭୁଲିଯିବେ-

 

ଆଜି ମନେ ପଡ଼ିଗଲା ତାର ପୁଅଝିଅ ଦୁହିଁଙ୍କ କଥା । ସେତେବେଳେ ମଶାନ୍‍ର ବୟସ ଦଶ ଓ ଶିଶୁ ବଣ୍ଡକୁର ବୟସ ମୋତେ ଛଅବର୍ଷ । ପୁଅଟି ଚାଟଶାଳିରେ ପାଠପଢ଼ା ଆରମ୍ଭ କରିଥାଏ କଟକିଆ ମାଷ୍ଟର ନିକଟରେ ।

 

ବଡ଼ ଦୁଃଖ, ବଡ଼ ଯନ୍ତ୍ରଣା ସେ । ଆଖିରେ ପାଣି ଜାମିଆସେ । ମଶାନ୍‍ର ମା’କୁ କେତେ ଭଲପାଉନଥିଲା ବା ସେ । ୧୯୪୨ ମସିହା ଅଗଷ୍ଟ ଆନ୍ଦୋଳନ । ଚାରିଆଡ଼େ ଜଳି ଉଠିଲା ବିଦ୍ରୋହର ବହ୍ନି । ସେହି ଲେଲିହାନ ଅଗ୍ନି ଶିଖାରେ ଝାସ ଦେଲେ ହଜାର ହଜାର ଆଦିବାସୀ—ଆକାଶ ପବନରେ ଧ୍ୱନିତ ହେଲା ଲକ୍ଷ ଲକ୍ଷ ଜନତାର କଣ୍ଠ ସ୍ୱର ‘ଭାରତ ଛାଡ଼’ । ରାୟଘରରେ ବିରାଟ କଂଗ୍ରେସ ସଭା—ଶୋଭାଯାତ୍ରା । ମୁହଁରେ ଶ୍ଲୋଗାନ୍ । ମହାତ୍ମାଗାନ୍ଧୀଙ୍କ ଜୟ—ବନ୍ଦେ ମାତରମ୍—ଇନ୍ କ୍ଲାବ୍ ଜିନ୍ଦାବାଦ୍ । ପୋଲିସ ଥାନା ପୋଡ଼ିବା ପାଇଁ ମସୁଧା ।

 

ସଭାରେ ଅସଂଖ୍ୟ ଜନତା । ବ୍ରିଟିଶ୍ ସରକାରଙ୍କ ତରଫରୁ ଚାଲିଲା ନିର୍ମମ ଗୁଳି । ଠିକ୍ କୁକୁରଙ୍କୁ ମାରିଲା ଭଳି ଟଳି ପଡ଼ିଲେ ଶହ ଶହ ଆଦିବାସୀ ଯୁବକ ଯୁବତୀ ରାସ୍ତାଉପରେ । ସେଥି ମଧ୍ୟରୁ ତା’ ସ୍ତ୍ରୀ ଜଣେ । ସେ ଅଳ୍ପକେ ରହିଗଲା । କିନ୍ତୁ ପୁଲିସ୍ ତାକୁ ଆରେଷ୍ଟ ନକରି ଛାଡ଼ିଲେନି କଲା କାରାବରଣ ଦେଢ଼ମାସ । ରହିଲା କୋରାପୁଟ ଜେଲରେ । କେଉଁ ଏକ ନୂତନ ପ୍ରଭାତରେ କର ଦ୍ୱାର ମୁକ୍ତ ହେଲା । ସେ ହେଲା ଖଲାସ । ଏହି ମଳିମୁଣ୍ଡିଆ ଦେଶିଆଙ୍କ ଜୀବନ ତ୍ୟାଗରେ ଦେଶରେ ଆସିଲା ସ୍ୱାଧୀନତା । କିନ୍ତୁ ତାର ସୁଫଳ ଭୋଗୁଛନ୍ତି ଛଦ୍ମବେଶୀ ସୁବିଧାବାଦୀ ଦଳ । ଗରିବ ପେଟ ପୂରାଇ ଖାଇବାକୁ ଗଣ୍ଡେ ପାଉନି । ପିନ୍ଧିବାକୁ ଲୁଗା ଖଣ୍ଡେ ମଧ୍ୟ ନାହିଁ । ଅଥଚ ଏଣେ ଚାଲିଛି ଅନୁଗତମାନଙ୍କର ପେଟ ପୂଜା ।

 

ସେତେବେଳେ ସେ ମଦରନ୍ଧା ଛାଡ଼ି ମନ ଦୁଃଖରେ ଭାସି ଯାଇଥିଲା ଆସାମ ପଥର ଯାତ୍ରୀ ସମୁଦ୍ରର ଢେଉ ଭିତରେ । ବୟସ ସେତେବେଳେ ତାର ପଞ୍ଚତ୍ରିଶ କି ଛତିଶ । ସେ ପଳାଇଯାଇଥିଲା ଘରେ ସମସ୍ତଙ୍କ ଉପରେ ରାଗି ଭାଗ୍ୟପରୀକ୍ଷା କରିବାକୁ । ସେ ଜଣେ ରାଗିବାର ଯୁକ୍ତିସଙ୍ଗତ କାରଣମାନବି ବି ତା ବିରୁଦ୍ଧରେ ରହିଛି ବୋଲି । କାରଣ ସେ ମଦ ଖାଇ ସମସ୍ତ ସଂପତ୍ତି ହରାଇ ଦେଇଥିଲେ । ଆଉ ଜମିବାଡ଼ି ବନ୍ଧାଛନ୍ଦା କରି ଦେଇଥିଲା ସାହୁକାର ପାଖରେ । ତାର ଏଇ ଇଚ୍ଛାକୃତ ଅପରାଧ ପାଇଁ ସେ ଲୁଚି ଲୁଚି ଚାଲି ଯାଇଥିଲା ସେହି ଅସାମକୁ । ଜୀବନର ଅନେକଗୁଡ଼ା ବର୍ଷ ସେ କାଟିଦେଇଛି ସେଇଠି । ଈଶ୍ୱରଙ୍କ ଦୟାରୁ ଆଜି ଆଉ ତା’ର ସେ ଦୁରବସ୍ଥା ନାହିଁ ।

 

ଘରର ବନ୍ଧନ ଛିନ୍ନକଲା ମାତ୍ରେ ସହସା ଦିବ୍ୟଦୃଷ୍ଟି ଲାଭ କରିଥିଲା ସେ । ମଦ ତ ଏକବାରେ ଛାଡ଼ି ଦେଇଥିଲା । ତା’ ପରେ ଦି ପଇସା କିପରି ଭବିଷ୍ୟତ ପାଇଁ ସଞ୍ଚୟ କରିବ ସେଥିପ୍ରତି ମନଯୋଗ ମଧ୍ୟ ଦେଇଥିଲା ସେ । ମନେ ମନେ ଭାବିଥିଲା ସେ ସ୍ୱାଧୀନ ଓ ସମସ୍ତ ଜୀବନଟା ଉପରେ ମାଲିକବୋଲି । ତହିଁ ସଙ୍ଗେ ସଙ୍ଗେ ଆହୁରି ମଧ୍ୟ ଭାବିଥିଲା ଯେ ତାକୁ ଦିନେ କେଉଁଦିନ କେହି ତାକୁ ଆଉ କୌଣସି କଥାରେ କୈଫିୟତ୍ ତଲବ କରିବେ ନି । କିନ୍ତୁ ଏଠି ଯେ ସବୁ ଓଲଟା ।

 

ସେଦିନ ସେ ଗଲାବେଳେ ପିନ୍ଧିଥିଲା ଗୋଟାଏ ମୋଟା ଧୋତି ଓ ଫତେଇ । ଆଉ କିଛି ନଥିଲା । ପକେଟରେ ରୁମାଲ ନଥିଲା କି ଫତେଇ ତଳେ ଗେଞ୍ଜି ନଥିଲା ।

 

ସାରା ଜୀବନ ହାଡ଼ଭଙ୍ଗା ପରିଶ୍ରମ କରିଛି ସେ । ତାର ଆୟ ଅଳ୍ପ । ମୋଟେ ଷାଠିଏଟି ଟଙ୍କା ମାସକୁ । ସେ ତାର ମା’କୁ ଦେଖି ଆସିଛି । କିଛି ଅନ୍ୟାୟ ତ କରିନାହିଁ ?

 

ଘର ଭିତର ଅନ୍ଧକାର । ଆଲୁଅ ଲଗାଇବାକୁ ଉଠିଲା ନାହିଁ । କାନ୍ଥକୁ ଆଉଜି ବସିଛି । ଏତେଦିନ ଯାଏ ଯେଉଁ ଆଶା ଆକାଂକ୍ଷା ତାବୁ ସପ୍ତମ ସ୍ୱର୍ଗକୁ ଉଠେଇ ନେଇଥିଲା ଗୋଟାଏ ପ୍ରକାଣ୍ଡ ଝଡ଼ରେ ସେ ସେଠାରୁ ହଠାତ୍ ଖସି ପଡ଼ିଲା ନୈରାଶ୍ୟରେ ଭୂତଳକୁ । କାହିଁକି ତେବେ ସେ ଆସିଥିଲା ଘରକୁ ? ସୁଖୀ ଓ ଓ ନିଶ୍ଚିନ୍ତ ଜୀବନ ତ ସେ କାଟୁଥିଲା ଆସାମରେ । ନ ଆସିଥିଲେ ଖୁବ୍ ଭଲ ହୋଇଥାନ୍ତା—ଗୋଲାପୀ ଠିକ୍ କହିଥିଲା । ତାର ଆସିବା ଉଚିତ ନଥିଲା । ତେବେ ପୁଅର କଣ ଅଧିକାର ନାହିଁ ମା’କୁ ଥରେ ଆସି ଦେଖିଯିବାକୁ ? କୋଡ଼ିଏ ବର୍ଷ ତାର ସପନରେ କଟିଛି । ଭାଇମାନେ ଟଙ୍କା ଦରକାର କରନ୍ତି । ଦେବାକୁ ତା’ ପାଖରେ ଟଙ୍କା ନାହିଁ । କଣ ହେଲା ? ତା’ ଟଙ୍କା ସେ ଖର୍ଚ୍ଚ କଲା । ଜୀବନରେ ସେ କେବେ ଅପବ୍ୟୟ କରିନଥିଲା । ମଣିଷ ଜୀବନ ଭିତରେ ଥରେ ବେହିସାବୀ ଖର୍ଚ୍ଚ କରିପାରେ । କାହିଁକି ସେ ଆସନ୍ତା ନାହିଁ ? ଝିଅ ବିବାହିତା । ପୁଅ ଡାକ୍ତର । ମା’କୁ ମୃତ୍ୟୁପୂର୍ବରୁ ଥରେ ଦେଖିବା କଥା । ସେଥିପାଇଁ ସେ ଆସିଥିଲା । କ୍ଷତି କଣ ?

 

ଘରଟି ଭୀଷଣ ଅନ୍ଧକାର । ସେଇ ଅନ୍ଧକାର ଭିତରେ ବସି ଭାବିଲା ନିହାତି କମରେ ବାଟ ଖର୍ଚ୍ଚ ପାଇଁ କୋଡ଼ିଏଟି ଟଙ୍କା ଦରକାର । କଟକରେ ପହଞ୍ଚି ଗଲେ ହେଲା । ତେଣିକି ଦେଖାଯିବ । ବଣ୍ଡକୁ କଣ ବାପାକୁ ତାର କିଛି ଟଙ୍କା ସାହାଯ୍ୟ କରିବ ନାହିଁ ? ଶୁଣୁଛି ଦରମା ପାଉଛି ସେ ତିନିଶହ ଟଙ୍କା ମାସକୁ । ତା’ପରେ ଉପୁରି ବି ଅଛି । ସକାଳୁ ରାଇଘର ଯାଇ ଡବଲ କଂପାନୀଠାରୁ କୋଡ଼ିଏଟି ଟଙ୍କା ଋଣ ଆଣିବ । କିନ୍ତୁ ସୁଧ ରେଟ୍ ଟା ଟିକେ ବେଶୀ । ପଡ଼ିଲେ ପଡ଼ିବ—ଭୟନାହିଁ । ଆସାମରେ ପହଞ୍ଚି ଟଙ୍କାଟା ପଠାଇ ଦେଲେ ବି ଚାଲିଯିବ ।

 

ଅତୀତ ବହୁ ଆଗରୁ ମୁକ୍ତି ଦେଇଥିଲା ତାକୁ । କିନ୍ତୁ ଏଠାକୁ ଆସି ଆଉ ଅତୀତକୁ ଭୁଲିପାରୁନି ସେ । ଭାବୁ ଭାବୁ ସେଇଠି ଶୋଇପଡ଼ିଲା ।

 

(୯)

 

ପରଦିନ ବସିଲା ଗ୍ରାମପଞ୍ଚାୟତର ଜରୁରୀ ବୈଠକ । ଜଙ୍ଗଲ ମଧ୍ୟରେ ଗୁଡ଼ି ଠାକୁରାଣୀଙ୍କ ନିକଟରେ । ମନ୍ଦିର ନାହିଁ । ଠାକୁର ମୂର୍ତ୍ତି ନାହିଁ । ବଡ଼ ତେନ୍ତୁଳି ଗଛ ଦେହରେ ସିନ୍ଦୁର-। ପାଖରେ ଖଣ୍ଡେ ଦୁଇଖଣ୍ଡ ପଥର । ସେମାନେ ହେଉଛନ୍ତି ଭୀମା, ବାବୁରାଇ ଓ ଚଉଁରିଆ ଦେବତା ।

 

ଆସିଲେ ପାଖଆଖ ଗାଁର ବଛା ବଛା ମେମ୍ବରମାନେ । ସରପଞ୍ଚ, ନାଏବ ସରପଞ୍ଚ ବି ଆସିଲେ ରାଇଘରରୁ । ସେହିମାନେ ହିଁ ଆଦିବାସୀ ମୁଲକର ବିଚାରପତି । ତାଙ୍କ ଶୀତ ଆଉ କେହି ତୁଳନୀୟ ନୁହଁନ୍ତି । ବୟସ ହେଲେ ବି ପୁରା କ୍ଷମତା ବଜାୟ ରହିଛି ସରପଞ୍ଚଙ୍କର ।

 

ସଭାରେ କେଚା ଉପରେହେଲା ସବୁ ତପଫରୁ ଅସଂଖ୍ୟ ପ୍ରଶ୍ନବାଣ ଓ ତିନିହଜାର ଟଙ୍କାର ଦାବୀ । କେଚା ଉଠି ତାର ଅଭିଭାଷଣ ଆରମ୍ଭ କଲା ସଂପୂର୍ଣ୍ଣ ସନ୍ତୋଷଜନକ ଭାବରେ । ସେ ଶାନ୍ତ ସ୍ୱରରେ କହିଲା, ‘‘ଦୋହାଇ ଆପଣମାନଙ୍କୁ । ମୋତେ କେହି ଭୁଲ ବୁଝନ୍ତୁନାହିଁ । ମୁଁ ଜୀବନ ଦେଇ ସାହାଯ୍ୟ କରିବାକୁ ପ୍ରସ୍ତୁତ । କିନ୍ତୁ ମୋ ପାଖରେ ଯେତେବେଳେ ଆଦୌ ଅର୍ଥ ନାହିଁ କିପରି ସାହାଯ୍ୟ କରିବି ? ଆପଣମାନଙ୍କ କହିବାଯାଏ ମୁଁ ନଥାନ୍ତି । ବହୁ ଆଗରୁ ସାହାଯ୍ୟ କରିପାରନ୍ତି । ମୋତେ ବିଶ୍ୱାସ କରନ୍ତୁ—ଦୟାକରି ବିଶ୍ୱାସ କରନ୍ତୁ, ମୋ ନିକଟରେ ଟଙ୍କା ନାହିଁ । ସାରାଜୀବନ ମୁଁ ଚାକିରୀ କରିଛି ସତ କିନ୍ତୁ ମୁଁ ଗରିବ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପରି ଗରିବ ।’’

 

ଜଣେ ମେମ୍ବର ରାଗି ଉଠି କହିଲେ, ‘‘ତୁମେ ଗରିବବୋଲି କହୁଛି ? ଯଦି ତୁମେ ପ୍ରକୃତରେ ଗରିବ କିପରି ଏତେ ଟଙ୍କା ଖର୍ଚ୍ଚ କରି ଏତେ ବାଟ ଆସି ପାରିଲ ? ତୁମେ ଏଡ଼େ ଦାମିକା ପୋଷକମାନେ କିପରି କିଣି ପାରିଛି ? ୱାଚ କିପରି ହାତରେ ବାନ୍ଧିଛ ? ତୁମେ ପ୍ରତାରଣା କରୁଛ ? ତୁମେ ଏକେବାରେ ବଦଳି ଯାଇଛ । ଦୀର୍ଘ ବର୍ଷର ବ୍ୟବଧାନରେ ତୁମର ମୋହ ମାୟା ମମତା ସମସ୍ତ କୁଆଡ଼େ ଚାଲିଯାଇଛି । କେବଳ ଫମ୍ପା ନିରର୍ଥକ ମଧୁର ବଚନ, ସଦିଚ୍ଛା, ଓ ସହାନୁଭୂତି । କାରଣ ସେଥିରେ କିଛି ଖର୍ଚ୍ଚ ହୁଅନା ।’’

 

କେଚା ଭଙ୍ଗା ଓ ଅସ୍ପଷ୍ଟ ଗାଲରେ କହିଲା, ‘‘ସେପରି କଥା ଅନୁଗ୍ରହ କରି କୁହନ୍ତୁ ନାହିଁ ଆପଣମାନେ ।’’ ତା’ର ସ୍ୱର ଆହୁରି ଥରି ଉଠିଲା ।

 

ସମସ୍ତଙ୍କ କଥା ଶୁଣିସାରି ସରପଞ୍ଚ କହିଲେ, ‘‘ସେମାନେ ତୋର ନିଜର ରକ୍ତ ନିଜର ମାଂସ । ଗୋଟିଏ ମା ପେଟରୁ ଜନମ । ବଡ଼ ଲଜ୍ଜାର କଥା ! ମନେରଖ କେଚା ! ଦିନେ ତୋର ଏପରି ସମୟ ଆସିବ ଯେତେବେଳେ ତୁ ହେବୁ ପୀଡ଼ିତ, ଅକ୍ଷମ ଓ ଗରିବ ଏବଂ ଟଙ୍କା ଦରକାର କରିବ ସେତେବେଳ ତତେ କେହି ସାହାଯ୍ୟ କରିବେ ନାହିଁ । ମନରେ କିଛି ନ ଭାବି ତିନି ହଜାର ଟଙ୍କା ଖୁସିରେ ଦେଇ ଦେ ।’’

 

କେଚା ସଙ୍ଗେ ସଙ୍ଗେ ତାର ପାସ୍ ବହିଟି ପକେଟ୍‍ରୁ କାଢ଼ି କହିଲା, ହେଇ ଦେଖନ୍ତୁ । ମୋର ସମସ୍ତ ଧାନ ଶହେ ବି ନାହିଁ । ଏପରିକି ପଚାଶ ଟଙ୍କା ବି ନାହିଁ । କେତେଶହ ଟଙ୍କା ସଞ୍ଚୟ କରିଥିଲି । ସମସ୍ତ ଆସିବାରେ ସରିଛି ।

 

ଭାଇମାନେ ଖୁଣହୋଇ ଉଠିଲେ । କହିଲେ, ‘‘ଆମର ବହି ଦେଖିବା କି ଦରକାର ? ଆମେ ଗରିବ । ତୁମେ ଆଜି ବଡ଼ଲୋକ । ଜାଣିଛ ? ଗରିବ ଗରିବକୁ ବେଶୀ ସାହାଯ୍ୟ କରେ । ଗରିବ ଗରିବର ପେଟ ଚିହ୍ନେ । ଆମର ପିଲାମାନେ କେବେ ଭୋକ ଉପାସରେ ରହିବେ ନାହିଁ । ତୁମେ ଚାଲିଯାଅ ତୁମର ସେହି ମୋହିନୀ ପ୍ରମିଳା ଦେଶକୁ—କାଉଁରୀ କାମାକ୍ଷୀ ଦେଶ ଆସାମକୁ-।’’

 

କେଚା ଶପଥ କରି କହିଲା, ‘‘ମୋ ପାଖରେ ଟଙ୍କା ନାହିଁ । ଏହି ବହିରେ ଥିବା ଧନଠାରୁ ଅଧିକ କିଛି ନାହିଁ । ଆପଣମାନେ ବିଶ୍ୱାସ କରନ୍ତୁ ବା ନ କରନ୍ତୁ ମୋର ସେଥିରେ କିଛି ଯାଏ-ଆସେନାଁ ।

 

ସମସ୍ତେ ଏକସଙ୍ଗେ ଚିତ୍କାର କରି ଉଠିଲେ—କଅଣ କହୁଛ ? ଘରେ ଖାଇବାକୁ ଦୋନାଏ ପେଜ ନାହିଁ । ପିଲାମାନେ ଭୋକରେ ଛଟପଟ । ପିନ୍ଧିବାକୁ କପଡ଼ା ଖଣ୍ଡେ ବି ନାହିଁ । ତଥାପି ତୁମର ଦୟା ନାହିଁ ।

 

ଏତିକି ବେଳେ ସାନ ଭାଇର ପୁଅ ମଙ୍ଗରା ଆସି କେଚାକୁ ମାଗିଲା ପଇସା । ‘‘ଦେ, ବାପା ! ମଣ୍ଡେଇ ଯାତ୍ରା ଦେଖିଯିବ।’’ ତାର ବଡ଼ ବଡ଼ ମଣିଷଙ୍କୁ ମାଗିବା ଅଭ୍ୟାସ ହୋଇଯାଇଛି । ଆଜି ପଇସା ଦେଇ ନପାରି କେଚା ବେକୁବ୍ ହେଲା ପିଲାଟି ପାଖରେ କି ମୁସ୍କିଲ !

 

କେଚା ସଭାରେ କହିଲା, ‘‘ଈଶ୍ୱରଙ୍କ ନାମ ଧରି ପ୍ରମାଣ କରୁଛି ମୁଁ ଭାଗ୍ୟବାନ ନୁହେଁ । ପ୍ରଥମେ ହେଲି ଚା’ ବଗିଚାରେ କୁଲି । ମଜୁରୀ ଦିନକୁ ଚାରିଅଣା । କେତେମାସ ପରେ ବାବୁ ମୋ କାମରେ ସନ୍ତୁଷ୍ଟ ହୋଇ ଦେଲେ ଚୌକିଦାର କାମ । ମୁଁ ଗୋଟିଏ ଡିପୁ ଚୌକିଦାର ମାତ୍ର । ମାସକୁ ଷାଠିଏଟି ଟଙ୍କା ପାଏ । କୌଣସି ମତେ ଜୀବନ ବଞ୍ଚାଏ । ପ୍ରତିଦିନ ଆଠଘଣ୍ଟା ଖଟେ।’’

 

‘‘ଯଦି ତୁମେ ବଡ଼ ଚାକିରୀ କରି ବାଜୁ ଅର୍ଥ ପାଇଁ ନଥାନ୍ତ ତେବେ ଏଡେ ବଡ଼ କିପରି ହୋଇପାରିଛ ? ରାଜପୋଷାକ ପରିଚ୍ଛଦ ପିନ୍ଧି କିପରି ଦେଶକୁ ଆସିଛ ? କିଏ ତେବେ ତୁମକୁ ଏତେ ଧନ ଦେଲା ?

 

କେଚା ମୁହଁ ଲାଲ ପଡ଼ିଗଲା । ମୁଣ୍ଡ ଗରମ ହୋଇଉଠିଲା । କହିଲା, ‘‘ଆପଣମାନେ ଭାବୁଛନ୍ତି ମୁଁ ଧନୀ ଓ ହୃଦୟହୀନ ବୋଲି । ଯାହା ପାଏ ସେଥିରୁ କିଛି କିଛି ସଞ୍ଚୟ କରିଥିଲି । ଯଦି ମୁଁ ମିଛ କହୁଥାଏ ଏ ମାଟି ଛୁଇଁ କହୁଛି ଏ ବସିବା ଜାଗାରୁ କେବେ ଆଉ ଉଠି ପାରିବି ନାହିଁ ।’’

 

ଶେଷରେ ଭାଇମାନେ ଅଗ୍ନିଶ୍ରମା ହୋଇ ଉଠିଲେ—କହିଲେ, ‘‘କୋଡ଼ିଏ ପଚିଶିଟା ଟଙ୍କାକୁ ଇଚ୍ଛାନୁସାରେ ଜମିବାଡ଼ି ବନ୍ଧାଛନ୍ଦା କରି ପଳାଇ ଯାଇଥିଲୁ ଆସାମକୁ । ବାପ ଅଜା କ’ଣ ଏକ ତୁମରି ପାଇ ତାଲୁକ ମୂଳକ ରଖିଯାଇଥିଲେ ?

 

କେଚା ଭାବିଲା କହିଦେବ, ତୁମେମାନେ ଭାଇ ହୋଇ କିପରି ଟଙ୍କା ଲୋଭରେ ମୋର ଝିଅ ମଶାନ୍‍କୁ ଗୋଟାଏ ଛତରା ଅପଦାର୍ଥକୁ ବାହା ଦେଇଥିଲ ? ଯେ କି ଜୁଆଖେଳି ମଦ ପିଇ ବହୁଦିନ ହେଲା ନିରୁଦ୍ଦିଷ୍ଟ । ମଶାନ୍‍ ଆଜି ଜୀବନରେ ଅଛି କି ନା କେଜାଣେ ? କିନ୍ତୁ ସେ କିଛି ନ କହି ନୀରବ ରହିଲା ।

 

ସାରା ଦି ପହର ଯାଇଥିଲା ପାଟି ତୁଣ୍ଡରେ । ପଞ୍ଚାୟତ ସଭାରେ ବି ସେହିପରି ଗୋଳମାଳ । ମା’ ତାର ଅବୁଝା ପୁଅ ଦୁହିଁଙ୍କୁ ବହୁତ ବୁଝାଇଲା । କିନ୍ତୁ ସେମାନଙ୍କର ସେହି ଏକାଜିଦ୍ । କୋଚାଠି ଟଙ୍କା ଅଛି । ସେ କରଜ ଶୁଝିବାକୁ ଟଙ୍କା ଦେଉ ।

 

(୧୦)

 

ସେ ଦିନ ବେଶୀ ଜର ମଶାନ୍‍ର । ଗତକାଲିଠାରୁ ତାତି ବଢ଼ିଲା ସିନା କମିଲା ନାହିଁ । ଲିଟି କରେ କ’ଣ ? ଘରେ ଦେଖା ଦେଖି କରିବାକୁ କେହି ନାହିଁ ।

 

ମଶାନ୍‍ କହିଲା, କାଲିକୁ ଭଲ ହୋଇଯିବ ଯେ । ତୁମେ ଆଜି ରିକ୍ସା ନେଇ ଯାଅ । କିଛି ଭାବନା ।

 

ଉଦ୍‍ବିଗ୍ନ ହୃଦୟରେ ଭାବି ଭାବି ରିକ୍ସା ନେଇ ଚାଲିଗଲା ସେଦିନ ଲିଟି ।

 

କିନ୍ତୁ ପରଦିନ ଜର ସତକୁ ସତ ବଢ଼ିଲା ସିନା କମିଲା ନାହିଁ । ଲିଟି କହିଲା; ‘‘ନା, ମୋର ଆଜି ସାହସ ଏଭଳି ଅବସ୍ଥାରେ ତତେ ଛାଡ଼ି କିମିତି ଯିବି ରିକ୍ସା ବାହି ?’’

 

ମଶାନ୍‍ କରୁଣ ଚକ୍ଷୁରେ ଚାହିଁ ରହିଲା ଲିଟିକି । ଶୋଇ ଶୋଇ କାନ୍ଦିଲା । ରୋଗ କମିବାକୁ ଚାହେଁନା । ଶେଷରେ ଜନମ ହେଲା ମୃତ ଶିଶୁଟିଏ ।

 

ବେମାର ଏକ ଭାବରେ ରହିଛି । ଔଷଧ ନାହିଁ । ପଥ୍ୟ ନାହିଁ, ଡାକ୍ତର ନାହିଁ କି ବୈଦ୍ୟ ନାହିଁ । ମଶାନ୍‍ ଦିନୁ ଦିନ ଆହୁରି ଦୁର୍ବଳ ହୋଇପଡ଼ିଛି । ବିଛଣାରୁ ଉଠି ପାରୁନି । ଜୀବନର ଆଶା ଧୀରେ ଧୀରେ ହଜି ଯାଉଛି । ଲିଟି ସୃଷ୍ଟି ବିରୁଦ୍ଧରେ ଅହେତୁକ ଉତ୍ପୀଡ଼ନ ପାଇଁ ମନେ ମନେ ବିଦ୍ରୋହ ଘୋଷଣା କରୁଛି । ନିରପରାଧ ଉପରେ ଏଇ ଅନ୍ୟାୟ—ଅତ୍ୟାଚାର ଅବିଚାର ପାଇଁ ବିଧାତାଙ୍କ ପକ୍ଷପାତିତା ନେଇ କ୍ଷିପ୍ତ ହୋଇଉଠିଛି । ଅଭିଶାପ ଦେଉଛି ସଂସାରକୁ । କିନ୍ତୁ ସେଥିରେ ଲାଭ ହେଉଛି କଣ ?

 

ମଶାନ୍‍ ସେଦିନ କରୁଣ-କାତର ଆଖିରେ ଲିଟି ମୁହଁକୁ ଚାହିଁ କହିଲା, ମୁଁ ଆଉ ବଞ୍ଚିବି ନି-

 

ଲିଟି ଯୋରରେ ବୁକୁଫଟା ହସ ହସି ଉତ୍ତର ଦେଲା—‘‘ପାଗଳୀ ପରି ସେଗୁଡ଼ା କଣ ବକୁଛୁ ମଶାନ୍‍ ? କାହିଁକି ବଞ୍ଚିବୁନୁ ? କଣ ତୋର ହୋଇଛି ? ରୋଗ ତ ? ଭଲ ହୋଇଯିବନି କି-?’’

 

ଲିଟି ବସିଲା ମଶାନ୍‍ର ମଥା ନିକଟରେ ଶୀର୍ଣ୍ଣ ହାତଟିକୁ ତାର ନିଜ ହାତରେ ଧରି । ଆଖି ଦୁଇଟି ସତକୁ ସତ ଝାପ୍ସା ହୋଇ ଉଠୁଥିଲା ତାତିଲା ଲୁହରେ । ଚକଟି ମନ୍ଥି ହୋଇ ଉଠୁଥିଲା-। ଛାତି ଭିତରେ ତାର ସେହି ପୁରୁଣା ଦିନର ସ୍ମୁତି ଗୁଡ଼ିକ । କ୍ଲାନ୍ତ ଆଖିରେ ନଇଁ ଆସିଥିଲା ଅବସାଦର ଘନଛାୟା । ଗରିବ ରିକ୍ସାବାଲା ସେ—ଦିନ ମଜୁରିଆ । ଯାହା ପାଏ । କଟକ ଭଳି ସହରରେ ଗୋଟିଏ ଦିନ ପାଇଁ ନିଅଣ୍ଟ । ସାନ୍ତ୍ୱନା ଦେବାକୁ ମଶାନ୍‍କୁ ସେ ତାକୁ କହିଦେଲା ସିନା ହେଲେ ତା ମନ ବୁଝିଲାନି ।

 

ସେ କାନ୍ଦି କାନ୍ଦି କହିଲା, ତତେ ଏମିତି ଭାବରେ ମାରିବାକୁ ଦେବିନି ମଶାନ୍‍ । ବର୍ତ୍ତମାନ କାମର ବେଳା । ଯାଉଛି ଡାକ୍ତର ଆଣିବି ଏଇ ରାତିରେ ।

 

ମଶାନ୍‍ ବାରଣ କରିଥିଲା, ଲିଟି ଶୁଣିଲାନି । ଆଖିରେ ପାଣି ପୋଛି ସେହି ନୀରବ ରାତିରେ ସେ ଯାଇଥିଲା ଡାକ୍ତର ଡାକି ।

 

ଡାକ୍ତର ବି ଆସିଥଲେ । ରୋଗୀକୁ ପରୀକ୍ଷା କରି କହିଲେ, ‘‘ବଡ଼ ବିଳମ୍ବ ହୋଇଗଲା । ଏଇଟା ସୂତିକା ରୋଗ । ତେବେ ଘଣ୍ଟାକୁ ଗୋଟାଏ ହିସାବରେ ଚାରୋଟି ଇଞ୍ଜେକ୍ସନ୍ ଦରକାର । ଖର୍ଚ୍ଚ ଦେଇ ପାରିବତ ?’’ ମୋଟ ଇଞ୍ଜେକ୍ସନ୍‍ର ମୂଲ୍ୟ କୋଡ଼ିଏ ଟଙ୍କା ଓ ଭିଜିଟ୍ ପନ୍ଦର ଟଙ୍କା । ଟଙ୍କା ଧରି ମୋ ପାଖକୁ ଆସ । ଖାଇବା ଔଷଧ ଯାହା ଆବଶ୍ୟକ ସଙ୍ଗେ ସଙ୍ଗେ ଦେବି । ଅବଶ୍ୟ ସେଇଟା ପାଇଁ ଟଙ୍କା ପଡ଼ିବ ନାହିଁ ।

 

ଡାକ୍ତର ଚାଲିଗଲେ ।

 

ଲିଟିର ବର୍ତ୍ତମାନ ପ୍ରୟୋଜନ କେବଳ ଟଙ୍କା-ଅନେକ ଟଙ୍କା । କଣ କରିବ ? ଟଙ୍କା କେଉଁଠୁ ପାଇବ ସେ ? ନା, ତାକୁ ଯେ କୌଣସି ପ୍ରକାରେ ଟଙ୍କାର ଯୋଗାଡ଼ କରିବାକୁ ପଡ଼ିବ । ସେ ଗରିବ ହେଲା ବୋଲି କଣ ତା’ର ବିହୁରେ ଶକ୍ତି ନାହିଁ ? ସେ କ’ଣ ଆଜି ଦୁନିଆର ପ୍ରତିଶୋଧ ନେଇ ପାରିବନି ?

 

ତାର ଆଜି ଜେଲଖାନକୁ ଡର ନାହିଁ । ମରଣକୁ ଭୟ ନାହିଁ । ଯଦି ଡାକ୍ତର ହୋଇ ଦରିଦ୍ର ଅସହାୟ ରୋଗୀଙ୍କଠାରୁ ଟଙ୍କା ଦାବି କରି ବସିବ ଧିକ୍ ତାର ସେ ଶିକ୍ଷାକୁ ? ସେ ଭଳି ସରକାର ଆଇନ ସ୍ୱୀକାର କରେ ବା କେମିତି ? ବିଦ୍ରୋହୀ ହୋଇ ଉଠିଲା ତାର ମନ ।

 

ନା, ସେ ଚୋରିକରି ଧନୀମାନଙ୍କର ସର୍ବସ୍ୱ ଲୁଟି ନେବା ପାଇଁ ପ୍ରସ୍ତୁତ ହେବ । ଏହିଭଳି ଭାବରେ ଦରିଦ୍ର ନିରୀହ ଜାତି ନିର୍ଦ୍ଧୟ ଭାବରେ ଆଜିର ଏ ସଭ୍ୟସମାଜର ଆଉ କେତେ କାଳ ନିର୍ଯ୍ୟାତିତ ହେଉଥିବେ ? ଏ ଯେଉଁ ରୁଗଣ୍, ଅକର୍ମଣ୍ୟ, ସର୍ବହରା ଜୀବନ ଥାଉଁ ଥାଉଁ ସହରର ଫୁଟପାଥରେ ଅକାଳ ମରଣକୁ ବାରଣ କରୁଛନ୍ତି—ସାରା ଜୀବନ ତିଳ ତିଳ କରି ଯେଉଁ ଦୁଃଖୀସମାଜ ବୁକୁଭରା ବେଦନା ନିର୍ବାକ ହୋଇ ସହି ଆସୁଛନ୍ତି ସେଥିପାଇଁ ଦାୟୀ କିଏ ? ଲକ୍ଷ ଲକ୍ଷ ଜୀବନ ଏହି ସାହାଯ୍ୟ ସହାନୁଭୂତି ଅଭାବରୁ କିପରି ଯେ ନଷ୍ଟଭ୍ରଷ୍ଟ ହୋଇ ପଡୁଛି-ଝଡ଼ିପଡ଼ୁଛି ଅକାଳରେ, ତାହା କଣ ଧନୀକ ଶ୍ରେଣୀ ଜାଣେନା ?

 

ପଥର ପରି ନିଥର ହୋଇ କିଛି ସମୟ ବସି ରହିଲା ଲୁଟି । ଦୁନିଆର ସମସ୍ତ ଆଶା ଭରସା ତାର ଚିରଦିନ ପାଇଁ ବୁଡ଼ିବାକୁ ଯାଉଛି କେବଳ କେତେଟା ଟଙ୍କା ଅଭାବରେ । ନିହାତି ବାଧ୍ୟ ହୋଇ ତାକୁ ସେହି ନିଷ୍ଠୁର ହୃଦୟହୀନ କାମ କରିବାକୁ ପଡ଼ୁଛି । ତାର ଜୀବନର ଅଭିଶାପ ସହିତ ମଶାନ୍‍କୁ କାହିଁକି ବା ଜଡ଼ାଇବ ସେ । ନା, ସେ ଯିବ । ନିଶ୍ଚୟ ଯିବ ଟଙ୍କାପାଇଁ । ଦେହ ମନ ପ୍ରାଣରେ ଦୃଢ଼ତା ସଞ୍ଚୟ କରୁଥିଲା ସେ ।

 

ମଶାନ୍‍ ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦି ଉଠିଲା । କାଳିଜାକୁ ଯେପରି କିଏ ଧାରୁଆ ଛୁରୀରେ କାଟି ପକାଉଛି, ସେ ଦୃଶ୍ୟ ବାସ୍ତବିକ ମର୍ମାନ୍ତିକ । ଦୁଃଖରେ ବିହ୍ଵଳ ହୋଇ ହାତ ବଢ଼ାଇଲା ଲିଟି ପାଖକୁ । ଏହି ଦୁରବସ୍ଥା ମଧ୍ୟରେ ସେ ପାଖରେ ଲିଟିକୁ ଚାହେଁ । ଆଜି ତାର ବେଶି ପ୍ରୟୋଜନ ଲିଟି । ଟଙ୍କା ସୁନା ତା ନିକଟରେ ମୂଲ୍ୟହୀନ । ମଲେ ମାରିବା ପଛେ ଚିନ୍ତାନାହିଁ।

 

ଠନ୍ ଠନ୍ କରି ଘଣ୍ଟାରେ ବାଜିଉଠିଲା ରାତି ଏଗାରଟା । ଲିଟି ଚମକି ଉଠିଲା । ଆରେ ଏଗାରଟା ? ଏବେ ଯାଉଛି ଚାଲି ।

 

ତାରାର ହାଟ ନୀଳ ଆକାଶରେ । ସପ୍ତମୀ ଚାନ୍ଦ ଡୁବୁ ଡୁବୁ କରୁଛି ଚକ୍ରବାଳରେ—ଲିଟି ମନେ ମନେ କହିଲା, ହେ ଭଗବାନ । ଏ ସବୁ ତୁମରି ସର୍ଜନା । ତୁମ ଜୀବନରେ ତ ଝାଡ଼ା ନାହିଁ, ତେବେ ଗରିବ ଜୀବନରେ ଝଡ଼ ବତାସ ଆସେ କାହିଁକି? ଏ ପ୍ରକାର ସୃଷ୍ଟ ତୁମର କେଉଁ ଖିଆଲ ?

 

ଏଡେ ବଡ଼ ଜାନକୀର୍ଣ୍ଣ ପୃଥିବୀ । ଆହା ! ତାପରି ଗୋଟିଏ ଦରିଦ୍ର ନଗଣ୍ୟ ରିକ୍ସାବାଲା ପରିବାରର ଖବର ରଖୁଛି କିଏ?

 

ଗଭୀର ରାତ୍ରିର ସାଇଁ ସାଇଁ ଶବ୍ଦ । ରାତିର ପକ୍ଷୀ ପକ୍ଷ ପିଟି ପିଟି ଆରମ୍ଭ କରି ଦେଇଥାନ୍ତା ସେମାନଙ୍କର ନୈଶ୍ୟ ଅଭିଯାନ ।

 

ଡାକ୍ତରବାବୁଙ୍କ ଘର ମଝିରେ ଝୁଲୁଥିବା କାନ୍ଥଘଣ୍ଟାଟି ଟିକ୍ ଟିକ୍ କରି ଚାଲିଛି । ଚାଲିବାର ବିରାମ ନାହିଁ । ବିଶ୍ରାମ ନାହିଁ। ସମସ୍ତ ଜଗତ ନିସ୍ତବ୍ଧ-ନିଝୁମ । ଜନ ପ୍ରାଣୀର ସ୍ୱର ଶବ୍ଦ ନାହିଁ । ଡାକ୍ତରବାବୁ ତାଙ୍କର ଦୁଗ୍ଧ-ଫୋନ-ନିଭ କୋମଳ ଶଯ୍ୟା ଉପରେ ସୁଖ ନିଦ୍ରାରେ ଶାୟିତ । ଯେପରି ଭୟ ଭାବନା ତାଙ୍କର କିଛି ନାହିଁ । ଅକାତରରେ ନିଦ୍ରା ଦେବୀ କୋଳରେ ଶରୀରକୁ ଢାଳି ଦେଇଛନ୍ତି ସେମାନେ । ବାହାରେ ଥଣ୍ଡା ପବନ ବହୁଛି ।

 

ଲିଟି ପଶିଲା ଝରକା ଭାଙ୍ଗି ଘର ଭିତରେ । ଦୁର୍ଯୋଗ ତ ଝରକାରୁ ଓହ୍ଲାଇବା ମାତ୍ରେ ଲାଗିଲା ଧକ୍କା କାଚ ଆଲମାରି ସଙ୍ଗରେ । ଔଷଧ କାଚ ଗୁଡ଼ିକ ତଳେ ପଡ଼ି ଏପରି ଗୋଟାଏ ଝଣ ଝଣ ଶବ୍ଦ ସୃଷ୍ଟି ହେଲା ଯେ ଯାହା ଫଳରେ ‘ଚୋର’ ‘ଚୋର’ ବୋଲି ବାବୁ ଓ ଚାକର ଏକ ସଙ୍ଗେ ଉଠି ପଡ଼ିଲେ । ଲିଟିର ଆଉ ରକ୍ଷା ନାହିଁ ।

 

(୧୧)

 

ଲିଟି ଚୋରୀ ଅଭିଯୋଗରେ ଅଭିଯୁକ୍ତ ଆସାମୀ । ସେହି ଡାକ୍ତରବାବୁଙ୍କ ଘରେ ଚୋରୀ ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ହାତର ଧରାପଡ଼ି ଆରେଷ୍ଟ ହୋଇଛି । ସେ ବର୍ତ୍ତମାନ ପୋଲିସ୍ ହାଜତରେ । ଇନ୍ ଭିଷ୍ଟିଗେସନ୍ ଚାଲିଛି । ଚାର୍ଜସିଟ୍ ଦାଖଲ ହେବ ଏଇ ଅଳ୍ପଦିନ ମଧ୍ୟରେ-। ସେ ତ ଅସହାୟ ଗରିବ ରିକ୍ସାବାଲା । ତାର ସକାଶେ ଜାମିନ୍ ପାଇଁ କିଏ ଠିଆ ହେବ-? ସରକାରୀ ସାକ୍ଷୀ ହେଉଛନ୍ତି ଡାକ୍ତରବାବୁ ନିଜେ ଓ ତାଙ୍କର ଜଣେ ଚାକର ।

ରାତି ଅନ୍ଧକାରରେ ସେ ଦିନ କଣ ଘଟିଛି ବା ନ ଘଟିଛି ତା ଉପରେ ମୋଟା କଳାରଙ୍ଗର ପରଦା ଟାଣି ଦେଲେ ପୁଲିସ । ଲିଟି ଲାଞ୍ଚନା ତ ପାଇଲା-ଉପହାର ମିଳିଲା ବୁଟ୍ ମାଡ଼-। ନିଷ୍ପଳ ଆକ୍ରୋଶରେ ଜଳି ଉଠିଲା ଲିଟି । ଆଖି ଆଗରେ ଭାସିଗଲା ଶୁଷ୍କ ପାଣ୍ଡୁର ରଙ୍ଗ ମୁଖଟିଏ-। ଆହା ! କିପରି ଥିବ ତାର ସେହି ମଶାନ୍‍ । କିଏ ତାକୁ ଦେଉଥିବ ସାହସ—କିଏ ଦେଉଥିବ ସାନ୍ତ୍ୱନା ଏଇ ଦୁର୍ଦ୍ଦିନରେ ତାକୁ । ଭଗବାନଙ୍କୁ ମନେ ମନେ ପ୍ରଣାମ କଲା ଆଖିବୁଜି । ଗରିବର ଭଗବାନ ! ଦରିଦ୍ର ଅସହାୟର ଭଗବାନ-ଆରତ ତ୍ରାଣ ।

ମଶାନ୍‍ ରୋଗ ଶେଯରେ । କାନପାରି ସେ ଶୁଣେ । ସତେ ଲିଟି ଆସୁଛି ଯେପରି । ଗେହ୍ଲେଇ ଗେହ୍ଲେଇ ହୋଇ ସତେଯେପରି ତାକୁ ଡାକୁଛି ଖୁବ୍ ପାଖରେ । ପୁଣି ଚେତନା ଲୋପ ପାଇଯାଏ ମଶାନ୍‍ର । ଟିକକ ପରେ ସଚେତନ ହୋଇଉଠେ । ଦେଖେ, କେହି ନାହିଁ । ଲିଟି ଆସେନି କି ସେ ଖବର ତାକୁ କେହି ଦିଏନି । ଆଖି ତାର ଯାହାକୁ ବାର ବାର ଖୋଜେ ଖୁବ୍ ନିକଟରେ ସେ ପାଖରେ ନାହିଁ । ତଥାପି ତାର ପୋଡ଼ା ମନ ବୁଝେନା ।

ମଝିରେ ମଝିରେ ନିରାଶାରେ ଭାଙ୍ଗିପଡ଼େ ସେ । ବୁକୁ ଭିତର ଚକଟିମନ୍ଥି ହୁଏ । ହାତଟି ମନକୁମନ ଚାଲିଯାଏ ଛିଣ୍ଡା ବ୍ଲାଉସ୍ ତଳର ସେଇ ସ୍ପନ୍ଦିତ ମାଂସପିଣ୍ଡୁଳା ଉପରକୁ । ସେହି ଭୟଙ୍କର ରାତି ଆହୁରି ଭୟଙ୍କର ହୋଇଉଠେ ।

ହସପିଟାଲ । ଖଟ ଉପରେ ପଡ଼ି ରହିଛି ମଶାନ୍‍ ମଳିନ ରୁଗ୍‍ଣ ଅବସ୍ଥାରେ ଅର୍ଦ୍ଧମୃତ ପରି । ପଙ୍ଖାଟା ଉପରେ ଘୁରୁଛି । ଯେପରି ସେଥିରେ ପବନ ନାହିଁ । ସେ ଖଁ ଖଁ କାଶୁଛି । ବେଶି କାଶ । ହାତଗୋଡ଼ ଯାକିଯୁକିଦେଇ ଶୋଇଛି । ଗଳାର କଫ ଛିଡ଼ୁନି । ଦୁର୍ଭାବନା ଓ ଦୁଶ୍ଚିନ୍ତାରେ ଶରୀର ତାର ଏକେବାରେ ଭାଙ୍ଗି ପଡ଼ିଛି ।

ଆଜି ସକାଳେ ତାର ନିଦଟିକେ ଡେରିରେ ଭାଙ୍ଗିଲା । ବାହାରେ ପକ୍ଷୀମାନଙ୍କର କଳକୂଜନ । ଅନେକବେଳୁ ଉଷାର ଆଲୋକ ଦେଖାଦେଇଛି । ପ୍ରଭାତର ମୃଦୁମନ୍ଦ ସମୀରଣ ମୁକ୍ତ ବାତାୟନ ଦେଇ କକ୍ଷ ମଧ୍ୟକୁ ଆସି ତାର ମଳିନ ଲଲାଟ ଉପରେ ବୋଲି ଦେଇ ଯାଉଥିଲା ଶାନ୍ତିର ପ୍ରଲୋପ ।

ଆଖି ଖୋଲି ଚାହିଁ ଦେଖିଲା ସେ ଶୋଇଛି ଗୋଟିଏ କୋଠାଘର ମଝିରେ ଏକ କୋମଳ ଶଯ୍ୟା ଉପରେ । ତାରିପରି ଆଉ କେତେଜଣ ବି ଶୋଇଛନ୍ତି ସେହି କୋଠରୀ ଭିତରେ । ସେ ଭଲକରି ଦେଖିଲା ଏତ ତାର ସେହି ଜୀର୍ଣ୍ଣକୁଟୀର ନୁହେଁ । କିଏ ତାକୁ ଆଣିଲା ଏଠିକି ?

ମଶାନ୍‍ ଏହି ଦୁର୍ଘଟଣାରେ ବୋକା ହୋଇଯାଇଛି । ଘଟଣାର ଆକସ୍ମିକତା ନେଇ ତାର ଯେପରି ବୁଦ୍ଧି ଭ୍ରଷ୍ଟ ହୋଇ ଯାଇଛି—ହାତଗୋଡ଼ ମେଲାଇ ଦେଇ ଅଜ୍ଞାନ ପରି ପଡ଼ି ରହିଛି ସେ । କେଶରାଶି ମୁକୁଳିତ ହୋଇ ଏଣେତେଣେ ପଡ଼ିଛି ।

 

ଦେଖିଲା ତାର ସାମ୍ନାରେ ଲେଡି ଡାକ୍ତର ଓ ନର୍ସ । ପଛରେ ଜଣେ ପୁଲିସ କର୍ମଚାରୀ । ହାତରେ ତାଙ୍କର କାଗଜପତ୍ରର ଫାଇଲ୍ ।

 

ଚାରିଆଡ଼େ ଆଖି ବୁଲାଇ ମଶାନ୍‍ କହିଲା, ‘‘ମୁଁ ଏଠାକୁ କିପରି ଆସିଲି ?’’

 

ଲେଡି ଡାକ୍ତର ଆଶ୍ଵାସନା ଦେଇ କହିଲେ, ‘‘ତୁମେ ନିରାପଦ ସ୍ଥାନରେ ଅଛ । ଏଇଟା ହେଉଛି ହାସପାତାଳ । ’’

 

ସେଟା ପୁଣି କଣ ? ରସପାତାଳ ? କିଏ ଆଣିଲା ମୋତେ ଏଠିକି ?

 

ଡାକ୍ତରଙ୍କ ମୁହଁରେ ଚିନ୍ତାର ଛାପ । ଟିକେ କଣ ଭାବି କହିଲେ, ‘‘ଯେଉଁଦିନ ତୁମେ ପତ୍ରକୁଡ଼ିଆ ଭିତରେ ଅଜ୍ଞାନ ହୋଇପଡ଼ିଥିଲା ସେଦିନ ତୁମର ଚିକିତ୍ସା ପାଇଁ ଏଠାକୁ ଅଣାଯାଇଥଲା-। ମନେ ପକାଇ ପାରୁଛ ସେହି ରାତିକଥା ?’’

 

ପୋଲିସ୍ ସବଇନ୍ସପେକ୍ଟର ପ୍ରଶ୍ନ କଲେ, ‘‘ଲିଟି ଖବର କିଛି ଜାଣ ? କିଛି ମନେ ପଡ଼ୁଛି-?’’

 

ମଶାନ୍‍ ହାଃ ହାଃ କରି ହସି ଉଠିଲା । ସନ୍ନିପାତ—ତେଣୁ ପ୍ରଳାପ ଆରମ୍ଭ ହୋଇଛି ।

 

ଡାକ୍ତର ବହୁ ଚେଷ୍ଟାକରି ତାର ପୂର୍ବ ସ୍ମୃତି ଫେରାଇ ପାରିଲେନି—କହିଲେ ସବଇନ୍ସପେକ୍ଟରବାବୁ ! ସେ ପ୍ରକୃତିସ୍ଥା ନୁହେଁ। ଚାଲନ୍ତୁ ଜମାନ୍ ବନ୍ଦୀରେ ଆଉ କିଛି ଲାଭ ନାହିଁ ।

 

ପୋଲିସ୍ ସବଇନ୍ସପେକ୍ଟର ଫେରିଲେ ନୀରବରେ । ମନ ଭିତରେ ଏକ ତୁମୁଳ ସଂଗ୍ରାମ । ମଶାନ୍‍ର ଦୁରବସ୍ଥା ଦେଖି ଭାବିଲେ ବାସ୍ତବିକ ପୁଲିସ ଚାକିରୀରେ କାହାରିକୁ ଦୟାମାୟା ଦେଖେଇ ହେବନି । ମଣିଷର ସ୍ୱାଭାବିକ ଧର୍ମ ଅନ୍ୟର ବେଦନାକୁ ସମ୍ମାନ ଦେବା । କିନ୍ତୁ ତାହା କ’ଣ ସମ୍ଭବ ? ସମୟେ ସମୟେ ବେଦନା ବୁଝିବା ଅସମ୍ଭବ ହୋଇଉଠେ । ବେଦନାର ସହାନୁଭୁତିରେ ଅପରାଧୀ ମୁକ୍ତି ପାଏ । ତଥାପି ସେ ନିଷ୍ଠୁର ନୁହଁନ୍ତି । ଥରେ ସେ ତାଙ୍କ ଚାକିରୀ ଜୀବନରେ ଗୋଟାଏ ଘଟଣାରେ ଅବହେଳା କରିଥିଲେ । ବାହାର ମଣିଷ ପାଖରୁ ମୁକ୍ତି ପାଇଲେ ବି ନିଜଠାରୁ ନିଜେ ଦୁଇଗଣ ଶାସ୍ତି ପାଇଥିଲେ । ଜେଲ୍ ଫାସି ଠାରୁ ସେ ଶାସ୍ତି ଥିଲା ବଡ଼ ।

 

କିଲଟେରୀ ବିଚାର—କକ୍ଷ ।

 

ଅଭିଯୁକ୍ତ ଲିଟି କାଠଗଡ଼ା ଭିତରେ । ରୁକ୍ଷ ଭୟଙ୍କର ମୂର୍ତ୍ତି ତାର । ଖାତିର ନାହିଁ କାହାକୁ-

 

ଅଭିଯୋଗ—ପୁଲିସ୍ ଅଫିସରଙ୍କୁ ଅପମାନ ଓ ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ସଂପାଦାନରେ ବାଧା ପ୍ରଦାନ । ଏଡେବଡ଼ ଡେଞ୍ଜାରସ୍ ଆସାମୀ ? ଏତେଗୁଡ଼ାଏ ପୋଲିସଙ୍କ ଆଖିରେ ଧୂଳି ଦେବାକୁ ବସିଥିଲା । ଜଣକୁ ଦୁଇବିଧା ବି ମାରିଥିଲା। ସେକ୍ସନ ୩୮୦ ଓ ୩୫୩ ।

 

ଲିଟି ମାଜିଷ୍ଟ୍ରେଟଙ୍କ ବିଚାରରେ ପୁରସ୍କାର ପାଇଲା ଏକମାସ ଜେଲ୍ ।

 

(୧୨)

 

କେଚା ଘରକୁ ଆସିବାର ପ୍ରାୟ ତିନୋଟି ସପ୍ତାହ ଭଲରେ କଟିଗଲା । ତା ପରେ ବାଡ଼ିଆବାଡ଼ି ଗଣ୍ଡଗୋଳ । ପଞ୍ଚାୟତ ବସାଇ ଭାଇମାନେ ଯେତେବେଳେ ଟଙ୍କାପଇସା ପାଇବାରେ ସଫଳ ହେଲେନି—ସମସ୍ୟାର ସମାଧାନ ହୋଇପାରିଲାନି, କଲେ ଅଧିକ ଗୋଳମାଳ । କେଚା ହାତରେ ଯେ ବିସ୍ତର ଟଙ୍କା ଅଛି ସେ ବିଶ୍ୱାସ ସେମାନଙ୍କର ଦୃଢ଼ରୁ ଦୃଢ଼ତର ହୋଇ ଉଠୁଥିଲା । ତାର ଚାଲିଚଳନ ରାଜା ବାଦଶାହ ପରି । ଆଜି ମନ ହେଲାତ ଅମରକୋଟ କାଲିକି ରାୟପୁର, ଧମତରୀ । ଟଙ୍କାପଇସା ନଥିଲେ ଏ ସବୁ କିଏ ପାରେ ? ଚା’ଦୋକାନରେ ଦିନକୁ ପାଣିପରି ପଇସା ଖର୍ଚ୍ଚ କରୁଛି । ଟଙ୍କା ନିଶ୍ଚୟ ଅଛି ତା ହାତରେ । ବହୁତ ଟଙ୍କା କମେଇଛି-। ଏମିତି ଅକୃତଜ୍ଞ, ନିମକହାରାମ ଯେ ଗୋଟିଏ ପଇସା ଦେଉନି । ସେମାନେ କଣ ତାର ଭାଇ, ପୁତୁରା, ଝିଆରୀ ନୁହନ୍ତି ? କିପରି ମଣିଷ ଏପରି ବଦଳି ଯାଆନ୍ତି ? ବଡ଼ ଆଶ୍ଚର୍ଯ୍ୟ-!

 

କେଚା ମନରେ ଭାବେ ବାପା ତାର ମରିଯାଇଥିଲା ପିଲାଦିନୁ । ଏଇ ବିଧବା ମା’ ତାକୁ ମଣିଷ କରିଛି । କଣ କରିବ ସେ । ନିଶ୍ଚୟ ଯିବ । ମା’ଙ୍କ ଦର୍ଶନତ ହୋଇଗଲା । ଏଥର ଫେରିଯିବ । ବୃଦ୍ଧାର ଆଶୀର୍ବାଦ ନେଇ ଚାଲିଯିବ ଆସାମ ମାଟିକୁ । ଜଣେ ସେ ଏଠାରେ ଶାନ୍ତିରେ ଚାଲିପାରିବନି । ଏଠାକାର ଜଳବାୟୁ ଆଉ ତା’ ଦେହରେ ଯିବନି । ଆହା ! ଭ୍ରାତୃତ୍ୱର ମମତା ମଝିରେ କାହିଁ କେଉଁଠି ଲୁଚି ରହିଥିଲା ଏହି ନିଦାରୁଣ ବୈରଭାବ ଓ ଇର୍ଷା । ବୁକୁଟା ତାର କମ୍ପି ଉଠିଲା । କିନ୍ତୁ ଉପାୟ ? ଏମାନେ ଯେ ପଶୁର ସଂପର୍କରେ ରହି ପଶୁ ହୋଇଯାଇଛନ୍ତି । ଏଠାରେ କଣ ମଣିଷ ବଞ୍ଚିପାରେ ? ଯେଉଁ ଗହରେ ଭାଇ ଭାଇ ମଧ୍ୟରେ ଖୁନ ପର୍ଯ୍ୟନ୍ତ ଯାଏ, ଜଣେ ଜଣକୁ ଛୋଟ ଓ ହୀନ ମନେ କରେ ସେଠାରେ ରହିବାର ଲାଭ କଣ ? ଯେଉଁ ଘର ଅନେକ ଦିନହେଲା ଅପେକ୍ଷା କରିଥିଲା ଅନେକ ଦିନର ହଜିଲା ମଣିଷ ପାଇଁ ସେଠାରେ ତାର ଆଉ ରହିବାର ଅଧିକାର ନାହିଁ । ସେ ଚାଲିଯିବ—ନିଜକୁ ଦୂରେଇ ନେବ । ପୃଥିବୀରେ କଣ ତା ପାଇଁ ଜାଗା ନାହିଁ-?

 

ମନେ ପଡ଼ିଲା ଗୋଲାପୀ କଥା । ଅସହାୟା ଯୁବତୀଟି ତାର ଇଚ୍ଛା ବିରୁଦ୍ଧରେ ଜୋର କରି ତା’ ଉପରେ ଏକାଧିପତ୍ୟ ପ୍ରତିଷ୍ଠା କରିଛି । ତଥାପି ସେ ସୁଖିନୀ ହୋଇପାରିନି । ଶାନ୍ତି ପାଇପାରିନି—ସୁଦୀର୍ଘ ସତର ବର୍ଷ ଯାହା ସାଙ୍ଗରେ ସେ ବସା ବାନ୍ଧିଛି—ଏତେ ଟିକେ ମାୟା ମମତା କାଟିନି–ମନ ବସିନି—ତାକୁ ଏକଲା ଛାଡ଼ି ଦୂରରେ ରହିବ କଣ ତ ପକ୍ଷରେ ଠିକ୍ ହୋଇଛି-? ଗୋଟାଏ ଅଶ୍ୱସ୍ତିର ନିଶ୍ୱାସ ଛାଡ଼ିଲା ସେ । ବୁକୁ ଭିତରେ ତାର ଏକ ପ୍ରକାଣ୍ଡ ଅରାଜକତା-। ଭାଗ୍ୟକୁ ସେ ଗୋଲାପୀକୁ ସାଙ୍ଗରେ ଆଣିନି । ଆଜି ସେ ଏଠି ଥିଲେ କେଡ଼େବଡ଼ ଲଜ୍ଜା ବା ସେ ପାଇନଥାନ୍ତା !

 

ଛୁଟି ପୂରିବାକୁ ଆହୁରି ଏକସପ୍ତାହ ବାକୀ । କିନ୍ତୁ ସେ ରହିବାକୁ ଚାହେଁନା । ଯେ କୌଣସି ପ୍ରକାରେ ଆଜି ପାହାନ୍ତାରେ ବାହାରି ଯିବ ସେ । ମା’କୁ ତାର ଆଗରୁ ସେ କଥାକହି ଦେଇଛି, ଆଜି ଦିନଟି ମାତ୍ର ।

 

ସଞ୍ଜ ହେଲାଣି । କେଚା ଘରକୁ ଫେରିନି । ବୁଢ଼ୀ ମା’ କେତେଥର ଡାକିଛି ତାକୁ କେଚା, କେଚା । କିନ୍ତୁ କ୍ଷୀଣ ସ୍ୱର ଘରର ଚାରିକାନ୍ଥ ଡେଇଁ ପଦାକୁ ଯାଇପାରିନି ତା’ର । ସକାଳେ କେଚାକୁ ଡାକି ସେ କହିଥିଲା, ‘‘ଆଉ ଆସାମ ଯାଆନି ବାପ ! ମରିଯିବି । ବାତ ବେମାରି ବଢ଼ିଯାଇଛି କେତେକାଳ ଆଗରୁ । ଉପବାସରେ ମରଣ ସହିତ ଯୁଦ୍ଧ କରି କରି ଚାଲିଯିବି । ଆସାମରେ ପହଞ୍ଚିବା ପୂର୍ବରୁ ମୋର ଶୁଭ ଖବର ନିଶ୍ଚୟ ଶୁଣିବୁ ।’’

 

ହୁଏତ ମରିଯିବି ସେ । ମରଣ କିଛି ନୂଆକଥା ନୁହେଁ । ଯେଉଁମାନେ ଦୀର୍ଘଦିନ ବଞ୍ଚିବାକୁ ଚାହାନ୍ତି ସେମାନେ ବାସ୍ତବିକ ନିର୍ବୋଧ !

 

ସନ୍ଧ୍ୟାରେ ନିଜର ଜିନିଷପତ୍ର ପ୍ୟାକ୍ କଲା କେଚା । ଗୋଟିଏ ସେଟ୍ ବାହାରେ ରଖି ସମସ୍ତ ପୋଷାକପତ୍ର ସୁଟ୍ କେଶରେ ଭରିଦେଲା ।

 

ବୁଢ଼ୀର ଆଖିରୁ ଲୁହଧାର ବୋହିଗଲା । କହିଲା, ବାପ ! ମୋର ମନଥିଲା ତୁ ଆହୁରି କିଛିଦିନ ଏଠି ରହିବା ପାଇଁ ।

 

ଆଜିକ କେବଳ । ଏଇ ରାତିଟା ? ଆଉ ତତେ ଦେଖିପାରିବିନି ବାପ !

 

କେଚା କହିଲା ସାନ୍ତ୍ୱନା ଦେଇ ‘‘ସେପରି ଭାବନା ତୁ ମା’ !’’

 

ମୁଁ ଖୁସିଥିଲି ଯେ ତୁ ଆସିଥିଲୁ ଥରେ ଗାଁକୁ, ଯଦି ତାହା ଅଳ୍ପ କେତେ ସପ୍ତାହ ପାଇଁ ।

 

ଗୋଟାଏ କରୁଣ ସହାୟହୀନତାର ଅଭିବ୍ୟକ୍ତି ତା ଆଖିରେ । କିନ୍ତୁ କେଚା ଉପରୁ ଦୃଷ୍ଟି ପରିତ୍ୟାଗ କରିନଥାଏ ସେ ।

 

କେଚାର ରାତିରେ ନିଦ ନାହିଁ । ଚିରା ମଶିଣା ଉପରେ ଶୋଇଛି ମୁହଁମାଡ଼ି । ଗୋଟାଏ ଅଦ୍ଭୁତ ପୀଡ଼ନ ମଧ୍ୟରେ ତାର ଜୀବନ ଗତି କରୁଛି । ମନରେ ତାର ଅତୀତର ଦର ଲିଭାସ୍ମୃତି ।

 

କିଛି ସମୟ ବାହାରେ ଆସି ବୁଲିଲା । ମୁଣ୍ଡ ଭିତରେ ନିଆଁ ଜଳୁଛି । ବୁକୁ ମଧ୍ୟରେ ଇଞ୍ଜିନ୍‍ର ଧକ୍ ଧକ୍ ଶବ୍ଦ । କେବଳ ଧଇଁ ସଇଁ ହୋଇ ଉଠୁଛି ସେ । ଜୀବନର ଭିତରେ ସେ ଅନେକ କଠିନ ପରିଶ୍ରମ କରିଛି । ପ୍ରଚଣ୍ଡ ଖରାରେ କୋଡ଼ିଏ ପଚିଶି ମାଇଲ ରାସ୍ତା ପାଦରେ ଚାଲିଛି—ଘଣ୍ଟା ଘଣ୍ଟା ଧରି ସେହି ଖରାରେ ଚା’, ବଗିଚାରେ ଛିଡ଼ା ହୋଇ ଶ୍ରମିକମାନଙ୍କ ଉପରେ ସତର୍କ ଦୃଷ୍ଟି ନିକ୍ଷେପ କରିଛି । କିନ୍ତୁ ମନ ତାର ଅଟେ ଶ୍ରାନ୍ତ କ୍ଲାନ୍ତ ହୋଇନି କେଉଁଦିନ ।

 

ଉପରେ ନୀଳଆକାଶକୁ ଦେଖିଲା । ଶୀତ ରାତିର ଆକାଶ ଯେତେ ଶାନ୍ତ—ତାର ହୃଦୟ ଭିତର ସେତେ ଅଶାନ୍ତ । ପୁଣି ଶୋଇ ପଡ଼ିଲା । ବହୁ ଚେଷ୍ଟା କଲା ନିଦପାଇଁ । କିନ୍ତୁ ନା, ନିଦ୍ରା ଯେ ତାକୁ ପରିତ୍ୟା କରିଛି ।

 

ଜଗତ ସଂସାର ସମସ୍ତ ଆଜି କେଚା ଆଜି ନିକଟରେ ତିକ୍ତ । ରାଜ୍ୟଯାକର ସମସ୍ତ ଦୁଶ୍ଚିନ୍ତା ଓ ଗ୍ଲାନି ଆସି ଯେପରି ତାକୁ ଚାପି ଧରିଛି । ବାସ୍ତବିକ ମରଣ ହତଭାଗ୍ୟକୁ ଏଡ଼ିଦେଇ ଚାଲେ । ଆଜି ତାର ମନ ଭିତରେ ଯେଉଁ ନିଆଁ ଲାଗିଛି ସେଥିରେ ନିଜକୁ ଆହୁତି ଦେଇ ଶାନ୍ତି ପାଇବାକୁ ଜୀବନର କେତେ ଯେ ଦୀର୍ଘରାତି ତା ପାଇଁ ବାକୀ ପଡ଼ିଛି କେ ଜାଣେ ?

 

ଦିଆସିଲି ମାରି ନିଜର ୱାଚ ଦେଖିଲା । ଚାରିଟା ବାଜିଛି । ବିଛଣା ଛାଡ଼ି ପୁଣି ବାହାରକୁ ଆସିଲା । ସମସ୍ତେ ନିଦ୍ରିତ । ବିଶ୍ୱ ସଂସାର ନିଦ୍ରିତ—ଗାଁର ସମସ୍ତେ ନିଦ୍ରିତ ।

 

ସିଗାରେଟ୍ ପରେ ସିଗାରେଟ୍ ଧ୍ୱଂସକରି ଯାଉଥିଲା ସେ । ଆଉ ସେହି ଧ୍ୱଂସ ଭିତରେ ନିଜେ ବି ଯେପରି ଧ୍ୱଂସ ହୋଇ ଯାଉଥିଲା । ସେ ଯେପରି ହାରିଯାଇଛି । ତାରି ମଧ୍ୟରେ ପରାଜିତାର କଳା ଦାଗ ।

 

ଉଠିପଡ଼ି ତର ତର ହୋଇ ପୋଷାକ ପିନ୍ଧି ପକାଇଲା କେଚା । ଛଅଟା ପୂର୍ବରୁ ତାକୁ ରାୟଘର ବାସ ଷ୍ଟାଣ୍ଡରେ ପହଞ୍ଚିବାକୁ ପଡ଼ିବ ।

 

ଏଣେ ସାରା ରାତି ନିଦ ଆସେନା ବୁଢ଼ୀର । ରାତିଯାକ ଚାହିଁ ଚାହିଁ ଶୁଏ । ଅନେକ ଥର ନିଦ ଭାଙ୍ଗେ । ନିଦ ବଡ଼ ପତଳା । ନିଦ ପତଳା ନ ହେବାର ଉପାୟ ବା କଣ ଅଛି ? ଛିଣ୍ଡା ଚଟେଇ ଉପରେ ଶୋଇ ଛଟପଟ କରେ ବୃଦ୍ଧା । ରାତି ପାହିଲେ କେଚାର ବିଦାୟ ।

 

ପୁଣି ସେ ଧଡ଼ ପଡ଼ ହୋଇଉଠେ । ଛିଡ଼ାହୁଏ ଭଙ୍ଗ ତାଟି ବାଟ ପାଖରେ ନଇଁ ନଇଁ । ପାହାନ୍ତିଆ କୁକୁଡ଼ା ଓ ବଣର ପକ୍ଷୀ ଡାକି ଉଠିଲେ । ଫଗୁଣର ପ୍ରଥମ ସକାଳ । ଶିଶିର ଟପ୍ ଟପ୍ ହୋଇପଡ଼ିବ ବନ୍ଦ ହୋଇନି । ଘାସ ଉପରେ କାକର ଜମିଯାଇଛି । ବର୍ଷା ପଡ଼ିନି ଅନେକ ଦିନହେଲା ।

 

ହଠାତ୍ ଆସି ବୁଢ଼ୀର ପାଦ ଦୁଇଟାକୁ ଧରି ଜୁହାର କଲା କେଚା । କହିଲା, ଆଶୀର୍ବାଦ କର ମା’ ! ଯାଉଛି ଆସାମ । ଧରେଇ ଦେଲା ଦୁଇଟି ଟଙ୍କା ମା’ ହାତରେ । ବୁଢ଼ୀ ଖେଣ୍ଟା ଗଛପରି ବଲବଲ କରି ଅନେଇ ଥାଏ । ଝରାଇବାକୁ ଆଖିରେ ଆଖିରେ ଆଉ ତାର ଲୁହ ନାହିଁ ।

 

ଏଣିକି ରୀତିମତ ଟଙ୍କା ପଠାଇବି । ଆଉ ଦୁଃଖ କରନା ମା’ । ବୃଦ୍ଧ ଜାଣେ ଏ କେବଳ ଗୋଟାଏ ଶୁଷ୍କ ଆଶ୍ୱାସନା । ଅସୀମ ନୀଳ ପୃଥିବୀ । ଦଳଛଡ଼ା ବଣର ପକ୍ଷୀଟିଏ ଯେପରି ଉଡ଼ିଗଲା ଉତ୍ତରରୁ ଦକ୍ଷିଣକୁ । ଚାହିଁ ଦେଖିବାରେ ଲାଗିଛି ବୁଢ଼ୀ ।

 

ଦୂରରେ ଏ କିଏ ଚାଲିଯାଏ ଛାୟାପରି ? କଳା କିଟିକିଟିଆ ରୂପ ! ହଁ, ସେଇ କଳା ଲୋକଟି । ଆଉ ଅଳ୍ପ ସମୟ ପରେ ସେହି କଳାବଣ ଭିତରେ ଲୁଚିଯିବ ।

 

ମଥା ହଲାଇ ହଲାଇ କେଚା ଚାଲିଯାଏ । କୁକୁର ଭୁକି ଉଠିଲେ । ବୃଦ୍ଧାର କାନ୍ଧରୁ କମ୍ବଳ ଖସି ପଡ଼ିଲା । ଚିତ୍କାର କରି କାନ୍ଦି ଉଠିଲା ସେ ।

 

ଖରାପଡ଼ି ଆସିଲାଣି । ଭଲ ଲାଗୁଚି ଖରାଟା । ବୋକାପରି ଚାହିଁ ରହିଥାଏ ବୁଢ଼ୀ । ହତାଶ ହୋଇ କରୁଣ ଦୃଷ୍ଟିରେ ଅନେଇଥାଏ କେଚା ଯିବା ଦିଗଆଡ଼େ । ମା’ର ପ୍ରାଣତ ! ଦୁଃଖରେ ଦୁଇଚାରି ଟୋପା ଲୁହ ଆଖି କୋଣରୁ ନିଗିଡ଼ି ପଡ଼ିଲା ।

 

(୧୩)

 

ବିରାଟ ଲୌହ ଦାନବ ମାଡ୍ରାସ୍ ମେଲ୍ ବଜ୍ରଗର୍ଜନ କରି ଚାଲୁଛି । ଝରକା ଖୋଲା । ଦୂର ଦୂରାନ୍ତ ଗ୍ରାମମାନଙ୍କର ଆଲୋକମାନ ମଝିରେ ମଝିରେ ଜାଳି ଉଠୁଛି । ମିଲ୍ ଓ ଫ୍ୟାକ୍ଟରୀମାନଙ୍କର ଅସଂଖ୍ୟ ବିଜୁଳିବତୀ । କେଚା ଶରୀରରେ ଭୀଷଣ ରୋମାଞ୍ଚ ଆଖିରେ ଲୁହ ଧାର । ଏପରି ମୁକ୍ତିର ସ୍ୱାଦ—ବିରାଟ ଆନନ୍ଦର ସ୍ୱାଦ ଜୀବନରେ ଯେପରି ଆଉ କେବେ ସେ ପାଇ ନଥିଲା ।

 

ଏଣିକି ଭାଇମାନେ ଆଉ କରିବେ କଣ ? ସେହି ସ୍ମୃତିଟି ଟିକକ ସେ ପ୍ରାଣପଣେ ଧରି ରଖିଥିବା ମରଣଯାଏ । ସେତ ଝଡ଼ରେ ଉଡ଼ିଯାଉନି କି ମାଟି ଧୂଳିରେ ମିଶି ମାଟି ହୋଇଯାଉନି । ଯାହା କେବଳ ସେମାନଙ୍କ ଠାରୁ ତାର ଯୋଗସୂତ୍ର ଛିନ୍ନ ।

 

କିନ୍ତୁ କେଇଟା ଦିନ ବା ଘରେ ରହିଲା ସେ । ମାସେ ଖଣ୍ଡେ । ହଁ, ପୁରା ଗୋଟା ମାସ ବି ନୁହେଁ । ମୋଟେ ପଚିଶି ଦିନ ଚଳନ୍ତା ଟ୍ରେନର ତାଳେ ତାଳେ କେବଳ ସେଇକଥା ଭାବି ଭାବି ଆଗେଇ ଯାଏ କେଚା । ସତେ କେତେଟା ଦିନ ବା ! ତେବେ ମନେହୁଏ ସେ ଯେପରି କେଉଁ ସାତ ସମୁଦ୍ର ତେର ନଈ ପାର ହୋଇ ଆସିଥିଲା ଘରକୁ । ଏଇ ଗୋଟାଏ ମାସ ମଧ୍ୟରେ ଚେହେରାର ଅନେକ ବି ପରିବର୍ତ୍ତନ ଆସିଛି । କୋରାପୁଟ ଜିଲାର କେଉଁ ଏକ ଅଖ୍ୟାତ ପଲ୍ଲୀର ବନ୍ୟଜନ୍ତୁ ଭରା ମାଳଭୂମିରେ ପଞ୍ଚତ୍ରିଶ ବର୍ଷ ଉମର ଯେଉଁ ଲୋକଟା କାଟଇ ଥିଲା ସେ ପୁଣି ଆସାମ ଚା’ ବଗିଚାରେ ଅସଂଖ୍ୟ ଶ୍ରମିକ ସମୁଦ୍ରର ତରଙ୍ଗରେ ଭାସି ଉଠିଛି—କଥା କହି ଶିଖିଛି । ତା’ର ମୁଣ୍ଡ ଭିତରେ କେବଳ ଖେଳୁଛି ଅନେକ ଆଶା–ଅସରନ୍ତି ଆକାଂକ୍ଷା । ଏହି ଚଳନ୍ତା ଗାଡ଼ିରେ କେତେ କଥା ବା ତାର ମନେ ନପଡ଼ୁଛି ।

 

ଆଜି ଦିନସାରା ସେ ମନର ଗ୍ଳାନିରେ ପୀଡ଼ିତ । କିନ୍ତୁ ଯେତେବେଳେ ରାତିର ଅନ୍ଧକାର ବାହାରେ ଘନେଇ ଉଠେ ଆକାଶର ଅନେକ ଉଚ୍ଚରେ ଲକ୍ଷ ଲକ୍ଷ ତାରା ଆଖିମିଟିକା ମରୁଥାନ୍ତି ଆଉ ଏଇ ପାହାଡ଼—ଏଇ ଗଛ ଲତା-ଗାଁ ସହର ଯେତେବେଳେ ଘନ ଅନ୍ଧକାରରେ ପଛ ଆଡ଼େ ଅଦୃଶ୍ୟ ହୋଇଯାଏ ମନ ଭିତରେ ଜାଗି ଉଠେ ସୁପ୍ତ କାମନା, ଗୁପ୍ତ ସ୍ମୃତି, ଗୋପନ ଅଭିଳାଷ ।

 

ଗାଡ଼ି ଚାଲୁଛି । ମନ ମଝିରେ ଉଙ୍କିମାରେ ବଣ୍ଡକୁ-ବଣ୍ଡକୁ ଗଣ୍ଡ । ସେ ଆଜି ଡାକ୍ତର । ମନର କେଉଁ ଗହନ କୋଣରେ ଦେଖାଦିଏ ଛୋଟ ଗୋଟିଏ ଅସ୍ପଷ୍ଟ ମୁଖ । ବର୍ଣ୍ଣଟି କୋମଳ ଶ୍ୟାମଳ । ସେ ଚମକି ଉଠେ । ସାରାଜୀବନର ଖାଟୁଣୀ ତଳେ କେଉଁଠି ଲୁଚି ରହିଥିଲା ତାରା ଏଇ ଆନନ୍ଦ । ଆଜି ତା ପୁଅ ଡାକ୍ତର । କାନକୁ ବିଶ୍ୱାସ କରି ପାରେନା ସେ । ବାମନର ଚାନ୍ଦ ଧରିବା ସମ୍ଭବ ? ସେ ଫେରିଯାଉଛି ଆସାମ । ତାକୁ କିଏ ଯେମିତି ଡାକେ ଖୁବ୍ ପାଖରେ ବାପା ! ବାପା.....ଆ ।

 

ହଁ, କେତେ ଗୁଡ଼ାଏ ବର୍ଷ ୟା ଭିତରେ ବିତି ଯାଇଛି । ଏ ଯାଏ ଖଣ୍ଡିଏ ହେଲେ ଚିଠି ବଣ୍ଡକୁ ତା’ପାଖକୁ ପଠାଇ ନାହିଁ । ସେ କ’ଣ ତା ଆଈ ପାଖରୁ ଶୁଣି ନଥିବ ଯେ ପୁଣି ବାପା ତାରା ଆସାମର ଚା’, ବଗିଚାରେ କୁଲି କାମ କରେ ବୋଲି । ଦେଖିଲେ ନିଶ୍ଚୟ ଖୁସି ହେବ । ବଣ୍ଡକୁ ହୁଏତ ସେ ଅନେଇଥିବ ଚାତକ ପରି । ତାକୁ ଦେଖିବା ମାତ୍ରେ ଆଗ୍ରହରେ ଛୁଟି ଆସିବ ପାଖକୁ । ସତେକଣ ସେ ତାରା ମଳି ମୁଣ୍ଡିଆ ବାପାକୁ ଆଉ ଚିହ୍ନି ପାରିବ ? ଆହା ! ଦୀର୍ଘ ବର୍ଷର ବିଚ୍ଛେଦ ପରେ ବାପା ଡାକ ନିଶ୍ଚୟ ପାଗଳ କରି ପକାଇବ ତାକୁ ।

 

ଘରେ ସେ କେତେ କାନ୍ଦିଥିଲା । ସେ କାନ୍ଦ କଣ ଶୂନ୍ୟଆକାଶ ଚିରି ପହଞ୍ଚି ନଥିବ ବଣ୍ଡକୁ କାନରେ । ଗଭୀର ରାତିର ଆକୁଳ କାମନା ଭିତରେ କେତେ ସପନର ଜାଲ ବା ନ ବୁଣିଛି ସେ । ବିଡ଼ିଧୂଆଁର କୁଣ୍ଡଳି ଭିତରେ ତାରା ଆଖି ସାମ୍ନାରେ ବାରମ୍ବାର ସ୍ପଷ୍ଟ ହୋଇ ଦେଖାଯାଉଥିଲା ବଣ୍ଡକୁ । ହଁ, ଆଜି ସେ ବଣ୍ଡକୁ ଦେଖି ତାରା ଚମ ଆଖି ପବିତ୍ର କରିବ ।

 

ତାର ପରେ ? ରାତି ହେଉଛି ଗଭୀରରୁ ଗଭୀରତର । କଟକ ଆଉ କେତେ ବାଟ ? ଦଶ ପନ୍ଦର କୋଶ ଥିବ ପରା । ତଥାପି ବାଟ ସରୁନି । ରେଲ୍ ଡବା କୋଣରେ ବିଜୁଳି ଆଲୁଅ ତାଳେ ବସି ବସି ଭାବୁଛି ସେ । ଉତ୍ସସିତ ଆନନ୍ଦରେ ଚକ୍ଷୁର ଜଳ ଝର ଝର କରି ଝରି ପଡ଼ୁଛି ।

 

ବାରଙ୍ଗ ଷ୍ଟେସନ୍ । ହଠାତ୍ ଭୟଙ୍କର ଆବାଜ । ମଡ଼୍‍ ମାଡ଼୍‍ ଭୁସ୍ ଭାସ୍ । ଆକ୍‍ସିଡେଣ୍ଟ ଆକ୍‍ସିଡେଣ୍ଟ୍‍। ଶୋଚନୀୟ ରେଳ ଦୁର୍ଘଟଣା । ମାଲଗାଡ଼ି ଠିଆହୋଇଥିବା ଅବସ୍ଥାରେ ମାଡ୍ରାସ୍ ମେଲରେ ମୁହାଁ ମୁହିଁ ଧକ୍କା । ଦୁଇଟି ଇଞ୍ଜିନଓ ଦୁଇଟି ତୃତୀୟ ଶ୍ରେଣୀ ଡାବା ପୂରାପୂରି ଚୁରମାର । କେଚା ତାର ମନ ଭିତରେ ଯେଉଁ କଳ୍ପନାର ଘର ନିର୍ମାଣ କରିଥିଲା ତାହା ଯେପରି ହଠାତ୍ ଗୋଟିଏ ଫୁଙ୍କରେ ଏକେବାରେ ଧୂଳିସାତ୍ ହୋଇଗଲା ।

 

(୧୪)

 

ହସ୍‍ପିଟାଲ୍

ଶହ ଶହ ଆହତ ଖଟ ଉପରେ ଧାଡ଼ି ଧାଡ଼ି ହୋଇ ପଡ଼ିଛନ୍ତି । ବ୍ୟାଣ୍ଡେଜ ବନ୍ଧାହୋଇଛି କେଚାର ମୁଣ୍ଡରେ । କପାଳ ଚିବୁକ ଓ କାନ୍ଧରେ ଗଭୀର କ୍ଷତ । ମାଂସ ଖଣ୍ଡେ ଉଡ଼ି ଯାଇଛି । ପ୍ରଚୁର ରକ୍ତ ବାହାରି ଗାଲ ଓ କାନ୍ଧରେ ଜମାଟ ବାନ୍ଧି ଯାଇଛି । ଡ୍ରେସିଂ କରି ରକ୍ତ ବନ୍ଦ କରି ଦେଇଛନ୍ତି ଡାକ୍ତର ।

ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରି ଉଠୁଛି କେଚା । ଆଉ ସେ ପାରୁନି । ସମସ୍ତ ଶରୀରଟା ଜଡ଼ ହୋଇ ଆସୁଛି ବ୍ୟଥାରେ । ଶିରା ଉପଶିରା ମଧ୍ୟରେ ତୀବ୍ର ବିଦ୍ୟୁତ୍‍ର ବେଦନା । ମଝିରେ ମଝିରେ ନିଶ୍ୱାସ ବନ୍ଦ ହୋଇ ଦମ ଅଟକି ଯାଉଛି । ଖାଇଥିବା ଔଷଧ ଏହିକ୍ଷଣି ବାନ୍ତି ହୋଇପଡ଼ିଲା ।

କେଚା ଆଖି ବୁଜି ପଡ଼ିଛି । ବେଳେବେଳେ ଗଁ ଗଁ ହେଉଛି ହଠାତ୍ ଉଠି ବସିବାକୁ ଚେଷ୍ଟାକରି ଉଠି ପାରୁନି ।

ସଙ୍ଗେ ସଙ୍ଗେ ଯୁବକ ଡାକ୍ତର ଜଣକ ଅନ୍ୟରୋଗୀ ନିକଟରୁ ଆସି ପହଞ୍ଚିଗଲେ । କୋମଳ କଣ୍ଠରେ କହିଲେ, ‘‘ନା, ନା, ଉଠନା । ଶୋଇପଡ଼ ।’’

ଝାପ୍ସା ଆଖିରେ ଅସହାୟ ଦୃଷ୍ଟିରେ ଚାହିଁ ରହିଲା କେଚା ଡାକ୍ତରଙ୍କ ଆଡ଼େ ।

 

ଆହା ! କି ଧୀର ମଧୁର ତୁଣ୍ଡର କଥା ପଦକ । କେଚା କଣାରେ ଯେପରି ଅମୃତ ବରଷି ଗଲା । ସାରା ଜୀବନ ଭିତରେ ସେ କେବେ ତ କାହାଠାରୁ ଏପରି ଦରଦଭରା କଥା ଶୁଣିନାହିଁ ? ସହାନଭୂତିର କ୍ଷୁଦ୍ରକଣା କେହି ତ କେବେ ତାର ଏ ଅବହେଳିତ ଜୀବନରେ ଦେଖାଇନାହାନ୍ତି ?

 

ଅତି ଆଦରରେ ହାତ ରଖିଲେ ଡାକ୍ତର କେଚାର ମଥା ଉପରେ । କହିଲେ, ଏହି ଔଷଧଟି ଖାଇଦିଅ । ଯନ୍ତ୍ରଣା ଅନେକ କମିଯିବ । ସଙ୍ଗେ ସଙ୍ଗେ ଗୋଟାଏ ପ୍ରଚଣ୍ଡ ଦମକା ବଥା ଉଠିଲା । କେଚା ଜୀବନ ବିକଳରେ ଡାକ୍ତରଙ୍କ ହାତଧରି ପକାଇ କହିଲା, ‘‘ମୁଁ ବୃଦ୍ଧ, ଗରିବ, ଅପରିଚିତ । ମରଣ-ଫାଟକର ଖୁବ୍ ନିକଟରେ । ଆଉ ସୁଖରେ ରହିବାର ଦିନ ନାହିଁ । ବର୍ତ୍ତମାନ ମୋର ନିଦ୍ରା ଯିବାର ସମୟ-ମହାନିଦ୍ରା... ।’’ ଆଉ କହି ପାରିଲାନି । ଈସାରା ଦେଇ ଆହୁରି ପାଖକୁ ଡାକିଲା ଡାକ୍ତରଙ୍କୁ । କରୁଣ ସ୍ୱରରେ ଧୀରେ ଧୀରେ ଚୁପି ଚୁପି କହିଲା, ମନରେ ରହିଗଲା ଅବଶୋଷ—ଖାଲି ଗୋଟାଏ ଅବଶୋଷ.... । ଅସହାୟ କଣ୍ଠ ସ୍ୱର ତା’ର ।

 

କେଚା ଆଖି ବୁଝିଲା । ସମସ୍ତ ଶରୀରଟା ଯେପରି ଅବଶ । ପୁଣି ଝଲକାଏ ରକ୍ତବାନ୍ତି ହୋଇପଡ଼ିଲା । ଶୀର୍ଣ୍ଣ ମୁଖମଣ୍ଡଳ ନୀଳ ଆଭାରେ ଉଦ୍‍ଭାସିତ ହୋଇଉଠିଲା । ଚଞ୍ଚଳ ହୋଇଉଠିଲେ ଡାକ୍ତର । ଗୋଟିଏ ନିଦ ଇଞ୍ଜେକ୍ସନ୍ ଫୋଡ଼ି ଦେଲେ ତା ବାହୁରେ ।

 

ଯଦି ବଣ୍ଡକୁ ଜାଣିଥାନ୍ତେ ଯେ ତାଙ୍କର ଏ ରୋଗୀଟି ବାପା ବୋଲି ତେବେ ତାଙ୍କର ଅନ୍ତର ନିଶ୍ଚୟ ଛାତିଫଟା ଆର୍ତ୍ତନାଦରେ ଭରି ଯାଇଥାନ୍ତା । ତଥାପି ଯେପରି ବିଜୁଳି ଆଲୁଅ ଗୁଡ଼ାକ ମିନିଟିକ ପାଇଁ ଲିଭିଯିବା ପରି ଲାଗିଲା ତାଙ୍କୁ ।

 

ସେଦିନ ରାତିରେ ବଣ୍ଡକୁଙ୍କର ଆଖିରେ ନିଦ ନାହିଁ । ଯେତେ ଥର ସେ ଆଖି ବୁଜିବାକୁ ଚେଷ୍ଟା କରିଛନ୍ତି ସେତେଥର ତାଙ୍କ ଆଖି ଆଗରେ ଭାସି ଉଠିଛି ସେହି ଅସହାୟ ଗରିବ ବୃଦ୍ଧଟିର ନିସ୍ତେଜ ମଳିନ ମୁଖ । ସେ କିଏ ? କାହିଁକି ତାଙ୍କର ଅନ୍ତର ଏଡ଼େ ଉଦବେଳିତ ହୋଇ ଉଠୁଛି ? ଗୋଳେଇ ଘାଣ୍ଟି ହେଉଛି ସେହି ରୋଗୀଟିକୁ ଦେଖିବା ବେଳଠାରୁ ?

 

ଭାବନାରେ କଟିଯାଏ ତାଙ୍କର ରାତି । ଚିନ୍ତା ଜାଲରୁ ରକ୍ଷାପାଇ ପାରନ୍ତିନି ସେଦିନ ରାତିରେ ସେ ।

 

ରୋଗୀ କରୁଣ ଆର୍ତ୍ତନାଦ କଲା ଭଳି କାନ୍ଥ ଘଡ଼ିରେ ବାଜି ଉଠିଲା ଚାରିଟା । ହଠାତ ଡିଉଟିରେ ବାହାରି ପଡ଼ିଲେ ଡାକ୍ତର ୱାର୍ଡ ଭିତରକୁ ।

 

ଦେଖିଲେ ଅସହ୍ୟ ଯନ୍ତ୍ରଣାରେ ସଂଜ୍ଞାହୀନ କେଚାକୁ । କେବଳ କ୍ଷୀଣ ଓ ଅସ୍ପଷ୍ଟ ସ୍ୱରରେ କହୁଛି ବ-ଣ୍ଡ-କୁ ! ମ-ଶା-ନ୍। ନା-ନା, ମୋ-ତେ–ଯି-ବା-କୁ-ଦି-ଅ ।

 

କିଏ ? ଏ କିଏ ? ତାଙ୍କର ନାମ ଧରି ଡାକୁଛି ? ସେ ଚମକିପଡ଼ି ଦୁଇ ହାତରେ ଟେକି ଧଇଲେ କେଚାର ଦେହକୁ ଶଯ୍ୟା ଉପରେ ବସି । ହାତର ନାଡ଼ି ଦେଖିଲେ ଡାକ୍ତର ବଣ୍ଡକୁ ଗଣ୍ଡ ।

 

ରୋଗୀର ମୁହଁଟି ଅସ୍ପଷ୍ଟ ହୋଇଉଠିଛି ବଣ୍ଡକୁଙ୍କର ସ୍ମୃତି ଦର୍ପଣରେ । ‘ବଣ୍ଡକୁ’, ‘ମଶାନ୍‍’ ଏହିପରି ନାମ ମାନ ତ ଦୁନିଆରେ କିଛି ବିରଳ ନୁହେଁ । ତେବେ ସେ ଯେ ତାଙ୍କର ବାପର ସ୍ୱର—ତାଙ୍କ ପକ୍ଷରେ ତାହା ସମ୍ଭବ ହେବ ବା କିପରି ? ଏକ ସଙ୍ଗରେ ଭାଇ ଓ ଭଉଣୀଙ୍କ ନାମ ମିଳିଯିବାଟା ବି ନିତାନ୍ତ ଆକସ୍ମିକ ବୋଲି ଉଡ଼େଇ ଦେଇ ହେବନି ! ହଁ, ନାମର ମିଳନ ବି ଏମିତି କେତେ ଅଛି । ଶହ ଶହ ଆହତ ଭିତରେ ଆଉ କେହି ହେବ ବି ଅସମ୍ଭବ ନୁହେଁ । ତଥାପି-ତଥାପି କାହିଁକି ଅନ୍ଧାର ମାଡ଼ି ଆସୁଛି ତାଙ୍କର ହୃଦୟ ଭିତରେ । ସତେ ଯେପରି ପ୍ରଳୟର ଶେଷ ରାତି ଏ । ସେ ଅନୁଭବ କରୁଛନ୍ତି ହିମ ବରଫ-ପରଶ ନିଜର ଚେତନା ଉପରେ । ନିଜର ସେହି ଭଉଣୀ ମଶାନ୍‍ ଯେ ଏହି ହସପିଟାଲ୍‍ର ଫିମେଲ ୱାର୍ଡରେ ଅଛି । କିପରି ଜାଣିବେ ବା ସେ!

 

ଜୀବନର ସତ୍ତା ବୁଡ଼ି ବୁଡ଼ି ଆସୁଛି କେଚାର । ଧୀରେ ଧୀରେ ଗତି କରୁଛି ସେ ମୃତ୍ୟୁର ଗାଢ଼ ଅସ୍ପଷ୍ଟତା ଆଡ଼କୁ । ଆହା! ଯେଉଁ ପେସଣ୍ଟ୍‍ଟି ତାଙ୍କର ଜୀବନର ପ୍ରଧାନ ଅଂଶ—ଯାହା ସହିତ ସେ ଆଜନ୍ମରୁ ଅବିଚ୍ଛିନ୍ନ ଭାବରେ ଜଡ଼ିତ—ସେହି ପଦାର୍ଥଟିର ସତ୍ତା ଧରା ବକ୍ଷରୁ ଚିରଦିନ ପାଇଁ ଲୋପହେବାକୁ ଯାଉଛି । କ’ଣ କରିବେ ସେ । ତଥାପି ତାଙ୍କୁ ଶେଷ ପ୍ରଦୀପ ଶିଖା ନିର୍ବାପତ ହେବା ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ । ସେ ଜଣେ ଡାକ୍ତର, ଜଣେ ଯୁବକ ଡାକ୍ତର । ସେ ତାଙ୍କର ଏଇ ବରଷକ ଚାକିରୀ କାଳ ମଧ୍ୟରେ ଏହିପରି କେତେ ରୋଗୀ ଏଠି ଦେଖିଛନ୍ତି । ସେଥି ଭିତରୁ ଡାକ୍ତର ପକ୍ଷରେ ତାହା ହେଉଛି ଗୋଟାଏ ଅତି ମାମୁଲି କଥା । କିନ୍ତୁ ଆଜି ତାଙ୍କର ଆଶା କରିବାର ଆଉ କିଛି ନାହିଁ । ଯେଉଁ ଜୀବନ ନାଟକର ଯବନିକା ଚିରଦିନ ପାଇଁ ପଡ଼ିବାକୁ ଯାଉଛି ତାକୁ କଣ ସେ ଖୋଲି ପାରିବ ?

 

ସେ ଜାଣନ୍ତି ତାଙ୍କର ସମାଜ, ବଂଶ ଆଉ ପରିବାରର ଦୈନ ଦୂରବସ୍ଥା । ସେହି ଆଦିବାସୀ ସମାଜର ସେ ଗୋଟିଏ ଉଜ୍ଜ୍ୱଳ ଆଲୋକଶିଖା । ସେ ଚାହିଁଥିଲେ ତାଙ୍କ ଅବହେଳିତ ସମାଜର ଗୌରବ ଓ ସମ୍ମାନ ଅର୍ଜନ ପାଇଁ । ତଥାପି ସେ ବେଶି କିଛି ଜାଣନ୍ତିନି । ଏଡେ ବଡ଼ ବିଶାଳ ପୃଥିବୀ ମଧ୍ୟରେ ସେ ଜଣେ ନଗଣ୍ୟ । ସେଥିରେ ସନ୍ଦେହ କରିବାର କିଛି ନଥିଲା । ତଥାପି ତାଙ୍କର ମନଟା କେଜାଣେ କାହିଁକି ବାରବାର ଆକୁଳ ଓ ଅସ୍ଥିର ହୋଇ ଉଠୁଥିଲା ।

 

ପୁଣି ସଂଜ୍ଞା ଫେରି ଆସେ କେଚାର—ବ-ଣ୍ଡ-କୁ ବଣ୍ଡକୁ ବୋଲି ଡାକେ । କହେ ଏଁ-ଏଁ-ମୁଁ-ମୁଁ-କେ-ଉଁ-ଠି ?

 

ସ୍ୱର ବଡ଼ କ୍ଷୀଣ-ବଡ଼ ଦୁର୍ବଳ ।

 

ଡାକ୍ତରଙ୍କ ପାଟିରୁ ହଠାତ ବାହାରି ପଡ଼େ, ‘‘ମୁଁ, ମୁଁ, ବଣ୍ଡକୁ, ବାପା !’’

 

କେଚା ଆଖିପତା ଟେକି ଚାହିଁଲା ବଣ୍ଡକୁକୁ ମୁହୂର୍ତ୍ତକ ପାଇଁ । ପୁଣି ପତା ତଳକୁ ନଇଁ ଆସିଲା । ଆଖି କୋଣରେ ଲୁହ। ଶରୀର ପଥର ପରି ନିର୍ଜୀବ । ବରଫ ପରି ଥଣ୍ଡା । ଆତ୍ମା ଉଡ଼ିଯାଇଛି ଅନନ୍ତ ଶୂନ୍ୟ ଉଦ୍ଦେଶ୍ୟରେ ।

 

ବଣ୍ଡକୁଙ୍କର ମଥା ଭିତର ଝିମ୍ ଝିମ୍ ହୋଇଉଠିଲା । ହଲର ଛାତଟା ଯେପରି ଭାଙ୍ଗିପଡ଼ୁଛି ତାଙ୍କ ମୁଣ୍ଡ ଉପରକୁ । ଚାରିଆଡ଼େ ଦେଖିଲେ ସେ ମୃତ୍ୟୁର ଅତଳ ଗହ୍ୱର । ହତାଶା, ଅବସାଦ ଓ ଦୁଃଖରେ ମର୍ମାହତ ହୋଇ କରୁଣ ଆର୍ତ୍ତନାଦ କରି ଉଠିଲେ ସେ ।

 

ହଲ୍‍ର ଖିଡ଼ିକିଗୁଡ଼ିକ ସବୁ ଖୋଲା । ହସ୍‍ପିଟାଲର ବିରାଟ କମ୍ପାଉଣ୍ଡ ମଝିରେ ଇଲେଟ୍ରିକ ବାଲବ ଜଳୁଛି । ସେଥିରେ ଯେପରି ଆଲୋକ ନାହିଁ । ଆହା ! ଘନ ହୋଇ ଆହୁରି ନିବିଡ଼ ହୋଇ ସମଗ୍ର ଅସ୍ତିତ୍ୱର ସଂଗ୍ରାମରେ ପିତା ଆଉ ପୁତ୍ର କେଉଁ ଦିନ ମିଳିବେ ନାହିଁ ।

 

ତାଙ୍କର ଅନୁତାପ ଆସିଲା । କି ଆଶ୍ଚର୍ଯ୍ୟ ! ସେ ନିଜର ବାପକୁ ବଞ୍ଚାଇ ପାରିଲେନି ? ଡାକ୍ତର ହୋଇ ନିଜର ଜନ୍ମଦାତାକୁ ମୃତ୍ୟୁମୁଖରୁ ରକ୍ଷାକରି ପାରିଲେନି ? ଯେଉଁ ଡାକ୍ତର ଅତି ଅଳ୍ପଦିନ ଭିତରେ ଗୋଲ୍‍ଡ ମେଡାଲ୍ ଓ ସାର୍ଟିଫିକେଟ୍ ମାନ ପାଇ ଅସ୍ତ୍ର-ଚିକିତ୍ସାରେ ରେକର୍ଡ ବ୍ରେକ୍ କରିଥିଲେ ସେ ଆଜି ଫେଲ୍ ମାରିଛନ୍ତି ? ଛି, ଛି, କି ଲଜ୍ଜାର କଥା ।

 

ହଁ, ବଣ୍ଡକୁ ଥିଲେ ସେ ସମୟର ତରୁଣ ଡାକ୍ତରମାନଙ୍କ ମଧ୍ୟରୁ ଜଣେ । ଥିଲା ତାଙ୍କର ବିରାଟ ପ୍ରତିଭା । କଠିନ ଅପରେସନରେ ସେ ଥିଲେ ସିଦ୍ଧହସ୍ତ । ସତକୁ ସତ ସେ ଗରିବ ଅସହାୟଙ୍କଠାରୁ ଫିସ ନିଅନ୍ତି ନି । ଆଦର୍ଶ ଡାକ୍ତର ହେବାପାଇଁ ଠିଆ ତାଙ୍କର ଜୀବନର ସ୍ୱପ୍ନ । ତେଣୁ ସେ ସମସ୍ତ ବାଧା ବନ୍ଧନ ଛାଡ଼ି ଭୋକଉପାସରେ ରହି ନିଜର ସମସ୍ତ ଶକ୍ତି ଖଟାଇ ପାଠ ପଢ଼ିଥିଲେ ସେହିମାନଙ୍କ ପାଇଁ । ଯେଉଁମାନେ ଆଧୁନିକ ସଭ୍ୟତାର ସକଳ ସୁବିଧା ସୁଯୋଗରୁ ବଞ୍ଚିତ—ଯେଉଁମାନେ ଅବଜ୍ଞାତ—ଦୁନିଆ ଚକ୍ଷୁରେ ଅବହେଳିତ । ସେ ଆହୁରି ମଧ୍ୟ ଭଲ କରି ଜାଣିଥିଲେ ଏହି ଆଦିବାସୀ ସମାଜର ଅନୁନ୍ନତ ଗରିବ ଅବସ୍ଥା ଓ ତାର ମରାମତିର ଆବଶ୍ୟକତା । କିନ୍ତୁ ଆଜି ଏ କଅଣ ?

 

ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ସେ ଗୋଟାଏ ଅସହ୍ୟ-ବେଦନା ଅନୁଭବ କଲେ । ଯେପରି ଗଳାକୁ କିଏ ଜୋରରେ ଚିପି ଧରିଛି । ଦମ୍‍ ବନ୍ଦ ହୋଇଯିବା ଉପରେ ।

 

ଓଃ ! ସେ ଯନ୍ତ୍ରଣା କି ଅସହ୍ୟ ! ମଥା ଘୂରିଗଲା । ଜିହ୍ୱା ଓ କଣ୍ଠ ଅବଶ । ପାଟିରୁ କଥା ବାହାରୁ ନାହିଁ । ପ୍ରତ୍ୟେକ ଶିର ଓ ସ୍ନାୟୁ ମଧ୍ୟରେ କିଏ ଯେପରି ପରଫ ଜଳ ଢାଳି ଦେଇଛି । ପେଶୀଗୁଡ଼ିକ ଶିଥିଳ । ସେ ଠିଆ ହୋଇ ନପାରି ମୂର୍ଚ୍ଛିତ ହୋଇପଡ଼ିଗଲେ ସେଇଠି ।

 

ହସ୍‍ପିଟାଲ୍‍ କୋଳାହଳରେ ମୁଖରିତ ହୋଇଉଠିଲା । ସଙ୍ଗେ ସଙ୍ଗେ ସବୁଆଡ଼କୁ ଟେଲିଫୋନ । ଡାକ୍ତରମାନେ ଗଦା ହୋଇପଡ଼ିଲେ । ସବୁରି ମୁହଁରେ ଶୁଣାଗଲା ବଣ୍ଡକୁ ଡାକ୍ତର ଚିକିତ୍ସା କରୁ କରୁ ବେହୋସ । ମେଡିକାଲର ସମସ୍ତ କର୍ମଚାରୀ ଛୁଟି ଆସିଲେ । ସେତେବେଳେକୁ ରାତି ପାହି ଯାଇଛି ।

 

ମଶାନ୍‍ ବାର ବାର ଝରକା ବାଟେ ଅନାଏ । ଶହ ଶହ ଲୋକ ସେ ବାଟେ ଯାଆନ୍ତି ଆସନ୍ତି, କିନ୍ତୁ ମୁହୂର୍ତ୍ତକ ପାଇଁ ଲିଟିର ଦେଖାପାଏନି ମନେ ମନେ ସେ କାନ୍ଦେ । ଏହି କାନ୍ଦିବାଟା ଯେପରି ତାର ଅଭ୍ୟାସ ହୋଇଗଲାଣି ।

 

ଏଥିଭିତରେ ମଶାନ୍‍ ରୋଗମୁକ୍ତ ହୋଇ ଆସୁଛି । ଶରୀର ଉନ୍ନତି ବି ଘଟିଛି । ନିଜର ମାନସିକ ସ୍ୱାଭାବିକ ଅବସ୍ଥା ମଧ୍ୟ ଫେରିଆସିଛି । କିନ୍ତୁ ହସ୍‍ପିଟାଲ୍‍ରୁ ଡିସଚାର୍ଜ ହୋଇନି ସେ ।

 

ସେଦିନ ସେ ଉଠି ବସିଲା ବିଛଣା ଉପରେ । ଖୋଲା ଝରକା ଦେଇ ଚାହିଁଲା ମୁକ୍ତ ଆକାଶକୁ । କେତେଦିନ ହେଲା ସେ ଦେଖିଛି । ଝଡ଼ ବର୍ଷା ପରେ ପୁଣି ବି ସୂର୍ଯ୍ୟ ନୀଳ ନିର୍ମଳ ଆକାଶରେ ଦେଖାଯାଏ ।

 

ମଶାନ୍‍ ଭାବେ, କାହିଁ ଭଗବାନ ! ବୋଧହୁଏ ଭଗବାନ ନାହାନ୍ତି । ସେ ତ ଦୁଃଖୀର ଡାକ ଶୁଣନ୍ତି ନି । ସେ ଏତେ ଡ଼ାକୁଛି ତେବେ ବେ ସେ ପଥ ଦେଖାଉ ନାହାନ୍ତି ? ସତେ କଣ ସେ ଆଉ ସୁଖର ନୀଡ଼ ରଚନା କରି ପାରିବ ନି ? ଅଭିସାରର ସୂର୍ଯ୍ୟ କ’ଣ ପୁଣି ତାପାଇଁ ଉଦୟ ହେବନି ? ଯଦି ସେ ଜୀବନ ଜୁଆରେ ହାରିଯାଏ ତାହା ହେଲେ ଭଗବାନଙ୍କର ପରାଜୟ ସିନା, ତାର ନୁହେଁ ।

 

ତା’ର ମରଣହିଁ ବର୍ତ୍ତମାନ ମଙ୍ଗଳ । ପଥର ଭିକାରିଣୀ ହୋଇ ସର୍ବସ୍ୱ ଗଲା । ଆଉ କ’ଣ ଅଛି ତା’ର ଜୀବନରେ ?

 

ଭାବନା ତା’ର ଭାଙ୍ଗିଗଲା ବାହାରର ଭୀଷଣ ଗୋଳମାଳରେ ଜନ କୋଳାହଳ ମଧ୍ୟରେ ସେ ବି ଶେଯରୁ ଉଠି ଧାଇଁଲା ସେଠିକି ।

 

ଲିଟିର ଦଣ୍ଡଭୋଗର ସମୟ ଶେଷ ହୋଇଛି । ସେ ଜେଲ୍‍ରୁ ଖଲାସ ହୋଇ ଦେଖିଲା କୁଡ଼ିଆରେ ମଶାନ୍‍ ନାହିଁ । କୁଡ଼ିଆଟି ଭାଙ୍ଗି ପଡ଼ିଛି । ସେ ଚମକି ଉଠିଲା । ତେବେ କ’ଣ ତାର ମଶାନ୍‍ ଜୀବନରେ ନାହିଁ ।

 

କିଛି ସମୟ ଭାବି ବସିଲା ମୁଣ୍ଡରେ ହାତ ଦେଇ । ଆହା ! ସେହି କୃଶ ରୁଗଣ୍ ସ୍ତ୍ରୀଟି ତାର । କିପରି ସେ ଦେଖାପାଇବ କେ ଜାଣେ ? କିପରି ତା’ ଆଗରେ ସେ ମୁହଁ ଦେଖାଇବ ? ଆଡେ ବଡ଼ କଟକ ସହରରେ ସତେ ସେ ସନ୍ଧାନ ପାଇ ପାରିବ ମଶାନ୍‍ର ?

 

ଖୋଜି ଖୋଜି ପହଞ୍ଚିଲା ହସ୍‍ପିଟାଲରେ । ଆଜି ହସ୍‍ପିଟାଲ୍‍ ଲୋକାରଣ୍ୟ ।

 

ମଶାନ୍‍ ପିନ୍ଧିଛି ସାତ ସିଆଁ ହ୍ୟାଣ୍ଡଲୁମ ଶାଢ଼ୀଟିଏ । ମୁଣ୍ଡବାଳ ଫୁରୁ ଫୁରୁ ହୋଇଉଡ଼ୁଛି-। ତେଲ ବାଜିନି ବହୁତ ଦିନ ହେଲା । ବେମାରୀ ଭୋଗି ଭୋଗି ଏବେ ବି ପୂରା ଭଲ ହୋଇନି-

 

ଲିଟି ନିରୀକ୍ଷଣ କଲା ବହୁତ ସମୟ । ଦୃଷ୍ଟି ଫେରାଇ ଚମକି ପଡ଼ି ଦେଖିଲା ଅଦୂରରେ ଦୁର୍ବଳ ଶରୀର ମଶାନ୍‍ ଠିଆ ହୋଇଛି । ଅତି ନିରୀହ ଓ ନିରାଶ୍ରୟ ଭାବରେ ଡାକ୍ତରଖାନା ବାରଣ୍ଡା ଉପରେ ଥର ଥର ହୋଇ କମ୍ପିଛି । ତାକୁ ଯେପରି ସେ ଆଖିଠାରି ଡାକୁଛି ପାଖକୁ । ପେଟ ଭିତରଟା ଚକଟି ମନ୍ଥି ହୋଇଗଲା ଲିଟିର ।

 

ଲିଟି ଦୌଡ଼ିଯାଇ କୁଣ୍ଢେଇ ପକାଇଲା ମଶାନ୍‍କୁ । ମଶାନ୍‍ କରୁଣ ଆଖିରେ ଚାହିଁଛି ଲିଟିକି ।

 

ତା’ ପରେ ଲିଟି ନିର୍ବାକ ହୋଇ ଶୁଣିଲା ଅଲିଭା ଦୁଃଖରେ କାହାଣୀ ମାନ ମଶାନ୍‍ଠାରୁ-

 

ମିଳନ ହେଲା ଭାଇ ଭଉଣୀ ଭିଣେଇ ତିନିଜଣଙ୍କ ମଧ୍ୟରେ । ମଶାନ୍‍ ନିର୍ମମ ଭାବରେ କରାଘତ କଲା କପାଳରେ । ବାପା ତାର ମରିଯାଇଛି ।

 

ଶ୍ମଶାନରୁ ଫେରି ବଣ୍ଡକୁ ଦେଖିଲେ ଚିଠିଟିଏ ଆସିଛି ବାଗବେଡ଼ା ଗାଁରୁ । ଆଈ ବୁଢ଼ୀ ତାଙ୍କର ମୃତ । ଯିଏ ତାଙ୍କୁ ମଣିଷ କରିଥିଲା ସେ ଆଜି ଆଉ ନାହିଁ ।

 

ସେ କାନ୍ଦି ନାହାନ୍ତି । ନିଜର ଅଜ୍ଞାତରେ ଲୁହଧାର ବୋହି ଯାଇଛି । ଆନନ୍ଦ ମଉଜ ଯେପରି ମାରି ଯାଇଛି ଚିରଦିନ ପାଇଁ ।

 

ମଣିଷର ଯିବା ଆସିବା ପଥରେ—ଆଲୋକ ଅନ୍ଧାରର ଆବର୍ତ୍ତନ ମଧ୍ୟରେ ଯେତେବେଳେ ମରଣ ଆସେ ତାକୁ ଅସମ୍ଭବ ବୋଲି କହି ହେବନି । ବଣରେ କୁଢ଼ କୁଢ଼ ଫୁଲ ଫୁଟେ ଆଉ ଝରେ । ସେହି ଫୁଟା ଓ ଝର ଏହି ସୃଷ୍ଟିର ନିୟମ । ସେହିପରି ଏଇ ବିରାଟ ସଂସାର ମଝିରେ ପ୍ରତି ମୁହୂର୍ତ୍ତରେ ଚାଲିଛି ଜୀବନ-ମରଣର ହିସାବ କିତାବ ଯୁଗଯୁଗ ଧରି ।

Image